March 22, 2025

ଅଡ଼ୁଆରେ ଅନୁରାଧା! କିଏ ଏହି କେରଳୀ ମହିଳା ଯିଏ ତାଙ୍କୁ ମା’ ଡାକି ମାଗୁଛନ୍ତି ୫୦ କୋଟି

ଅଡ଼ୁଆରେ ଅନୁରାଧା !
କିଏ ଏହି କେରଳୀ ମହିଳା ଯିଏ ତାଙ୍କୁ ମା’ ଡାକି ମାଗୁଛନ୍ତି ୫୦ କୋଟି। କ୍ୟାରିୟର ପାଇଁ ଜନ୍ମର ୪ ଦିନ ପରେ…

ବଲିଉଡର ପ୍ରଖ୍ୟାତ ଗାୟିକା ଅନୁରାଧା ପୋଡୱାଲଙ୍କୁ ନେଇ ଚକିତ କରିଦେବା ଭଳି ଖବର ଆସିଛି । କେରଳର ଜଣେ ମହିଳା ନିଜକୁ ଅନୁରାଧାଙ୍କ ଝିଅ ବୋଲି ଦାବି କରିଛନ୍ତି । ୪୫ ବର୍ଷୀୟା କରମାଲା ମୋଡେକ୍ସ ଥିରୁଭାନନ୍ତପୁରମର ଜିଲ୍ଲା ଫାମିଲି କୋର୍ଟରେ ଏହି ୬୭ ବର୍ଷୀୟା ପ୍ରଚ୍ଛଦପଟ ଗାୟିକାଙ୍କ ବିରୋଧରେ ମାମଲା ଦାଏର କରି ୫୦ କୋଟି ଟଙ୍କା କ୍ଷତିପୂରଣ ମାଗିଛନ୍ତି । କରମାଲାଙ୍କ ଅନୁସାରେ ତାଙ୍କର ଜନ୍ମ ୧୯୭୪ରେ ହୋଇଥିଲା । ତାଙ୍କୁ ୪ ଦିନର ହୋଇଥିବାବେଳେ ଅନୁରାଧା ପୋଡୱାଲ ତାଙ୍କୁ ପୋନ୍ନାଚନ ଓ ଅଗନେସଙ୍କୁ ସମର୍ପି ଦେଇଥିଲେ । କରମାଲା କହିଛନ୍ତି ଯେ ଅନୁରାଧା ହେଉଛନ୍ତି ତାଙ୍କର ଜୈବିକ ମାତା । ସେ ସେତେବେଳେ ପ୍ଲେବେକ ସିଙ୍ଗର ଭାବେ ନିଜ କ୍ୟାରିୟର ଗଢ଼ିବାରେ ବ୍ୟସ୍ତ ଥିଲେ । ରେକର୍ଡିଂର ବ୍ୟସ୍ତତା ଯୋଗୁ ସେ ତାଙ୍କ ଉତ୍ତରଦାୟିତ୍ୱ ତୁଲାଇବା ପାଇଁ ପ୍ରସ୍ତୁତ ନ ଥିଲେ । ପ୍ରାୟ ୫ ବର୍ଷ ତଳେ ମରଣଶଯ୍ୟାରେ ଥିବାବେଳେ ତାଙ୍କର ପାଳକ ପିତା ପୋନ୍ନାଚନ ଅନୁରାଧା ତାଙ୍କର ଜୈବିକ ମା’ ବୋଲି ସତ ପ୍ରଘଟ କରିଥିଲେ । ପୋନ୍ନାଚନ ଦାବି କରିଥିଲେ ଯେ ସେ ଅନୁରାଧାଙ୍କ ଘନିଷ୍ଠ ବନ୍ଧୁ ଥିଲେ । ସଙ୍ଗୀତ ଦୁନିଆରେ ନିଜକୁ ପ୍ରତିଷ୍ଠା କରିବା ପାଇଁ ବ୍ୟସ୍ତ ଅନୁରାଧା କରମାଲାଙ୍କୁ ସେତେବେଳେ ତାଙ୍କ କୋଳରେ ଛାଡ଼ି ଚାଲିଯାଇଥିଲେ । ସେହି ସମୟରେ ତାଙ୍କ ବୟସ ମାତ୍ର ୪ ଦିନ ହୋଇଥିଲା । କରମାଲା କହିଛନ୍ତି, ବାପାଙ୍କଠାରୁ ସତ ଜାଣିବା ପରେ ସେ ଅନୁରାଧାଙ୍କ ସହ ଅନେକ ଥର ଫୋନରେ କଥା ହେବା ପାଇଁ ଉଦ୍ୟମ କରିଥିଲେ । ତେବେ ଅନୁରାଧାଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳି ନ ଥିଲା । ପୁଣି କିଛି ଦିନ ପରେ ତାଙ୍କର ଫୋନ ନମ୍ବରକୁ ବ୍ଲକ କରିଦିଆଗଲା । ଏହା ପରେ ସେ ଆଇନଗତ ଲଢ଼େଇ ପାଇଁ ନିଷ୍ପତ୍ତି ନେଲେ । କରମାଲାଙ୍କ ଓକିଲ ଅନିଲ ପ୍ରସାଦ କୁହନ୍ତି, କରମାଲା ଯେଉଁ ଶୈଶବ ଓ ଜୀବନର ହକଦାର ଥିଲେ, ତାଙ୍କୁ ସେଥିରୁ ବଂଚିତ କରାଯାଇଛି । ଯଦି ଅନୁରାଧା ଆମ ଦାବିକୁ ଖାରଜ କରିଦିଅନ୍ତି ତେବେ ଆମେ ଡିଏନଏ ପରୀକ୍ଷା ପାଇଁ କୋର୍ଟରେ ଦାବି କରିବୁ ।
Spread the love