July 27, 2024

Satya News

odia news channel

୨୦୨୩ ସେପ୍ଟେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବ ତାଳଚେର ସାର କାରଖାନା

ନୂଆଦିଲ୍ଲୀ,୮/୨: ୨୦୨୩ ସେପ୍ଟେମ୍ବର ସୁଦ୍ଧା ତାଳଚେର ସାର କାରଖାନା (ତାଳଚେର ଫର୍ଟିଲାଇଜର୍ସ ଲିଃ) କାର୍ଯ୍ୟକ୍ଷମ ହେବ। ଏ ନେଇ ରାଜ୍ୟସଭାରେ ଶୁକ୍ରବାର ସୂଚନା ଦେଇଛନ୍ତି କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଡିଭି ସଦାନନ୍ଦ ଗୌଡ଼ା। ଏ ସଂକ୍ରାନ୍ତରେ ପଚରାଯାଇଥିବା ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଶ୍ରୀ ଗୌଡ଼ା କହିଥିଲେ, ବନ୍ଦହୋଇ ପଡ଼ିରହିଥିବା ଭାରତୀୟ ସାର ନିଗମ ଲିଃ (ଏଫସିଆଇଏଲ)ର ତାଳଚେର ୟୁନିଟକୁ କାର୍ଯ୍ୟକ୍ଷମ କରିବା ଲାଗି ଭାରତ ସରକାର ଏକାଧିକ ପ୍ରସ୍ତାବକୁ କ୍ୟାବିନେଟ ଜରିଆରେ ମଞ୍ଜୁରି ଦେଇଛନ୍ତି। ଏହି ୟୁରିଆ ୟୁନିଟକୁ ପୁନଃ କାର୍ଯ୍ୟକ୍ଷମ କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତିି। ମନ୍ତ୍ରୀ ଆହୁରି ମଧ୍ୟ ସୂଚନା ଦେଇଥିଲେ ଯେ ମେସର୍ସ ପିଡିଆଇଏଲକୁ ସାର କାରଖାନା କାର୍ଯ୍ୟକ୍ଷମ କରିବା ଲାଗି ପ୍ରାକ-ପ୍ରକଳ୍ପ କାର୍ଯ୍ୟକଳାପ ପାଇଁ ପ୍ରକଳ୍ପ ପରିଚାଳନା ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି। ଅଗଷ୍ଟ ୨୦୧୭ରେ ପେଟ୍ କୋକ୍ ଯୋଗାଣ ଲାଗି ଆଇଓସିଏଲ୍ ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଫେବୃଆରୀ ୨୦୧୮ରେ ପ୍ରକଳ୍ପକୁ ପରିବେଶ ମଞ୍ଜୁରି ମିଳିଥିଲାବେଳେ ସେପ୍ଟେମ୍ବର ୨୦୧୮ରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଆର୍‌ସିଏଫ୍ ଇକ୍ୟୁଟି ଯୋଗଦାନ ପାଇଁ ମଞ୍ଜୁରି ଦେଇଥିଲା। ଡିସେମ୍ବର ୨୦୧୮ରେ କ୍ୟାପ୍ଟିଭ କୋଇଲା ଖଣି ପାଇଁ ଖଣି ଆବଣ୍ଟନ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ପ୍ରମୋଟରଙ୍କଠାରୁ ଅନୁମୋଦନ ଲାଭ କରିବା ପରେ ୨୯ ଅଗଷ୍ଟ ୨୦୧୯ରେ ଟିଏଫ୍‌ଏଲ୍ ବୋର୍ଡ ପକ୍ଷରୁ ପ୍ରକଳ୍ପ ପାଇଁ ନିବେଶ ମଞ୍ଜୁରି ଦିଆଯାଇଥିଲା। କୋଇଲା ବାଷ୍ପୀକରଣ ଏବଂ ଆମୋନିଆ ବା ୟୁରିଆ ପ୍ଲାଣ୍ଟ ପାଇଁ ଏଲ୍‌ଏସ୍‌ଟିକେ ଚୁକ୍ତି ୧୧ ଓ ୧୯ ସେପ୍ଟେମ୍ବରରେ ସ୍ୱାକ୍ଷରିତ ହୋଇଥିଲା। ଏଥିସହ ଓଡ଼ିଶା ସରକାରଙ୍କ ଉଚ୍ଚସ୍ତରୀୟ କ୍ଲିଅରାନ୍ସ କର୍ତ୍ତୃପକ୍ଷଙ୍କ ଦ୍ୱାରା ୩୧ ଅଗଷ୍ଟ, ୨୦୧୯ରେ ଟିଏଫଏଲ ପ୍ରକଳ୍ପକୁ ମଞ୍ଜୁରି ମିଳିସାରିଥିବା ମନ୍ତ୍ରୀ ଗୃହକୁ ଜଣାଇଥିଲେ।

Spread the love