February 15, 2026

ଅଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ ନକରିବାକୁ ତୁର୍କୀକୁ ଭାରତର ଚେତାବନୀ

ନୂଆଦିଲ୍ଲୀ,୧୫/୧: ଦେଶର ଅଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ ନକରିବାକୁ ତୁର୍କୀକୁ ଭାରତ ଚେତାବନୀ ଦେଇଛି। କଶ୍ମୀର ପ୍ରସଙ୍ଗରେ ମନ୍ତବ୍ୟ ଦେଇଥିବା ତୁର୍କୀର ରାଷ୍ଟ୍ରପତି ରେଜେପୁ ତାୟିବୁ ଏରୁଦୁଆନ୍‌ଙ୍କୁ ଭାରତ ସମାଲୋଚନା କରିଛି। ଜମ୍ମୁ ଓ କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଂଶ। ତେଣୁ ଏହା ଭାରତର ଅଭ୍ୟନ୍ତରୀଣ ମାମଲା। ଏଥିରେ ହସ୍ତକ୍ଷେପ ନ କରିବାକୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ତୁର୍କୀକୁ ଚେତାବନୀ ଦେଇଛି। ଏ ସମ୍ପର୍କରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର କହିଛନ୍ତି, ପ୍ରକୃତ କାରଣ ନବୁଝି ଭାରତର ଅଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନକରିବାକୁ ଆମେ ତୁର୍କୀର ନେତାଙ୍କୁ କହୁଛୁ। ଭାରତ ଏବଂ କଶ୍ମୀର ପାଇଁ ପାକିସ୍ତାନ ପଟୁ ଆତଙ୍କବାଦର ବିପଦ ରହିଛି ବୋଲି ସେ ଜାଣିବା ଉଚିତ। ସୂଚନାଯୋଗ୍ୟ, ପାକିସ୍ତାନ ପାର୍ଲାମେଣ୍ଟ୍‌ର ମିଳିତ ଅଧିବେଶନରେ କଶ୍ମୀର ପ୍ରସଙ୍ଗରେ ତୁର୍କୀ ସବୁବେଳେ ପାକିସ୍ତାନକୁ ସମର୍ଥନ କରିବ ବୋଲି ତୁର୍କୀର ରାଷ୍ଟ୍ରପତି କହିଥିଲେ। କଶ୍ମୀର ପ୍ରସଙ୍ଗ ପାକିସ୍ତାନ ଏବଂ ତୁର୍କୀ ପାଇଁ ଚିନ୍ତାର କାରଣ ଏବଂ ଭାରତର ଏକତରଫା ନିଷ୍ପତ୍ତି ଫଳରେ କଶ୍ମୀରବାସୀଙ୍କ ସମସ୍ୟା ଆହୁରି ବଢ଼ିଯାଇଥିବା ସେ ପ୍ରକାଶ କରିଥିଲେ। ନିରପେକ୍ଷ ଆଲୋଚନା କରି ସମସ୍ୟାର ସମାଧାନ କରିବାକୁ ସେ ଭାରତକୁ ପରାମର୍ଶ ମଧ୍ୟ ଦେଇଥିଲେ।

Spread the love