January 24, 2026

ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ୱର ଟୁଡୁ

 

ଭୁବନେଶ୍ବର : କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ବିଭାଗ ରାଷ୍ଟ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ସୋମବାରଠାରୁ ୬ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ନୂଆ କରି ମନ୍ତ୍ରୀ ପଦ ପାଇଥିବା ଶ୍ରୀ ଟୁଡୁ ଦାୟିତ୍ବ ନେବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଆସିବେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ଭୁବନେଶ୍ୱର ପହଞ୍ଚିବା ପରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କରି ସିଧାସଳଖ ପୁରୀ ଯିବେ । ପୁରୀରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରିବେ। ଏହା ପରେ ଭୁବନେଶ୍ୱର ଫେରି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେବେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ୭ ତାରିଖ‌ରେ ବାରିପଦା ଯିବେ। ୮ରୁ ୧୧ତାରିଖ ପର୍ଯ୍ୟନ୍ତ ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରରେ ବିଭିନ୍ନ ସ୍ଥାନ ଗସ୍ତ କରି ଦଳୀୟ ଏବଂ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ।

ସୂଚନାଯୋଗ୍ୟ ଯେ ବିଜେପିର ଜନ ଆଶୀର୍ବାଦ ଯାତ୍ରାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ଣବ ଅଗଷ୍ଟ ୧୯ରେ ଓଡ଼ିଶା ଆସିଥିବା ବେଳେ ଅସୁସ୍ଥତା କାରଣରୁ ଶ୍ରୀ ଟୁଡୁ ଓଡ଼ିଶା ଆସି ପାରିନଥିଲେ।

Spread the love