September 19, 2024

Satya News

odia news channel

ଏବେ ନୁହେଁ ଶିଶୁ ଟିକାକରଣ, କେବଳ ପ୍ରସ୍ତୁତି

 

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଟିକାକରଣ କାର୍ଯ୍ୟକ୍ରମ ତ୍ବରାନ୍ବିତ କରାଯାଉଛି। ଡିସେମ୍ବର ସୁଦ୍ଧା ୧୮ବର୍ଷରୁ ଊର୍ଦ୍ଧ୍ବ ବର୍ଗଙ୍କୁ ଟିକାକରଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଆଗାମୀ ଦିନରେ ଶିଶୁମାନଙ୍କୁ ଟିକାକରଣ କରାଯିବା ପାଇଁ ଭାରତ ସରକାରଙ୍କ ଲକ୍ଷ୍ୟ ରହିଛି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଶୁକ୍ରବାର ଆଭାସି ଜରିଆରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ନିଷ୍ପତ୍ତି ଅନୁଯାୟୀ ୧୨ବର୍ଷରୁ ଊର୍ଦ୍ଧ୍ବ ଶିଶୁଙ୍କୁ ‘ଜାଇକୋଭ-ଡି’ ଏବଂ ୨ବର୍ଷରୁ ଊର୍ଦ୍ଧ୍ବ ଶିଶୁଙ୍କୁ ‘କୋଭାକ୍ସିନ୍’ ଟିକା ଦିଆଯିବ। ତେବେ ଶିଶୁଙ୍କୁ ଯେଉଁ ଟିକା ଦିଆଯିବ ସେଥିରେ ଛୁଞ୍ଚି ନ ଥିବ। ବିନା ଛୁଞ୍ଚିରେ କିଭଳି ଶିଶୁଙ୍କୁ ଟିକା ଦିଆଯିବ ସେନେଇ ଭାରତ ସରକାରଙ୍କ ପରାମର୍ଶ କ୍ରମେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୧୦ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ତାଲିମ ଦିଆଯାଇଛି।

ଏ ସମ୍ପର୍କରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ ଡା. ବିଜୟ କୁମାର ପାଣିଗ୍ରାହୀ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଶିଶୁଙ୍କୁ ଟିକା ଦେବାପାଇଁ ପ୍ରସ୍ତୁତି ଓ ତାଲିମ ପ୍ରକ୍ରିୟା ଆରମ୍ଭ ହୋଇଛି। ଭାରତ ସରକାରଙ୍କ ପକ୍ଷରୁ ‘ଜାଇକୋଭ-ଡି’ ଟିକାକୁ ଅନୁମତି ମିଳିଛି। ହେଲେ କେବେ ସୁଦ୍ଧା ଭାରତ ସରକାର ଏହି ଟିକା ପ୍ରଦାନ କରିବେ ଏବଂ ଶିଶୁମାନଙ୍କୁ ଦିଆଯିବ ତାହା ଜଣାପଡିନାହିଁ। ୧୮ବର୍ଷରୁ ଊର୍ଦ୍ଧ୍ବ ବିଭିନ୍ନ ବର୍ଗଙ୍କୁ ଏବେ ଟିକାକରଣ କରାଯାଉଛି ବୋଲି ଡା. ପାଣିଗ୍ରାହୀ କହିଛନ୍ତି।
Spread the love