July 13, 2025

କେତେ ପ୍ରଭାବୀ କରୋନା ଟିକାର ଡବଲ ଡୋଜ୍?

 

ଭୁବନେଶ୍ୱର: କରୋନାକୁ ମାତ୍ ଦେବାକୁ ଟିକା ହିଁ ପ୍ରମୁଖ ଅସ୍ତ୍ର। ଟିକାର ଡବଲ୍ ଡୋଜ୍ ନେଇଥିଲେ କରୋନାରେ ଆକ୍ରାନ୍ତ ହେଲେବି ଗୁରୁତର ହେଉ ନାହାନ୍ତି ରୋଗୀ। ଓଡିଶାରେ ICMR ଦ୍ୱାରା କରାଯାଇଥିବା ଷ୍ଟଡିରୁ ଏହି ତଥ୍ୟ ଆସିବା ପରେ ମିଳିଛି ଆଶ୍ୱସ୍ତି। ସେପଟେ ଟିକା ନେବା ପରେ ବି କେମିତି ହେଉଛି ସଂକ୍ରମଣ, ଆକ୍ରାନ୍ତ ଶରୀରରେ କଣ ରହୁଛି ମହାମାରୀର ପ୍ରଭାବ, ତାହା ଜାଣିବାକୁ ଅନୁଧ୍ୟାନ ଜାରି ରଖିଛି ସ୍ୱାସ୍ଥ୍ୟ ବିଭାଗ। ଗଠନ କରିଥିବା ବୈଷୟକି କମିଟି ସବୁ ଦିଗର ତର୍ଜମା ପାଇଁ ୪ଟି ସବ୍ ଗ୍ରୁପ୍ ଗଠନ କରାଯାଇଛି।

ଟିକାର ପ୍ରଥମ ଡୋଜ୍ ନେବା ପରେ କେତେ ଓ ଡବଲ ଡୋଜ୍ ନେବା ପରେ କେତେ ଲୋକ ଆକ୍ରାନ୍ତ ହେଉଛନ୍ତି, କେତେ ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି ସେ ସଂପର୍କରେ ଜିଲ୍ଲାଓ୍ୱାରୀ ତଥ୍ୟ ସଂଗ୍ରହ ଚାଲିଛି। ଟିକା ନେଇ ସଂକ୍ରମିତ ହେଉଥିବା ବ୍ୟକ୍ତିର ଶରୀରରେ ଆଣ୍ଟିବଡ଼ି ଷ୍ଟାଟସ, ଭୂତାଣୁର କେଉଁ ଭେରିଆଣ୍ଟ ଘଟାଇଛି ସଂକ୍ରମଣ, ଆକ୍ରାନ୍ତଙ୍କ ଶରୀର କି ଲକ୍ଷଣ ଦେଖାଯାଉଛି ଓ ତାଙ୍କ ସ୍ୱାସ୍ଥ୍ୟବସ୍ଥା କେତେ ବିଗୁଡୁଛି ଓ ଏଥିପାଇଁ କି ଚିକିତ୍ସା ଆବଶ୍ୟକ ହେଉଛି, ବୈଷୟିକ କମିଟିର ସବ୍ ଗ୍ରୁପ୍ ଏସବୁ ବିଷୟରେ ଅନୁଧ୍ୟାନ ଜାରି ରଖିଛି।

ତେଣେ ଡାକ୍ତରୀ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶକ, ଡିଏମ୍ଇଟି ସବିକେ ମହାନ୍ତି କହିଛନ୍ତି ଯେ ବର୍ତ୍ତମାନ ସ୍ଥିତିରେ ଭ୍ୟାକସିନ୍ ଫଳପ୍ରଦ ହେଉଛି। ମୃତ୍ୟୁହାର କମୁଛି, ହସ୍ପିଟାଲ ଆସୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି ଓ ରୋଗୀ ଗୁରୁତର ହେଉନାହାନ୍ତି। ତେଣୁ ଅଧିକରୁ ଅଧିକ ଲୋକଙ୍କୁ ଟିକା ଦିଆଗଲେ ସମ୍ଭାବ୍ୟ ତୃତୀୟ ଲହରୁକୁ ଏଡାଇବା ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

କରୋନା ବିରୁଦ୍ଧରେ ଲଢେଇରେ ଟିକା ହିଁ ଏକମାତ୍ର ଆୟୁଧ ହୋଇଥିବାରୁ ଜନ ସଚେତନତା ସୃଷ୍ଟି ସହ ଅଧିକରୁ ଅଧିକ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି। ଏହାଦ୍ୱାରା ସମ୍ଭାବ୍ୟ ତୃତୀୟ ଲହରକୁ ପ୍ରତିହତ କରାଯାଇପାରିବ ବୋଲି ବିଶେଷଜ୍ଞ କହୁଛନ୍ତି।

Spread the love