July 13, 2025

ଗୋଟିଏ ଆମ୍ବର ଦାମ୍‌ ୧ ହଜାର ଟଙ୍କା

 

ଭୋପାଳ: ସାଧାରଣ ଭାବରେ ଖରାଦିନରେ ଆମ୍ବର ଦରଦାମ କମ୍ ରହେ। କାରଣ ଏହି ସମୟରେ ଆମ୍ବର ଉତ୍ପାଦନ ଅଧିର ରହେ। କିନ୍ତୁ ଯେତେବେଳେ ଶୁଣାଯାଏ କି ଗୋଟିଏ ଆମ୍ବର ଦାମ୍‌ ୧ ହଜାର ଟଙ୍କା? ସେତେବେଳେ ହୁଏତ ଏପରି ଖବରକୁ ଆପଣ ବିଶ୍ୱାସ କରିପାରିବେ ନାହିଁ। କାରଣ ଗୋଟିଏ ଆମ୍ବର ଦାମ ଏତେ ଟଙ୍କା କେବେ ହେବ ନାହିଁ ବୋଲି ଆପଣ ଭାବୁଥିବେ। କିନ୍ତୁ ଏହା ପୂରା ସତ। ମିଳିଥିବା ସୂଚନା ଅନୁସାରେ,  ମଧ୍ୟପ୍ରଦେଶର ଅଲିରାଜପୁର ଜିଲ୍ଲାରେ ଉତ୍ପାଦନ ହେଉଥିବା ‘ନୂର୍‌ଜହାଁ’ ନାମକ ଆମ୍ବ ଗତବର୍ଷ ତୁଳନାରେ ଏଥର ଗୁଣ, ସଂଖ୍ୟା, ଆକାର ଏବଂ ମୂଲ୍ୟରେ ଖୁବ୍ ଅଗ୍ରଗତି ହାସଲ କରିଥିବା କଥା ତୋଟା ମାଲିକମାନେ କହୁଛନ୍ତି। ରବିବାର ଦିନ ଜଣେ କୃଷକ କହିଛନ୍ତି, ଏଥର ପାଗଯୋଗ ଅନୁକୂଳର ରହିବାରୁ ‘ନୂର୍‌ଜହାଁ’ ଆମ୍ବ ଗୋଟିକୁ ୫୦୦ ରୁ ୧୦୦୦ ଟଙ୍କା ଦରରେ ବିକ୍ରି କରାଯାଉଛି।

ସୂଚନାଯୋଗ୍ୟ, ଜାନୁଆରି-ଫେବ୍ରୁଆରିରେ ବଉଳୁଥିବା ‘ନୂର୍‌ଜହାଁ’ ଆମ୍ବଗଛରେ ଜୁନ୍ ଆରମ୍ଭ ବେଳକୁ ଫଳ ତୋଳାଯାଏ। ଗୋଟିଏ ‘ନୂର୍‌ଜହାଁ’ ଆମ୍ବ ଲମ୍ବାରେ ୧ଫୁଟ୍‌ ପର୍ଯ୍ୟନ୍ତ ବଢ଼ିପାରେ। ଏଥିରେ ଥିବା ଟାକୁଆର ଓଜନ ହେଉଛି ୧୫୦ ରୁ ୨୦୦ ଗ୍ରାମ୍। ତେବେ ଏହି ପ୍ରକାର ଆମ୍ବ ଖାଇବାକୁ ଲୋକଙ୍କ ଭିଡ଼ ଜମୁଥିବା ବି ଚାଷୀ କହିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଆମ୍ବ ମଧ୍ୟ ବିଦେଶକୁ ରପ୍ତାନୀ ହେଉଛି। ଏତେ ବଡ଼ ଆମ୍ବ ହେଉଥିବାରୁ ତାହାକୁ ଦେଖିବାକୁ ମଧ୍ୟ ଅନେକ ଲୋକ ଆସୁଥିବା ଚାଷୀ କହିଛନ୍ତି। ଅନେକ ଲୋକେ ଏହାକୁ ବିଶ୍ୱାସ ମଧ୍ୟ କରୁନାହାନ୍ତି ଯେ, ଏତେ ବଡ଼ ଆମ୍ବ ଗଛରେ ଫଳୁଛି କେମିତି? କିନ୍ତୁ ଯିଏ ସେହି ସ୍ଥାନକୁ ଯାଇଛି ସିଏ ଜାଣିଛି ପ୍ରକୃତରେ ସତ କଣ?
Spread the love