September 19, 2024

Satya News

odia news channel

ଛଉନୃତ୍ୟ ଜଗତରେ ଶୋକର ଛାୟା; ୯୪ ବର୍ଷରେ ବିଶିଷ୍ଟ ବଂଶି ବାଦକ ବାବାଜି ଦାସଙ୍କ ପରଲୋକ

 

ବାରିପଦା ୨୬/୦୮: ମୟୁରଭଞ୍ଜ ବିଶ୍ୱ ପ୍ରସିଦ୍ଧ ଛଉ ନୃତ୍ୟର ବିଶିଷ୍ଟ ବଂଶୀବାଦକ ବାବାଜୀ ଦାସଙ୍କ ଶୁକ୍ରବାର ପରଲୋକ ହୋଇଛି। ୯୪ ବର୍ଷରେ ତାଙ୍କରର ମୃତ୍ୟୁ ହୋଇଛି। ମୟୁରଭଞ୍ଜ ଜିଲ୍ଲାରେ ଛଉ ନୃତ୍ୟର ବିଶିଷ୍ଠ ବଂଶୀବାଦକ ବାବାଜୀ ଦାସ ଜିଲ୍ଲା ପ୍ରଶାସନ ଦ୍ୱାରା ପୁରସ୍କୃତ ହୋଇଥିଲେ। ୧୯୭୦ ମସିହାରେ ଉତ୍ତର ସାହି ଛଉନୃତ୍ୟ ପ୍ରତିଷ୍ଠାନରେ ବାବାଜୀ ପ୍ରଥମେ ବଂଶୀ ବାଦକ ଭାବେ ଯୋଗ ଦେଇଥିଲେ। ୦୨ ବର୍ଷ ପରେ ୧୯୭୨ ମସିହାରେ ସେ ଦକ୍ଷିଣ ସାହି ଛଉ ନୃତ୍ୟ ମନ୍ଦିରକୁ ଆସିଥିଲେ ଓ ୨୦୨୨ ପର୍ଯ୍ୟନ୍ତ ଦକ୍ଷିଣ ସାହିର କଳାକାର ଭାବେ କାର୍ଯ୍ୟରତ ଥିଲେ। ବାବାଜୀ ନୂଆ ପୁରୁଣା ଅନେକ ନୃତ୍ୟରେ ତାଙ୍କର ବଂଶୀ ବାଦନରେ ଦର୍ଶକଙ୍କୁ ବିମୋହିତ କରିଛନ୍ତି। ଅଧିକ ବୟସ ସତ୍ତ୍ୱେବି ଚୈତ୍ରପର୍ବ ୨୦୨୨ ରେ ରାତିସାରା ମଞ୍ଚ ଧାରରେ ଠିଆ ହୋଇ ବଂଶୀ ବଜାଇ ସମସ୍ତଙ୍କୁ ସେ ବିମୋହିତ କରିଥିଲେ।

ରାଜ୍ୟ ତଥା ରାଜ୍ୟ ବାହାରେ ଅନେକ ସ୍ଥାନରେ ସେ ଛଉନୃତ୍ୟ ଦଳ ସହ ଯାଇ ନିଜର ପ୍ରତିଭା ପ୍ରଦର୍ଶନ କରି ସୁନାମ ଅର୍ଜନ କରିଥିଲେ। ତାଙ୍କ ଭଳି ଜଣେ ସ୍ନେହୀ, ସରଳ, ପ୍ରତିଭାଶାଳୀ କଳାକାରଙ୍କୁ ହରାଇ ସମସ୍ତେ ମର୍ମାହତ ହୋଇ ପଡ଼ିଛନ୍ତି। ସେ ରାଜା ରାଜୁଡ଼ା ଅମଳରୁ ଛଉ ନୃତ୍ୟରେ ବଂଶୀ ବାଦକ ଭାବେ କାର୍ଯ୍ୟ କରିଛନ୍ତି। ତାଙ୍କ ପରି ଆଉ ବଂଶୀ ବାଦକ ମିଳିବା ଅସମ୍ଭବ ବୋଲି ଛଉ ନୃତ୍ୟ କଳାକାର ମାନେ ମତବ୍ୟକ୍ତ କରିଛନ୍ତି। ତେବେ ଆଜି ତାଙ୍କର ବାରିପଦାରେ ଥିବା ବାସଭବନରେ ମୃତ୍ୟୁ ହୋଇଥିଲା। ତାଙ୍କୁ ଶେଷ ଦର୍ଶନ ପାଇଁ ବହୁ ମାନ୍ୟଗନ୍ୟ ବ୍ୟକ୍ତିଙ୍କ ସହିତ ଛଉ ନୃତ୍ୟ କଳାକାର ମାନେ ଶେଷ ଦର୍ଶନ କରିଛନ୍ତି। ବାବାଜିଙ୍କ ମୃତ୍ୟୁ ପରେ ସାରା ମୟୂରଭଞ୍ଜରେ ଶୋକର ଛାୟା ଖେଳିଯାଇଛି। ବାବାଜିଙ୍କ ମୃତ୍ୟୁ ସଜ୍ଜା ନିକଟରେ ତାଙ୍କର ସମସ୍ତ ପରିବାର ସଦସ୍ୟ ଉପସ୍ଥିତ ଥିଲେ।

Spread the love