July 8, 2025

ପାଣି ପାଇଁ ତାତିଲେ ମହିଳା, ଗରା-ବାଲଟି ଧରି ଅବରୋଧ କଲେ ଜାତୀୟ ରାଜପଥ

 

ଖଲ୍ଲିକୋଟ ୭।୭: ୧୬ ନଂ ଜାତୀୟ ରଜପଥ ସମ୍ପ୍ରସାରଣ ଚାଲିଥିବା ବେଳେ ଠିକା ସଂସ୍ଥା ଲଙ୍ଗଳେଶ୍ବର ଯାଇଥିବା ପାନୀୟ ଜଳ ପାଇପକୁ କାଟି ଦେଇଥିଲେ । ଦୀର୍ଘ ୬ମାସ ପରେ ମଧ୍ୟ ସଂପୃକ୍ତ ଠିକା ସଂସ୍ଥା ପାଇପର ପୁନଃ ସଂଯୋଗ କାମ ନକରିବାରୁ ଲଙ୍ଗଳେଶ୍ବରବାସୀ ପାନୀୟ ଜଳ ନପାଇ ବହୁ ସମସ୍ୟାର ସମ୍ମୁଖୀନ ହେଉଥିଲେ । ବାରମ୍ବାର ଜାତୀୟ ରାଜପଥ ଠିକା ସଂସ୍ଥା ବ୍ଲକ୍ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ଜଣାଇଥିଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ଦେଇନଥିଲେ ।

ବର୍ତ୍ତମାନ ବର୍ଷା ଅଭାବରୁ ସ୍ଥାନୀୟ ଅଞ୍ଚଳର କୂଅ ପୋଖରୀ ସବୁ ଶୁଖିଲା ପଡ଼ିଥିବାରୁ ଗ୍ରାମଠାରୁ ଦୀର୍ଘ ଦୁଇ କିଲୋମିଟର ଦୂରରେ ଥିବା କଳାଝର ନଦୀରୁ ମହିଳାମାନେ ପାଦରେ ଚାଲିଚାଲି ଯାଇ ଦୂଷିତ ଜଳ ଆଣି ପାନୀୟ ଜଳ ଭାବେ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ପାନୀୟ ଜଳ ସମସ୍ୟାର ପ୍ରତିବାଦରେ ସମାଜସେବୀ ଅହଲ୍ୟା ଜେନାଙ୍କ ନେତୃତ୍ବରେ ଗ୍ରାମର ଶତାଧିକ ମହିଳା ଗରା ବାଲଟି ଧରି ଜାତୀୟ ରାଜପଥରେ ରଖି ରାସ୍ତା ଅବରୋଧ କରିଥିଲେ । ରାସ୍ତା ଅବରୋଧ ଫଳରେ ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ମଟର ଅଟକି ରହିଥିଲା ।

ଖବର ପାଇ ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଭେଜିପୁଟ ଫାଣ୍ଡି ଅଧିକାରୀ ମନୋଜ କୁମାର ପ୍ରଧାନ ଏଏସଆଇ ଅଶୋକ କୁମାର ବେହେରା, ଭେଜିପୁଟ ଆରଆଇ ରମେଶ ଚନ୍ଦ୍ର ଜେନା ପହଞ୍ଚି ଉତ୍ତ୍ୟକ୍ତ ମହିଳାଙ୍କୁ ବୁଝାସୁଝା କରିବା ସହ ଯଥାଶୀଘ୍ର ପାନୀୟ ଜଳ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ପରେ ରାସ୍ତାରୋକ ହଟିଥିଲା ।

Spread the love