September 19, 2024

Satya News

odia news channel

ପୁରୀ ନୀଳାଚଳ ହାଟରେ ସ୍ୱତନ୍ତ୍ର ହସ୍ତତନ୍ତ ମେଳା, ଗ୍ରାହକଙ୍କ ପାଇଁ ୧୦% ରିହାତି

 

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଅନୁମୋଦିତ ବାର୍ଷିକ ତାଲିକା ହିସାବରେ ଏ ବର୍ଷ ସମ୍ବଲପୁରୀ ବସ୍ତ୍ରାଳୟ ଦ୍ୱାରା ଏକ ସ୍ୱତନ୍ତ୍ର ହସ୍ତତନ୍ତ ମେଳା-୨୦୨୨ ପୁରୀସ୍ଥିତ ନୀଳାଚଳ ହାଟଠାରେ ଆୟୋଜନ କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କରେ ଜଡ଼ିତ ଥିବା ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ଲୁଗାର ବିକ୍ରୟ ବୃଦ୍ଧି କରି ତାଙ୍କୁ ନିୟମିତ କାମ ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କ ‘ପୋହି ୨୦୨୨-୨୩’ ଯୋଜନାରେ ଏହା ଅନୁଷ୍ଠିତ ହୋଇଛି । ଏହି ମେଳାରେ ରାଜ୍ୟର ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୩୦୦ ମହିଳା ବୁଣାକାର ଓ ସମ୍ବଲପୁରୀ ବସ୍ତ୍ରାଳୟ ଅଧୀନରେ କାମ କରୁଥିବା ୪୦୦ ଜଣ ମହିଳା ବୁଣାକାର ତାଙ୍କର ଉତ୍ପାଦିତ ଲୁଗା ବିିକି୍ର କରିବାର ସୁବିଧା ପାଇବା ସଙ୍ଗେ ସଙ୍ଗେ ରୋଜଗାର ପାଇପାରିବେ। ଏହା ସେମାନଙ୍କୁ ନିଜର କଳା ଓ କୌଶଳକୁ ଗ୍ରାହକମାନଙ୍କ ଆଗରେ ଉତ୍‌ଥାପନ କରିବା ସଙ୍ଗେ ସଙ୍ଗେ ସେମାନଙ୍କଠାରୁ ଡିଜାଇନର ଉନ୍ନତିକରଣ ଓ ରଙ୍ଗ ସଜ୍ଜା ଉପରେ ମତାମତ ପାଇପାରିବେ।

ଏହି ମେଳାରେ ସମ୍ବଲପୁରୀ ବସ୍ତ୍ରାଳୟ ସହ ରାଜ୍ୟର ବରଗଡ଼, କଟକ, ସୋନପୁର, ଆଠଗଡ଼, ଢେଙ୍କାନାଳ, ବାରିପଦା, ଖୋର୍ଦ୍ଧା, ନୟାଗଡ଼, କଳାହାଣ୍ଡି, ବଲାଙ୍ଗୀର ଓ ବୌଦ୍ଧ ବୟନମଣ୍ଡଳମାନଙ୍କରୁ ୨୨ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସେମାନଙ୍କର ଉତ୍ପାଦିତ ଲୁଗାର ପ୍ରଦର୍ଶନୀ ଓ ବିକ୍ରୟ କରିବା ପାଇଁ ଯୋଗଦାନ କରିଛନ୍ତି ତଥା ୧୧ଟି ହସ୍ତଶିଳ୍ପ କାରିଗର ଯୋଗଦାନ କରିଛନ୍ତି। ଏଥି ସକାଶେ ସେମାନଙ୍କୁ ୩୩ଟି ଦେୟମୁକ୍ତ ଷ୍ଟଲ ପ୍ରଦାନ କରାଯାଇଛି। ଏହି ସ୍ୱତନ୍ତ୍ର ହସ୍ତତନ୍ତ ମେଳା ଚଳିତ ମାସ ୧୫ ତାରିଖ ପର୍ଯ୍ୟନ୍ତ ଚାଲୁରହିବ। ଏହି ନୀଳାଚଳ ହାଟରେ ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗଙ୍କ ପ୍ରଚେଷ୍ଟାରେ ୨୦୨୨ ଜୁନ୍‌ ୧୦ରୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ହସ୍ତତନ୍ତ ବୁଣାକାର/ସଂସ୍ଥା ଓ ହସ୍ତଶିଳ୍ପ କାରିଗର ଭାଗ ନେଇ ଯଥାକ୍ରମେ ୯୮.୪୮ ଲକ୍ଷ ଟଙ୍କା ଓ ୧୪.୯୬ ଲକ୍ଷ ଟଙ୍କା, ଏହିପରି ମୋଟ ୧୦୩.୪୪ ଲକ୍ଷ ଟଙ୍କାର କାରବାର କରିପାରିଛନ୍ତି, ଯାହାକି ଏକ ଯୁଗାନ୍ତକାରୀ ପଦକ୍ଷେପ ଅଟେ। ଉକ୍ତ ଅବଧି ମଧ୍ୟରେ ଏକାମ୍ର ହାଟ ମଧ୍ୟକୁ ୧.୧୪ ଲକ୍ଷ ଲୋକ ଆଗମନ କରିଛନ୍ତି। ଚଳିତ ମାସ ୧ ତାରିଖରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ମେଳାରେ ଗ୍ରାହକମାନେ ରାଜ୍ୟର ବିଭିନ୍ନ ପ୍ରାନ୍ତର ଉତ୍ପାଦିତ ହସ୍ତତନ୍ତ ଲୁଗା ସୁଲଭ ମୂଲ୍ୟରେ ୧୦% ସରକାରୀ ରିହାତିରେ କିଣିପାରିବେ। ଏହାର ସୁଯୋଗ ନେବା ପାଇଁ ସମିତି ତରଫରୁ ଗ୍ରାହକମାନଙ୍କୁ ଅନୁରୋଧ କରାଯାଇଛି।

Spread the love