November 22, 2024

Satya News

odia news channel

ବନ୍ୟା ପ୍ରଭାବିତ ଗାଁ ବୁଲିଲେ ବିଧାୟକ ପ୍ରଣବ ପ୍ରକାଶ ଦାସ, ମୃତକଙ୍କ ପରିବାରକୁ ପ୍ରଦାନ କଲେ ଆର୍ଥିକ ସହାୟତା

 

ମୋରଡା ୨୩।୯: ଲଘୁଚାପ ଜନିତ ଲଗାଣ ବର୍ଷା ପରେ ଜଳକା ନଦୀରେ ବନ୍ୟା ବିଭୀଷିକା । ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଓ ରାସଗୋବିନ୍ଦପୁର ବ୍ଲକର ୪୯ରୁ ଉର୍ଦ୍ଧ୍ବ ଗାଁ  ପ୍ରଭାବିତ।  ଉପର ମୁଣ୍ଡରେ ବାଦଲ ଫଟା ବର୍ଷା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଜଳକା ନଦୀରେ ହଠାତ ପାଣି ବଢି ବନ୍ୟା ହୋଇଥିଲା। ତେବେ ମୋରଡ଼ା ବ୍ଲକ ଅଞ୍ଚଳରୁ ଜଳକା ନଦୀରେ ଜଳସ୍ତର ଧୀରେ ଧୀରେ ଖସୁଥିବା ବେଳେ ରାସଗୋବିନ୍ଦପୁର ବ୍ଲକର ୨୦ରୁ ଉର୍ଦ୍ଧ୍ବ ଗାଁର ଲୋକେ ଏବେ ପାଣି ଘେରରେ। ନଦୀରେ ହଠାତ୍ ପାଣି ବଢିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଅନ୍ୟପକ୍ଷରେ ଶତାଧିକ କଚ୍ଚା ଘର ଭାଙ୍ଗିଯାଇଥିବା ବେଳେ ଚାଷ ଜମିରେ ପାଣି ମାଡ଼ି ନଷ୍ଟ ହୋଇଛି ।

ଏଭଳି ସ୍ଥିତିରେ ରାସଗୋବିନ୍ଦପୁର ବ୍ଲକର ଭେଡିସାହି, ପଦ୍ମତୋଳିଆ, ମୁରୁଡ଼ା, ହାଣ୍ଡିଧୁଆ, ପାଞ୍ଚମାଣିଆ, ଡୁହିଲପୁରା, ପିଙ୍ଗୁଡି,ଭୋଗବାଟି, ଏକତାଲି, ସାତଶଗଡ଼ିଆ ଆଦି ୨୦ରୁ ଉର୍ଦ୍ଧ୍ବ ଗାଁ ଲୋକେ ପାଣି ଘେରରେ ରହିଛନ୍ତି।  ରାସଗୋବିନ୍ଦପୁର ବ୍ଲକ ଜମ୍ଭୀରା ନଦୀ କୂଳରେ ଥିବା ବିଭିନ୍ନ ଗାଁରୁ ଓଡ୍ରାଫ ଟିମ୍ ଦ୍ବାରା ଗ୍ରାମବାସୀଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ଜଳବନ୍ଦୀ ମୋରଡା ଓ ହାଣ୍ଡିଧୂଆ ଗ୍ରାମରେ ରନ୍ଧା ଖାଦ୍ୟ ଏବଂ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିବା ଦେଖିବାକୁ ମିଳିଛି। ରାସଗୋବିନ୍ଦପୁର ତହସିଲଦାର ସ୍ଥିତି ଅନୁଧ୍ୟାନ ଆରମ୍ଭ କରିଛନ୍ତି। ତେବେ କ୍ଷୟକ୍ଷତି ଆକଳନ ଚାଲିଛି ବୋଲି କହିଛନ୍ତି । ମହାମାରୀ କରୋନାରେ ଲୋକଙ୍କ ଆର୍ଥିକ ସ୍ଥିତି ଭୁଶୁଡି ପଡିଥିବା ବେଳେ ଏବେ ବନ୍ୟା ବିଭୀଷିକା ଏ ଅଞ୍ଚଳବାସୀଙ୍କ ଉପରେ ବେଡି ଉପରେ କରୋଡ଼ା ସଦୃଶ ହୋଇଛି। ବନ୍ୟା କ୍ଷତିଗ୍ରସ୍ତ ଲୋକେ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି। ବାରମ୍ବାର ବନ୍ୟା ହେଉଥିବା ଯୋଗୁଁ ବାତ୍ୟା ଆଶ୍ରୟସ୍ଥଳୀ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

ଅନ୍ୟପଟେ ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ବନ୍ୟାଞ୍ଚଳ ପରିଦର୍ଶନରେ ଆସି ମୋରଡ଼ାରେ ପହଞ୍ଚିଛନ୍ତି। ମୋରଡ଼ାରୁ ପ୍ରଥମେ ପଳାଶମୁଣ୍ଡଳୀ ପଞ୍ଚାୟତ ଗସ୍ତରେ ଯାଇ ମାଟି କାନ୍ଥରେ ଚାପି ହୋଇ ମୃତା କାଞ୍ଚନିଙ୍କ ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇବା ସହ ୫୦ହଜାର ଟଙ୍କାର ସହାୟତା ଯୋଗାଇ ଦେଇଛନ୍ତି। ତେବେ ମା’ ଛେଉଣ୍ଡ ଶିଶୁ କନ୍ୟାକୁ ରାଜ୍ୟସଭା ସାଂସଦ ମମତା ମହାନ୍ତ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ କିନ୍ତୁ ପରିବାର ଲୋକେ ରାଜି ହୋଇନଥିଲେ । ପରେ ମୋରଡ଼ା ପଞ୍ଚାୟତ ଅନ୍ତର୍ଗତ ପାଞ୍ଚଗଛିଆ ବନ୍ୟା ଘେରି ଗ୍ରାମ ପରିଦର୍ଶନ କରି ଲୋକଙ୍କ ସ୍ଥିତି ଅନୁଧ୍ୟାନ କରିଥିଲେ। ନୂତନ ବାତ୍ୟା ଆଶ୍ରୟସ୍ଥଳୀ ଏବଂ ପକ୍କା ବନ୍ଧର ପ୍ରତିଶ୍ରୁତି ଦେଇଛନ୍ତି । ଶେଷରେ ରାସଗୋବିନ୍ଦପୁର ବ୍ଲକର ବନ୍ୟାଞ୍ଚଳ ପରିଦର୍ଶନରେ ଯାଇଛନ୍ତି । ଏହି ଗସ୍ତ ସମୟରେ ମୋରଡ଼ା ବିଧାୟକ ରାଜକିଶୋର ଦାସ, ରାଜ୍ୟସଭା ସାଂସଦ ମମତା ମହାନ୍ତ, କୃଷିଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତିଙ୍କ ସମେତ ବିଭିନ୍ନ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିବା ଦେଖିବାକୁ ମିଳିଛି।

Spread the love