September 13, 2025

ବୃକ୍ଷ ଆମର ବନ୍ଧୁଟିଏ: ଜୟପୁର ସମ୍ବାଦ ସାହିତ୍ୟ ଘର ପକ୍ଷରୁ ୧୦୦ ଚାରାରୋପଣ

 

ଜୟପୁର: ଭାଷା ବିନା ସାହିତ୍ୟର ସତ୍ତା ନାହିଁ। ତେଣୁ ଭାଷାକୁ ବଞ୍ଚାଇବାକୁ ହେଲେ, ତା’ର ପ୍ରଚାରପ୍ରସାର କରିବାକୁ ହେବ। ଠିକ୍‌ ସେମିତି, ଏକ ସୁସ୍ଥ ସୁନ୍ଦର ସମାଜ ଗଠନ କରିବାକୁ ହେଲେ ଆମ ପରିବେଶକୁ ସବୁଜ ସୁନ୍ଦର କରିବାକୁ ପଡ଼ିବ। ସେହି ପରିବେଶର ସୁରକ୍ଷା ପାଇଁ ଜୟପୁର ‘ସମ୍ବାଦ ସାହିତ୍ୟଘର’ ଏକ ସଂକଳ୍ପ ନେଇ ସୃଜନ ଓ ସବୁଜିମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହା ଦ୍ବାରା ପରିବେଶର ଶୁଦ୍ଧତା ଆଣିବା ସହ ଅକ୍ସିଜେନ୍‌ର ପରିମାଣ ମଧ୍ୟ ବୃଦ୍ଧି ହୋଇପାରିବ।

ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କାଙ୍କ ମାର୍ଗଦର୍ଶନରେ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଆଜି ଜୟପୁର ବ୍ଲକ ଅନ୍ତର୍ଗତ ବାରିଣୀପୁଟ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ପରିସରରେ ୧୦୦ରୁ ଅଧିକ ବିଭିନ୍ନ କିସମର ଚାରା ରୋପଣ କରାଯାଇଛି। ଆଜିର ବନ୍ଧୁତ୍ବ ଦିବସରେ ସାହିତ୍ୟଘରର ସଦସ୍ୟମାନେ ବୃକ୍ଷ ସହ ବନ୍ଧୁତା କରିବା ପାଇଁ ସତେ ଯେମିତି ଆଗଭର ହୋଇପଡ଼ିଥିଲେ।

ସମ୍ବାଦ ସାହିତ୍ୟ ଘରର ସମ୍ପାଦକ ଯଜ୍ଞେଶ୍ବର ପଣ୍ଡାଙ୍କ ନେତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବ‌େ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ବିଶିଷ୍ଟ ସାହିତ୍ୟିକ ମନମୋହନ ଆଚାର୍ଯ୍ୟ ଯୋଗ ଦେଇ ବୃକ୍ଷର ଉପକାରିତା ଉପରେ ଆ‌ଲୋକପାତ କରିଥିଲେ। ଏଥିରେ ଶିକ୍ଷକ ନିରଞ୍ଜନ ସାହୁ, ସମ୍ବାଦ ସହର ପ୍ରତିନିଧି ସୁରେଶ କୁମାର ନାଇଡୁ ଓ ଜ୍ଞାନଚାନ୍ଦ ଜଗନ୍ନାଥ, ଉପସଭାପତି ଜାନକୀ ପାଣିଗ୍ରାହୀ, ମଦନମୋହନ ନାୟକ, କାର୍ଯ୍ୟକାରିଣୀ ସଦସ୍ୟ ବିଜୟଲକ୍ଷ୍ମୀ ପାଣିଗ୍ରାହୀ, କବିତା ସାହୁ, ଶୋଭାଗିନୀ ନନ୍ଦ, କୋଷାଧ୍ୟକ୍ଷ ଅବିନାଶ ସାନ୍ତ୍ରାପାତ୍ର, ସନ୍ତୋଷ ସାହୁ, ଅଶୋକ କୁମାର ପ‌ୋଲେଇ, ହରିବୋଲ ଛତର, ଭାସ୍କର ଚନ୍ଦ୍ର ସିଂ, ଶ୍ୟାମଘନ ଗୌଡ, ଅଶୋକ ବୈରୀଗଞ୍ଜନ ଓ ହାଡିବନ୍ଦୁ ସେଠୀ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରିଥିବା ବେଳେ ବିଦ୍ୟାଳୟର କର୍ମଚାରୀମାନେ ଏଥିରେ ସହଯୋଗ କରିଥିଲେ।

Spread the love