
ବ୍ରହ୍ମପୁର: ଚିଟ୍ଫଣ୍ଡ ମାମଲାର ତ୍ବରିତ ବିଚାରଣା ପାଇଁ ବ୍ରହ୍ମପୁରରେ ରହିଛି ସ୍ବତନ୍ତ୍ର କୋର୍ଟ। ଓପିଆଇଡି ଆକ୍ଟ୍-୨୦୧୧ ଅନୁସାରେ ପ୍ରତିଷ୍ଠା ହୋଇଥିବା ଏହି କୋର୍ଟରେ ପ୍ରାୟ ୧୨୦ଟି ମାମଲା ବିଚାରାଧୀନ ରହିଛି। ପୂର୍ବରୁ ୧୦ଟି ମାମଲାର ବିଚାରଣା ସମାନ୍ତ ହୋଇ ରାୟ ପ୍ରକାଶ ପାଇ ସାରିଛି। ୧୦ଟି ମାମଲା ମଧ୍ୟରୁ ୯ଟି ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଗୋଟିଏ ମାତ୍ର ମାମଲାରେ ଅଭିଯୁକ୍ତ ନିର୍ଦ୍ଦୋଷ ହୋଇଥିବା ସୂଚନା ମିଳିଛି। ଆବଶ୍ୟକ ସାକ୍ଷ୍ୟ ପ୍ରମାଣ ଦାଖଲ ସହିତ ସରକାରୀ ଓକିଲ ବିଜୟ ପ୍ରଧାନଙ୍କ ମାମଲା ପରିଚାଳନାରେ ଦକ୍ଷତା ଏବଂ ବଳିଷ୍ଠ ଯୁକ୍ତି ଉପସ୍ଥାପନା ଶୈଳୀ ଯୋଗୁଁ ୧୦ଟି ମାମଲାରୁ ୯ଟି ମାମଲାରେ ଦୋଷୀଙ୍କୁ ଦଣ୍ଡାଦେଶ ହୋଇଛି ବୋଲି କହିବା ଅତ୍ୟୁକ୍ତି ହେବ ନାହିଁ।
ବ୍ରହ୍ମପୁରରେ ବିଗତ ବର୍ଷରେ ବହୁ ଚିଟ୍ଫଣ୍ଡ ସଂସ୍ଥା ଖୋଲିଥିଲା। ଏହି ଚିଟ୍ଫଣ୍ଡ ସଂସ୍ଥାରେ ଟଙ୍କା ବିନିଯୋଗ କଲେ ଅଧିକ ସୂଧ ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଏଭଳି ମିଥ୍ୟା ପ୍ରତିଶ୍ରୁତି ଦେଇ ବହୁ ସଂସ୍ଥା ସାଧାରଣ ଲୋକଙ୍କ କୋଟି କୋଟି ଟଙ୍କା ହଡ଼ପ୍ କରି ନେଇଥିଲେ। ଗତ ୨୦୧୦ ପରେ ଗୋଟିଏ ପରେ ଗୋଟିଏ ସଂସ୍ଥାର କଳା କାରନାମା ପଦାକୁ ଆସିଥିଲା। ବହୁ ସଂସ୍ଥା ଲୋକଙ୍କ ଟଙ୍କା ଫେରାଇ ନଥିଲେ। ଫଳରେ ଜମାକାରୀ ସଂସ୍ଥା କାର୍ଯ୍ୟାଳୟ ଘେରାଉ କରି ଥାନାରେ ଏତଲା ଦେଇଥିଲେ। ଧୀରେ ଧୀରେ ଚିଟ୍ଫଣ୍ଡ ସଂସ୍ଥାଗୁଡ଼ିକ ବନ୍ଦ ହୋଇଥିଲା। କେତେକ ମାମଲା କ୍ରାଇମ୍ବ୍ରାଞ୍ଚ ଦ୍ବାରା ତଦନ୍ତ କରାଯାଇଥିବା ବେଳେ ଆଉ କେତେକ ମାମଲା ସ୍ଥାନୀୟ ପୁଲିସ ଦ୍ବାରା ତଦନ୍ତ କରି କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ଏଭଳି ମାମଲାର ତ୍ବରିତ ବିଚାରଣା କରିବା ପାଇଁ ଗତ ୨୦୧୫ରେ ବ୍ରହ୍ମପୁରରେ ପ୍ରତିଷ୍ଠା ହୋଇଥିଲା ସ୍ବତନ୍ତ୍ର ଚିଟ୍ଫଣ୍ଡ କୋର୍ଟ। ଏହି କୋର୍ଟରେ ଗ୍ରିନ୍ଇଣ୍ଡିଆ, ଓସ୍କାର୍, ଏଟି ଗ୍ରୁପ୍, ଦାତୁମ ଓ ରାମକ୍ରିଷ୍ଣା ଇଲେକ୍ଟ୍ରୋ କଣ୍ଟ୍ରୋଲ୍ ଫାଇନାନ୍ସ ଲିମିଟେଡ୍ ଭଳି ଚିଟ୍ଫଣ୍ଡ ସଂସ୍ଥାର ମାମଲା ବିଚାରଣା ଚାଲିଛି। ବର୍ତ୍ତମାନ ସୁଦ୍ଧା ୧୦ଟି ମାମଲାରୁ ୯ଟି ମାମଲାରେ ଅଭିଯୁକ୍ତମାନେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍