September 20, 2024

Satya News

odia news channel

ଭାରତ ସୀମାରେ ଚୀନ୍‌ ଯୁଦ୍ଧ ବିମାନ ଦ୍ବିଗୁଣିତ

 

ନୂଆଦିଲ୍ଲୀ : ଭାରତ ସୀମା ସଂଲଗ୍ନ ବିମାନଘାଟିରେ ଚୀନ ଏହାର ଯୁଦ୍ଧବିମାନ ମୁତୟନକୁ ଦ୍ବିଗୁଣିତ କରିଛି। ପୂର୍ବ ଲଦାଖରେ ସୀମା ବିବାଦକୁ ନେଇ ଚୀନ ବାୟୁସେନା ଏହାର ହୋଟନ ବିମାନଘାଟିକୁ ମୁଖ୍ୟତଃ ବ୍ୟବହାର କରିଆସୁଛି। ଏହି ବିମାନ ଘାଟିରେ ଏବେ ପ୍ରାୟ ୨୫ଟି ଯୁଦ୍ଧବିମାନ ମୁତୟନ କରାଯାଇଛି। ଯାହା
ନିୟମିତ ଯୁଦ୍ଧବିମାନ ମୁତୟନ ଠାରୁ ଦୁଇଗୁଣ ଅଧିକ। ଏହା ସହିତ କାଶଗର ଓ ନାଗରି ଗୁନସା ବିମାନଘାଟିକୁ ଚୀନ ବିକଶିତ କରିଛି। ପୂର୍ବ ଲଦାଖରେ ଚୀନ ସେନାର ଭିତ୍ତିଭୂମି ନିର୍ମାଣକୁ ବିପଜ୍ଜନକ ବୋଲି ଆମେରିକା ପକ୍ଷରୁ ଆଶଙ୍କା ବ୍ୟକ୍ତ କରାଯାଇଥିବା ବେଳେ ଚୀନ ଏପରି ପ୍ରସ୍ତୁତି ଚଳାଇଛି। ଚୀନର ଗତିବିଧି ଉପରେ ନଜର ରଖୁଥିବା ଭାରତୀୟ ଏଜେନ୍ସିର କହିବା ଅନୁଯାୟୀ ସାକଚେରେ ଚୀନ ଏକ ନୂଆ ବିମାନଘାଟି ନିର୍ମାଣ କରୁଛି। ଯାହା ଚୀନ ବାୟୁସେନାର ଶକ୍ତି ବୃଦ୍ଧି କରିବ। ଚୀନ ଅନୁଭବ କରିଛି ଯେ ଭାରତ ବାୟୁସେନାର ଗତି ଏହାର ବାୟୁସେନା ଠାରୁ ଅଧିକ ପ୍ରଖର। ତେଣୁ ଭାରତ ବାୟୁସେନାକୁ ମୁକାବିଲା କରିବା ଲାଗି ଚୀନ ଏବେ ନିଜ ବାୟୁସେନାକୁ ଶକ୍ତିଶାଳୀ କରିବାରେ ଲାଗିଛି। ନିକଟରେ ଚୀନର ପିପୁଲ୍ସ ଲିବରେସନ ଆର୍ମି ଏୟାରଫୋର୍ସ (ପିଏଲ୍‌ଏଏଏଫ୍‌) ଏହାର ଅନେକ ବିମାନଘାଟିକୁ ବିକଶିତ କରିଛି। ଯେପରିକି ବିମାନଘାଟିରେ ରନୱେ ସଂଖ୍ୟା ବୃଦ୍ଧି କରିବା, ଅଧିକ ବିମାନ ମୁତୟନ କରିବା ଓ ଅଧିକ ସୈନ୍ୟ ମୁତୟନ କରିବା ଭଳି ପଦକ୍ଷେପ ନିଆଯାଇଛି। ଭାରତ ସୀମାରେ ଚୀନର ସାମରିକ ଭିତ୍ତିଭୂମି ବିକାଶକୁ ଆମେରିକା ବିପଜ୍ଜନକ ବୋଲି କହିଛି। ଆମେରିକା ପାସିଫିକ୍ କମାଣ୍ଡିଂ ଜେନେରାଲ ଚାର୍ଲସ ଏ ଫ୍ଲିନ ଭାରତର ଭାରତ ଗସ୍ତ ସମୟରେ ଚୀନର କାର୍ଯ୍ୟକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ୨୦୨୦ ମେ ୫ ତାରିଖ ଠାରୁ ଭାରତ-ଚୀନ ସୀମାନ୍ତ ପୂର୍ବ ଲଦାଖରେ ଉତ୍ତେଜନା ଲାଗି ରହିଛି। ଏହି ଉତ୍ତେଜନାକୁ ନେଇ ଉଭୟ ପକ୍ଷର ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଘଟି ଅନେକ ସୈନିକ ମୃତାହତ ହୋଇଛନ୍ତି। ଉତ୍ତେଜନାକୁ ହ୍ରାସ ପାଇଁ ଉଭୟ ଦେଶର ସୈନ୍ୟ ଅଧିକାରୀଙ୍କ ମଧ୍ୟରେ ୧୫ମ ସ୍ତରୀୟ କଥାବାର୍ତ୍ତା ହୋଇଥିବାବେଳେ ଏହାର ସମାଧାନ ହୋଇପାରିନାହିଁ।
ଆମେରିକା ସେନା ଅଧିକାରୀଙ୍କ ପୂର୍ବ ଲଦାଖକୁ ନେଇ ଏଭଳି ବୟାନ ପୁଣିଥରେ ଉଭୟ ଚୀନ ଓ ଆମେରିକାକୁ ମୁହାଁମୁହିଁ କରାଇଛି। ଆମେରିକା ଜେନେରାଲ ପୂର୍ବ ଲଦାଖରେ ଚୀନ ଗତିବିଧି ଆଖି ଖୋଲିଦେବା ଭଳି କହିବା ପରେ ଚୀନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆମେରିକା ନିଆଁକୁ ଇନ୍ଧନ ଯୋଗାଉଛି ବୋଲି କହିଛନ୍ତି ଯେ, ଚୀନର ବୈଦେଶିକ ମୁଖପାତ୍ର ଜାହୋ ଲିଜନ। ଆଲୋଚନା ଓ ପରାମର୍ଶ ମାଧ୍ୟମରେ ଦୁଇ ଦେଶ ନିଜର ସମସ୍ୟା ସମାଧାନ କରିବାରେ ସକ୍ଷମ। ଦୁଇ ଦେଶର ପ୍ରମୁଖ ସେନା ଭାରତ-ଚୀନର ସୀମାର ପଶ୍ଚିମାଞ୍ଚଳରେ ପଛକୁ ହଟିବାକୁ ରାଜି ହୋଇଛନ୍ତିି। ଏହା ଦୁଇ ଦେଶର କଥା। ଆମେରିକା ଏଥିରେ ମୁଣ୍ଡ ନ ପୁରାଉ ବୋଲି କହିଛି ଚୀନ।
୪ ଦିନିଆ ଭାରତ ଗସ୍ତରେ ଆମେରିକା ଜେନେରାଲ ସାମ୍ବାଦିକଙ୍କ ସହ ଆଲୋଚନା କରି କହିଥିଲେ ଯେ, ଚୀନ ପୂର୍ବ ଲଦାଖ ସୀମାର ପଶ୍ଚିମ ପାର୍ଶ୍ବରେ ତିଆରି କରୁଥିବା ଭିତିଭୂମି ଉଦବେଗଜନକ। ଭାରତ ସୀମାରେ ଚୀନ ଅସ୍ତ୍ରଶସ୍ତ୍ର ରଖିବା ଭଳି ବଡ ବଡ ଗୃହ ନିର୍ମାଣ କରୁଛି। କିନ୍ତୁ କାହିଁକି ଚୀନ ଏଭଳି ଗୃହ ନିର୍ମାଣ କରୁଛି କେହି ବି ଏସର୍ମ୍ପକରେ ପ୍ରଶ୍ନ ଉଠାନାହାଁନ୍ତି।
ଲଦାଖକୁ ନେଇ ଆମେରିକା-ଚୀନ ମୁହାଁମୁହିଁ ହୋଇଥିବା ବେଳେ ଭାରତ କହିଛି, ଲଦାଖରେ ଚୀନର ଗତିବିଦ୍ଧି ଉପରେ ନଜର ରଖାଯାଇଛି। ଚୀନ ନିର୍ମାଣ କରୁଥିବା ଭିତିଭୂମି ସମେତ ଅନ୍ୟାନ୍ୟ କାର୍ଯ୍ୟକୁ ଭାରତ ସତର୍କତାର ପରିଚାଳନା କରୁଥିବା କହିଛନ୍ତି ଭାରତର ବୈଦେଶିକ ମୁଖପାତ୍ର ଅରିନ୍ଦମ ବାଗଚୀ। ନିଜର ଅଖଣ୍ଡତା ଏବଂ ସାର୍ବଭୌମତ୍ୱକୁ ସୁରକ୍ଷିତ ରଖିବା ପାଇଁ ଆବଶ୍ୟକୀୟ ପନ୍ଥା ଗ୍ରହଣ କରିବାକୁ ଭାରତ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି।
ଗତ କିଛି ବର୍ଷ ହେବ ଭାରତ ମଧ୍ୟ ଚୀନ ସୀମାନ୍ତ ଅଞ୍ଚଳରେ ଭିତ୍ତିଭୂମି ଉପରେ ଗୁରୁତ୍ୱ ଦେଇଛି। କେବଳ ସୁରକ୍ଷା ନୁହେଁ ସେ ଅଞ୍ଚଳର ଆର୍ଥିକ ବିକାଶ କିପରି ହୋଇପାରିବ ସେନେଇ ବିଭିନ୍ନ ପଦକ୍ଷେପ ମଧ୍ୟ ଗ୍ରହଣ କରିଛି। ଗଲୱାନ ସଂଘର୍ଷ ପରେ ଗତବର୍ଷ ଦୁଇ ଦେଶ ମଧ୍ୟରେ ସୀମା ବିବାଦର ସମାଧାନ ପାଇଁ ଉଭୟ ସେନା ଏବଂ କୂଟନୈତିିକ ସ୍ତରରେ ବହୁବାର ଆଲୋଚନା ହୋଇଛି। ଗତ ମେ ମାସରେ ମଧ୍ୟ ବରିଷ୍ଠ କମାଣ୍ଡରସ୍ତରରେ ସମାଧାନ ପାଇଁ କଥାବାର୍ତ୍ତା ହୋଇଥିଲା। କିଛି ସ୍ଥାନରେ ଉଭୟ ଦେଶର ସେନା ପଛକୁ ହଟିଥିଲେ ବି ଏବେି କିଛି ସ୍ଥାନରେ ସେନା ପ୍ରତ୍ୟାହାର ହୋଇନାହିଁ।

Spread the love