July 13, 2025

ମଣ୍ଡିରୁ ଉଠୁନି ଧାନ, ପ୍ରତିବାଦରେ ବିଜେପିର ବିକ୍ଷୋଭ

 

ଭୁବନେଶ୍ୱର: ରାଜ୍ୟରେ ମଣ୍ଡିରେ ଧାନ ସଂଗ୍ରହ ସମସ୍ୟା ନେଇ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।  ଭୁବନେଶ୍ୱରର ୟୁନିଟ-୮ରେ ଥିବା ଯୋଗାଣ ନିଗମ ମୁଖ୍ୟ କାର୍ଯ୍ୟାଳୟ ଆଗରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ କରାଯାଉଛି ।

କୃଷକ ମୋର୍ଚ୍ଚାର ଅଭିଯୋଗ, ଚାଷୀମାନେ ଟୋକନ ପାଇ ଧାନ ବିକ୍ରି ଲାଗି ମଣ୍ଡିକୁ ଆଣିଥିଲେ ବି ଧାନ ବିକ୍ରି ହୋଇପାରୁନାହିଁ । ଏହାଛଡ଼ା ଅନେକ ଚାଷୀଙ୍କ ଟୋକନ ଲାପ୍ସ କରିଯାଇଛି। କେବଳ ଏତିକି ନୁହେଁ, ମିଲରମାନେ ମଣ୍ଡିକୁ ଆସି କ୍ୱିଣ୍ଟାଲ ପିଛା ୮ରୁ ୧୦ କିଲୋ କଟନି ଛଟନି କରୁଛନ୍ତି । ମିଲରମାନେ ଧାନ ଉଠାଇବାକୁ ଟ୍ୟାଗ ହୋଇଥିଲେ ବି ଧାନ ଉଠାଉ ନାହାନ୍ତି ।

ଏହିସବୁ ସମସ୍ୟା ଯୋଗୁଁ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ମଣ୍ଡିଗୁଡ଼ିକରେ ହଜାର ହଜାର ବସ୍ତା ଧାନ ପଡ଼ି ରହିଛି। ବର୍ଷା ଯୋଗୁଁ କେତେକ ମଣ୍ଡିରେ ଧାନ ଗଜା ମଧ୍ୟ ହୋଇଗଲାଣି । ଏସବୁ ସମସ୍ୟା ନେଇ ଯୋଗାଣ ବିଭାଗ ସଚିବଙ୍କୁ ଚିଠି ଲେଖାଯାଇଥିଲା। ତିନି ଦିନ ମଧ୍ୟରେ ପଦକ୍ଷେପ ନେବାକୁ କୁହାଯାଇଥିଲା।

ସୂଚନାଥାଉ କି, ମଣ୍ଡିରେ ଧାନବିକ୍ରି ଅବ୍ୟବସ୍ଥା ପ୍ରତିବାଦରେ ଆଜି ୧୧ ଘଣ୍ଟିଆ ବିନିକା ବନ୍ଦ ପାଳନ କରୁଛି କଂଗ୍ରେସ । ସକାଳ ୭ଟାରୁ ସା ୬ଟା ଯାଏଁ ବନ୍ଦ ପାଳନ କରାଯାଉଛି । ସହରର ବିଭିନ୍ନ ସ୍ଥାନରେ ପିକେଟିଂ କରି ବନ୍ଦ ପାଳନ କରୁଛନ୍ତି କଂଗ୍ରେସ କର୍ମୀ।

ବିନିକା ବ୍ଳକ୍ ଅଂଚଳର ଅନେକ ଚାଷୀଙ୍କ ଟୋକନ ଲାପ୍ସ ହେବାରୁ ମଣ୍ଡିରେ ଧାନ ବିକ୍ରି କରିବାରୁ ସେମାନେ ବଞ୍ଚିତ ହୋଇଛନ୍ତି । ଫଳରେ ମଣ୍ଡି ଅବ୍ୟବସ୍ଥାକୁ ନେଇ ଦୁଇ ଦିନ ହେଲା ଟ୍ରାକ୍ଟରରେ ଧାନ ଲୋଡ କରି ବିନିକା ତହସିଲ କାର୍ଯ୍ୟାଳୟରେ ବ୍ଳକ୍ କଂଗ୍ରେସ ଏବଂ ଜିଲ୍ଲା କଂଗ୍ରେସ କୃଷକ କମିଟି ପକ୍ଷରୁ ପ୍ରତିବାଦ କରାଯାଉଛି।

Spread the love