
ଚାନ୍ଦୋଳ: ମଦ ପାଇଁ ଟଙ୍କା ନଦେବାରୁ ବାପାକୁ ନିର୍ମମ ଭାବରେ ହତ୍ୟା କରିଛି ପୁଅ । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅଧୀନ ଅଡ଼ଙ୍ଗା ଗ୍ରାମରେ ଏଭଳି ଘଟଣା ଘଟିଛି । ହତ୍ୟାର ୧୭ଘଣ୍ଟା ପରେ ଏ ସମ୍ପର୍କରେ ମୃତକଙ୍କ ବୋହୂ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇବା ସହ ଅଭିଯୁକ୍ତକୁ ଗିରଫ କରିଛି।
ସୂଚନା ଅନୁଯାୟୀ ଅଢ଼ଙ୍ଗା ଗ୍ରାମର ଅଲେଖ ଚନ୍ଦ୍ର ଭଦ୍ର(୭୦) ଓଡ଼ିଶା ରାଜ୍ୟ ଅର୍ଥ ନିଗମରୁ ଅବସର ନେବା ପରେ ଗାଁରେ ରହି ଆସୁଥିଲେ। ତିନି ଝିଅଙ୍କୁ ବିବାହ କରାଇଥିବାବେଳେ ପୁଅ ଶୁଭେନ୍ଦୁ(୪୦) ନିଶାର ଶିକାର ହୋଇଥିଲେ। ନିଶା ଯୋଗୁଁ ତାଙ୍କ ମସ୍ତିଷ୍କ ବିକୃତି ଘଟିବାରୁ କଟକର ମାନସିକ ରୋଗ ୱାର୍ଡରେ ସେ ଚିକିତ୍ସିତ ହେଉଥିଲେ। ଚିକିତ୍ସା ପରେ ଶୁଭେନ୍ଦୁଙ୍କର ବିବାହ ହୋଇଥିଲା ଏବଂ ତାଙ୍କର ୨ଟି ଝିଅ ଅଛନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ ସେ ପୁଣି ବାପାଙ୍କଠାରୁ ଜୋର୍ ଜବରଦସ୍ତ ଟଙ୍କା ନେଇ ନିଶା ସେବନ କରୁଥିଲେ।। ନିଶା ପାଇଁ ଘରର ବିଭିନ୍ନ ସାମଗ୍ରୀ ବିକ୍ରି କରିଦେଉଥିଲେ । ଏହାକୁ ନେଇ ବାପ ପୁଅଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା। ଗତକାଲି ରାତିରେ ବି ପାଟିତୁଣ୍ଡ ହୋଇଥିଲା। ପଡ଼ୋଶୀମାନେ ଶୁଣିଥିଲେ ବି ଏହା ନିତିଦିନିଆ ଘଟଣା ହୋଇଥିବାରୁ ଏଥିପ୍ରତି ଗୁରୁତ୍ବ ଦେଇ ନଥିଲେ।
ପ୍ରତିଦିନ ଭଳି ଅଲେଖ ଆଜି ସକାଳେ ଅଗଣା ରାସ୍ତାରେ ବୁଲିବାକୁ ନଆସିବାରୁ ପଡ଼ୋଶୀଙ୍କର ସନ୍ଦେହ ହୋଇଥିଲା। ପଡ଼ୋଶୀ ପଚାରିବାରୁ ବାପା କଟକ ଯାଇଥିବା ଶୁଭେନ୍ଦୁ କହିଥିଲେ। ଦିନ ୧୦ଟାବେଳେ ଶୁଭେନ୍ଦୁ ଏକ ସାଇକଲ୍ରେ ଚାଉଳ ଓ ଗହମ ବସ୍ତା ଲଦିଯାଉଥିବା ଦେଖି ପୁଣିଥରେ ପଚାରିଥିଲେ। ଏହାପରେ ସେ ସାଇକଲ୍ ଛାଡ଼ି ଘରକୁ ଚାଲିଯାଇ କବାଟ ଦେଇଥିଲେ। ଲୋକଙ୍କ ସନ୍ଦେହ ବି ଆହୁରି ବଢ଼ିଥିଲା ଏବଂ ଝରକା ବାଟେ ମଶିଣା ଭିତରେ ମୃତଦେହ ଘୋଡ଼ାଇ ରଖାଯାଇଥିବା ଦେଖିଥିଲେ।
ସେମାନେ ତୁରନ୍ତ ଅଲେଖଙ୍କ ଝିଅ ଓ ଜ୍ବାଇଁଙ୍କୁ ଫୋନ୍ ଯୋଗେ ଜଣାଇଥିଲେ। ଝିଅ-ଜ୍ବାଇଁ ଅପରାହ୍ନରେ ପହଞ୍ଚିଥିଲେ ଏବଂ ବୋହୂ ଶୁଭଶ୍ରୀ ଭଦ୍ର ଘରେ ପହଞ୍ଚିଥିଲେ। ଶୁଭଶ୍ରୀଙ୍କ ଅଭିଯୋଗ ପରେ ଡେରାବିଶ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅଲେଖଙ୍କ ଶବ ଉଦ୍ଧାର କରିବା ସହ ଶୁଭେନ୍ଦୁଙ୍କୁ ଗିରଫ କରିଛନ୍ତି। ପୁଲିସ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ କରିଛି। ଶୁଭେନ୍ଦୁ ବାପା ଅଲେଖଙ୍କୁ ମାରଣାସ୍ତ୍ରରେ ଆଘାତ କରି ହତ୍ୟା କରିବା ପରେ ଶବକୁ ମଶିଣାରେ ଗୁଡ଼ାଇ ଦେଇଥିଲେ। ଚଟାଣରେ ଲାଗିଥିବା ରକ୍ତକୁ ଫିନାଇଲ୍ରେ ଧୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ, ଶୁଭେନ୍ଦୁଙ୍କ ଏହିଭଳି ଆଚରଣ ପାଇଁ ପତ୍ନୀ ଶୁଭଶ୍ରୀ ବାପଘରକୁ ଚାଲିଯାଇଥିଲେ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍