August 24, 2025

ମନ୍‌କୀ ବାତ୍‌’ରେ ପୁରୀର ‘ସ୍ବଚ୍ଛାଗ୍ରାହୀ’ ରାହୁଲ୍‌ ମହାରଣାଙ୍କ କଥା କହିଲେ ପ୍ରଧାନମନ୍ତ୍ରୀ ମୋଦୀ

 

ନୂଆଦିଲ୍ଲୀ:  ତରୁଣ ମାନେ ‘ସ୍ବଚ୍ଛ ଭାତର ଅଭିଯାନ’କୁ ସଫଳ କରିଛନ୍ତି ବୋଲି ଆଜି ‘ମନ୍‌କି ବାତ୍‌’ର ୮୭ତମ ସଂସ୍କରଣରେ କହିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ପୁରୀନିବାସୀ ରାହୁଲ୍‌ ମହାରଣାଙ୍କ କଥା ଉଲ୍ଲେଖ କରିଛନ୍ତି।

ରାହୁଲ୍‌ ପ୍ରତି ରବିବାର ବଡ଼ି ସକାଳୁ ପୁରୀରେ ଥିବା ତୀର୍ଥସ୍ଥଳୀଗୁଡ଼ିକୁ ଯାଇ ସେଠାରେ ପଡ଼ିଥିବା ପ୍ଲାଷ୍ଟିକ୍‌ ଆବର୍ଜନା ସଫା କରନ୍ତି। ଏଯାବତ୍‌ ସେ ଶହ ଶହ କିଲୋଗ୍ରାମ୍‌ ଓଜନର ପ୍ଲାଷ୍ଟିକ୍‌ ଏବଂ ଅନ୍ୟାନ୍ୟ ଆବର୍ଜନା ପରିଷ୍କାର କରି ସାରିଲେଣି।

ସ୍ବାସ୍ଥ୍ୟ ଓ ପରିଚ୍ଛନ୍ନତା ଅବିଚ୍ଛିନ୍ନ ବୋଲି କହିବା ସହିତ ପ୍ରଧାନମନ୍ତ୍ରୀ କହିଲେ, ପରିଚ୍ଛନ୍ନତା କ୍ଷେତ୍ରରେ ଉଦ୍ୟମ କରୁଥିବା ବ୍ୟକ୍ତିବିଶେଷଙ୍କ ନାମ ଆମେ ସର୍ବଦା ଉଲ୍ଲେଖ କରୁଛୁ। ରାହୁଲ୍‌ଙ୍କ ଭଳି ମହାରାଷ୍ଟ୍ରର ନାସିକରେ ମଧ୍ୟ ଜଣେ ‘ସ୍ବଚ୍ଛାଗ୍ରହୀ’ ଅଛନ୍ତି। ସେ ହେଉଛନ୍ତି ଚନ୍ଦ୍ରକିଶୋର ପାଟିଲ୍‌। ପରିଚ୍ଛନ୍ନତା ପ୍ରତି ତାଙ୍କର ପ୍ରତିବଦ୍ଧତା ଖୁବ୍‌ ହୃଦୟଗ୍ରାହୀ। ସେ ଗୋଦାବରୀ ନଦୀକୂଳରେ ଠିଆ ହୋଇ ନଦୀକୁ ଆବର୍ଜନା ନ ଫିଙ୍ଗିବା ପାଇଁ ବରାବର କହନ୍ତି। ଯଦି କେହି ଆବର୍ଜନା ଫିଙ୍ଗୁଥିବା ଦେଖନ୍ତି, ସେ ତତ୍‌କ୍ଷଣାତ୍‌ ତାଙ୍କୁ ବାଧା ଦିଅନ୍ତି। ଏଥିପାଇଁ ସେ ଅନେକ ସମୟ ଦେଉଛନ୍ତି। ସନ୍ଧ୍ୟା ବେଳକୁ ତାଙ୍କ ପାଖରେ ଜମା ହୋଇଥାଏ ଲୋକେ ନଈକୁ ଫିଙ୍ଗିବାକୁ ଆଣିଥିବା ଆବର୍ଜନା ଗଦା।

ପ୍ରଧାନମନ୍ତ୍ରୀ କହି‌ଛନ୍ତି, ସେ ପୁରୀର ରାହୁଲ୍‌ ହୁଅନ୍ତୁ କି, ନାସିକର ଚନ୍ଦ୍ରକିଶୋର ହୁଅନ୍ତୁ, ସେମାନେ ଆମକୁ ବହୁତ କିଛି ଶିକ୍ଷା ଦେଉଛନ୍ତି। ସେ ପରିଚ୍ଛନ୍ନତା ହେଉ, ପୋଷକତତ୍ତ୍ବ ହେଉ କି, ଟିକାକରଣ କ୍ଷେତ୍ରରେ ହେଉ ଜଣେ ନାଗରିକ ଭାବେ ଆମେ ଏ ଦିଗରେ ଆମର କର୍ତ୍ତବ୍ୟ କରିବା ଉଚିତ। ଏ ସବୁ ଉଦ୍ୟମ ଆମକୁ ସୁସ୍ଥ ରହିବାରେ ସହାୟକ ହୁଏ।

Spread the love