July 8, 2025

ମାଟ୍ରିକ୍ ମୂଲ୍ୟାୟନ ବିବାଦକୁ ନେଇ ମାମଲା: ଗଣଶିକ୍ଷା ବିଭାଗ, ବୋର୍ଡକୁ ହାଇକୋର୍ଟଙ୍କ ନୋଟିସ୍

 

କଟକ: ମାଟ୍ରିକ୍ ମୂଲ୍ୟାୟନକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ବଢୁଥିବା ବେଳେ ଏହାକୁ ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ବିକଳ୍ପ ମୂଲ୍ୟାୟନ ଶୈଳୀ ନେଇ କରାଯାଇଥିବା ନିୟମାବଳୀ ଠିକ୍ କାର୍ଯ୍ୟକାରୀ କରା ଯାଉ ନଥିବା ଅଭିଯୋଗ ନେଇ ଦାୟର ମାମଲାରେ ହାଇକୋର୍ଟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର ସଂପାଦକ, ପରୀକ୍ଷା ନିୟନ୍ତ୍ରକ, ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀ ଓ ପିପିଲି ନୋଡାଲ ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ନୋଟିସ୍ ଜାରି କରିଛନ୍ତି।

ପରବର୍ତ୍ତୀ ଶୁଣାଣି ପୂର୍ବର ଏହି ପ୍ରସଙ୍ଗରେ ପକ୍ଷ ରଖିବାକୁ ପ୍ରତିପକ୍ଷଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଯଦି ଆବେଦନକାରୀ ଛାତ୍ରଛାତ୍ରୀ ଯଦି ଚାହିଁବେ ତେବେ ମାମଲା ବିଚାରାଧୀନ ଥିବାବେଳେ ଅପ୍‌ ଲାଇନ ପରୀକ୍ଷା ଦେଇପାରିବେ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ପିପିଲି ଜୟପୁରକିଲ୍ଲାସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ୫ ଜଣ ଛାତ୍ରଛାତ୍ରୀଙ୍କ ତରଫରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଜୁଲାଇ ୨୯ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଦୀପ୍ତ କୁମାର ମହାନ୍ତି ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ପ୍ରଣୟ ମହାନ୍ତି ସହାୟତା କରୁଛନ୍ତି।

Spread the love