October 22, 2025

ଶ୍ରୀଗୁଣ୍ଡିଚା ମନ୍ଦିର ଚତୁଃପାର୍ଶ୍ବରେ କଟକଣା

 

ପୁରୀ : ଆଉ ୬ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ମିଳିତ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ସହରର ବିଭିନ୍ନ ପ୍ରବେଶ ପଥ ସିଲ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି। ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ପୁରୀ ସହରରେ କର୍ଫ୍ୟୁ ଲାଗୁଥିବାରୁ ଅନୁପ୍ରବେଶକାରୀଙ୍କ ଉପରେ କଡ଼ା ନଜର ରଖାଯାଇଛି। ଅନ୍ୟପଟେ ଜୁଲାଇ ୧୨ ତାରିଖରେ ଶ୍ରୀଗୁଣ୍ଡିଚା ଯାତ୍ରା ଥିବାରୁ ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିବା ପରେ ଗତବର୍ଷ ଭଳି ଚଳିତବର୍ଷ ବି ମନ୍ଦିର ଚତୁଃପାର୍ଶ୍ବରେ ୧୪୪ ଧାରା ଲଗାଯିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ଗଣମାଧ୍ୟମକୁ କହିଛନ୍ତି। ଅନ୍ୟପଟେ ମହାପ୍ରଭୁ ଗସ୍ତ ପୂର୍ବରୁ ସଜେଇ ହେଉଛି ଶ୍ରୀଗୁଣ୍ଡିଚା ମନ୍ଦିର। ଶ୍ରୀଗୁଣ୍ଡିଚା ମନ୍ଦିର ଭିତର ଓ ବାହାର ରଙ୍ଗ ‌କାର୍ଯ୍ୟକୁ ଜୋରସାର କରାଯାଇଛି। ଗତବର୍ଷ ଶ୍ରୀଗୁଣ୍ଡିଚା ମନ୍ଦିର ଚତୁଃପାର୍ଶ୍ବରେ ବାଡ଼ା ପଡ଼ିଥିଲା। ୧୪୪ ଧାରାକୁ କାର୍ଯ୍ୟକାରୀ କରିବା ପାଇଁ ବ୍ୟାପକ ପୁଲିସ ମୁତୟନ ହୋଇଥିଲେ। କାହାରିକୁ ରଥ ପାଖକୁ ଆସିବାକୁ ଅନୁମତି ମିଳିନଥିଲା। ଚଳିତବର୍ଷ ବି ସମାନ କଟକଣା ବଳବତ୍ତର ରହିବ ବୋଲି ଜିଲ୍ଲାପାଳ କହିଛନ୍ତି।

ଅନ୍ୟପଟେ ରଥଯାତ୍ରା ପ୍ରସ୍ତୁତି ପୂର୍ବକ ସୋମବାର ବିଭିନ୍ନ ନିଯୋଗ ସହ ଆଲୋଚନା କରିଛନ୍ତି ଜିଲ୍ଲାପାଳ। ପୂର୍ବରୁ ଅନେକ ଥର ବୈଠକ କରି କେଉଁ ନିଯୋଗରୁ କେତେ ସଦସ୍ୟ ରହିବେ, ସେ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଛତିଶାନିଯୋଗ ବୈଠକରେ ବି ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଆଜି ଜିଲ୍ଲାପାଳ ବିଭିନ୍ନ ନିଯୋଗ ସହ ପୁଣି ଆଲୋଚନା କରିଛନ୍ତି। ଏହି ବୈଠକରେ କେଉଁ ନିଯୋଗରୁ କେତେ ଜଣ ରହିବେ, ତାର ତାଲିକା ଦେଇଛନ୍ତି ନିଯୋଗର ସଭାପତି, ସଂପାଦକମାନେ। ସେହି ଅନୁଯାୟୀ ରଥଯାତ୍ରା ପାସ୍‌ ଇସ୍ୟୁ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ପ୍ରତି ରଥ ଟାଣିବା ପାଇଁ ୫ଶହ ସେବକ ରହିବେ। କେଉଁ ନିଯୋଗରୁ କେଉଁ ରଥରେ କେତେ ସେବକ ରହିବେ, ତାର ତାଲିକା ଆଜି ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇଛି। ରଥଯାତ୍ରାରେ ସାମିଲ୍‌ ହେବାକୁ ହେଲେ ଆର୍‌ଟିପିସିଆର୍‌ ଟେଷ୍ଟ ବାଧ୍ୟତାମୂଳକ ଥିବାରୁ ତାଲିକା ଅନୁଯାୟୀ ଆସନ୍ତା ୮ ତାରିଖରୁ କୋଭିଡ୍‌ ଟେଷ୍ଟ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ତିନି ଦିନ ଧରି କୋଭିଡ୍‌ ଟେଷ୍ଟ ଚାଲିବ। ପ୍ରାୟ ୪ହଜାର ସେବକ, ପୁଲିସ ଓ କର୍ମଚାରୀଙ୍କ ଏଥିରେ ଆରଟିପିସିଆର ଟେଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି। ପୂର୍ବର ଟେଷ୍ଟ କେନ୍ଦ୍ର ସହ ଅନ୍ୟ କିଛି ଅତିରିକ୍ତ କେନ୍ଦ୍ରରେ କୋଭିଡ୍‌ ଟେଷ୍ଟ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଯୋଜନା କରିଛି।

ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ମହାପ୍ରଭୁ ପହଞ୍ଚିବା ପରେ ଶ୍ରୀମନ୍ଦିର ବଦଳରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରସାଦ ରୋଷେଇ ହେବ। ଏହି ସମୟରେ ଭକ୍ତମାନେ କେଉଁ ଜାଗାରୁ ମହାପ୍ରସାଦ ପାଇପାରିବେ ସେ ଉପରେ ଆଲୋଚନା ହୋଇଛି। ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଏକ ସେଡ୍‌ ସହ ନୃସିଂହ ମନ୍ଦିର ସମ୍ମୁଖରେ ଅନ୍ୟ ଏକ ସେଡ୍‌ କରିବାକୁ ସୁଆର ମହାସୁଆର ନିଯୋଗ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରସ୍ତାବ ଦେଇଛି।
Spread the love