September 12, 2025

ସରିଲା ରିମାଣ୍ଡ ଅବଧି, କୋର୍ଟ ଚାଲାଣ ହେଲେ ବିରଞ୍ଚି

 

ଭୁବନେଶ୍ବର: ଆଜି ଓଏସଏସସି କମିସନ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ନାରାୟଣ ସାହୁଙ୍କ ରିମାଣ୍ଡ ଅବଧି ଶେଷ ହୋଇଛି। ଏହି ସମୟରେ ପଚରାଉଚରା କାଳରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥିବା ନେଇ ଭିଜିଲାନ୍ସ ଏସପି ସୂଚନା ଦେଇଛନ୍ତି। ରିମାଣ୍ଡ ଅବଧି ସରିବା ପରେ ବିରଞ୍ଚି କୋର୍ଟ ଚାଲାଣ ହୋଇଛନ୍ତି।
ଭିଜିଲାନ୍ସ ଏସପିଙ୍କ ସୂଚନା ଅନୁଯାୟୀ, ତଦନ୍ତ ବେଳେ ବିରଞ୍ଚିଙ୍କ ଘରୁ ୧୧୪ଜଣ ପରୀକ୍ଷାର୍ଥୀଙ୍କର ଆଡମିଟ କାର୍ଡ ଜବତ କରାଯାଇଥିଲା। ସେଥିମଧ୍ୟରୁ ୧୦୭ଜଣ କେଉଁଠି ଚାକିରି ପାଇ ନଥିବା ତଦନ୍ତରୁ ଜଣା ପଡିଛି, ହେଲେ ବାକି ୭ଜଣଙ୍କୁ ନେଇ ତଦନ୍ତ ଚାଲିଛି। ସେହି ୭ଜଣ କେଉଁଠି ଚାକିରି ପାଇଛନ୍ତି କି ନାହିଁ ତାହା ତଦନ୍ତ ଘେରରେ ରହିଛି ।
ସୂଚନାଯୋଗ୍ୟ, କେଉଁଠି ପୁଞ୍ଜି ନିବେଶ, ଅନୈତିକ ଉପାର୍ଜନ ଆଉ ଆୟ ବ୍ୟୟର ଆକଳନ ଏହି ତିନିଟି ତଥ୍ୟ ହାସଲ ପାଇଁ ବିରଞ୍ଚିଙ୍କୁ ରିମାଣ୍ଡରେ ଆଣିଥିଲା ଭିଜିଲାନ୍ସ। ଏଥିରେ ସ୍ପଷ୍ଟ ହୋଇଛି ଯେ ବିରଞ୍ଚିଙ୍କ ଅନେକଗୁଡ଼ିଏ ଅଣ୍ଡର ଭ୍ୟାଲୁ ପ୍ରପର୍ଟି ରହିଛି, ଯାହାର ମୂଲ୍ୟ ଆଗକୁ ବଢ଼ିପାରେ। ଇନ୍ସ୍ୟୁରାନ୍ସ ପଲିସି କରିବାରେ ଆକ୍ଟିଭ ଥିଲେ ବିରଞ୍ଚି। ସେ ସ୍ତ୍ରୀଙ୍କ ଆଢୁଆଳରେ ମୋଟ ୯୦୦ଟି ଇନ୍ସୁରାନ୍ସ କରାଇଥିଲେ। ସେଥିମଧ୍ୟରୁ ୨୧ଜଣ ପ୍ରାର୍ଥୀ ପଲିସି କରିଛନ୍ତି। କେବେ ଓ କାହିଁକି କଲେ ସେ ବାବଦରେ ଅଧିକ ଖୋଳତାଡ଼ ହେଉଛି। ଖାଲି ସେତିକି ନୁହେଁ, ସେମାନେ ଚାକିରି କରିଛନ୍ତି କି ନାହିଁ ସେ ବାବଦରେ ତଦନ୍ତ ଚାଲିଛି । ମନି ଲଣ୍ଡ୍ରିଙ୍ଗ ନେଇ ଇଡି ତଦନ୍ତ କରୁଛି, ସେ ଦିଗରେ ଭିଜିଲାନ୍ସ ବି ନଜର ରଖିଛି । ଏବେ ଭିଜିଲାନ୍ସ ସ୍କାନରରେ ଅନେକ ଲୋକ ଅଛନ୍ତି। ସବୁ ଦିଗରୁ ତଦନ୍ତ ଚାଲିଛି, କେତେବେଳେ କାହାକୁ ବି ଡାକିକି ପଚରାଉଚରା କରାଯାଇପାରେ ବୋଲି ଭିଜିଲାନ୍ସ ଏସପି କହିଛନ୍ତି।

 

Spread the love