
ଭୁବନେଶ୍ବର : ଦିଲୀପ କୁମାରଙ୍କ ମୂଳ ନାମ ହେଉଛି ମହମ୍ମଦ ୟୁସୁଫ୍ ଖାନ୍। ୧୧ ଡିସେମ୍ବର ୧୯୨୨ରେ ପାକିସ୍ତାନର ପେଶାୱାରରେ ଏକ ଜମିଦାର ପରିବାରରେ ତାଙ୍କର ଜନ୍ମ। ଆୟେଶା ବେଗମ୍ ଓ ଲାଲା ଗୁଲାମ ଖାନ୍ଙ୍କର ୧୨ଟି ସନ୍ତାନ ମଧ୍ୟରୁ ସେ ଥିଲେ ଅନ୍ୟତମ। ବାପାଙ୍କର ଫଳ ବ୍ୟବସାୟ ଥିଲା। ତେବେ ୧୯୪୦ ମସିହା ଆଡ଼କୁ ବାପାଙ୍କ ସହ କୌଣସି କାରଣରୁ ବିବାଦ ହେବାରୁ ୟୁସୁଫ୍ ଓରଫ୍ ଦିଲ୍ଲୀପ କୁମାର ଘର ଛାଡ଼ି ମହାରାଷ୍ଟ୍ରର ପୁନେ ଚାଲି ଯାଇଥିଲେ। ଇଂରାଜୀ କହି ଓ ଲେଖି ପାରୁଥିବାରୁ ସେ ପୁନେରେ ଗୋଟେ କ୍ୟାଣ୍ଟିନ୍ରେ କାମ ପାଇଗଲେ। ଆର୍ମି କ୍ଲବ୍ ପାଖରେ ସେ ଗୋଟେ ସାଣ୍ଡ୍ୱିଚ୍ ଷ୍ଟଲ୍ ଖୋଲିଥିଲେ। ୧୯୪୩ରେ ବମ୍ବେ ଟକିଜ୍ର ମାଲିକ ହିମାଂଶୁ ରାଏଙ୍କ ପତ୍ନୀ ତଥା ଅଭିନେତ୍ରୀ ଦେବିକାରାଣୀଙ୍କ ସହିତ ତାଙ୍କର ସାକ୍ଷାତ ହୋଇଥିଲା। ବମ୍ବେ ଟକିଜ୍ରେ ମାସକୁ ୧୨୫୦ ଟଙ୍କା ଦରମାରେ ସେ କାମ କରିବାକୁ ଚୁକ୍ତି କରିଥିଲେ। ପରେ ବିଶିଷ୍ଟ ଅଭିନେତା ଅଶୋକ କୁମାର ଓ ପ୍ରଯୋଜକ ଶଶଧର ମୁଖାର୍ଜୀଙ୍କ ସହିତ ତାଙ୍କର ସମ୍ପର୍କ ବଢ଼ିଥିଲା। ୧୯୪୪ରେ ‘ଜ୍ବାର ଭାଟା’ ସିନେମାରେ ତାଙ୍କୁ ଅଭିନୟ କରିବାର ସୁଯୋଗ ମିଳିଲା। ତେବେ ଦେବିକାରାଣୀ ଦିଲ୍ଲୀପ କୁମାରଙ୍କୁ ଅନୁରୋଧ କରିଥିଲେ, ‘ତୁମ ନାଁ ୟୁନୁସ୍ ବଦଳରେ ଦିଲ୍ଲୀପ କୁମାର ରଖାଗଲେ ଭଲ ହୁଅନ୍ତା’। ତା’ପରେ ସେ ଦିଲ୍ଲୀପ କୁମାରରେ ନାମରେ ପରିଚିତ ହୋଇଥିଲେ ଓ ଭାରତୀୟ ସିନେମାର ଅନ୍ୟତମ ମାଇଲ୍ଖୁଣ୍ଟ ପାଲଟି ଯାଇଥିଲେ।
ପ୍ରଥମ ଚଳଚ୍ଚିତ୍ର ପରେ ସେ ଅଭିନୟ କରିଥିବା ଆଉ କେତେକ ଚଳଚ୍ଚିତ୍ର ମଧ୍ୟ ସଫଳତା ପାଇପାରି ନ ଥିଲା। ‘ଜୁଗ୍ନୁ’ (୧୯୪୭) ଦିଲ୍ଲୀପ କୁମାରଙ୍କ ପ୍ରଥମ ସଫଳ ଚଳଚ୍ଚିତ୍ର; ଯେଉଁଥିରେ ସେ ନୁର ଜହାନ୍ଙ୍କ ସହିତ ଅଭିନୟ କରିଥିଲେ। ୧୯୪୮ରେ ମୁକ୍ତିଲାଭ କରିଥିବା ‘ସହିଦ’ ଓ ‘ମେଲା’ର ସଫଳତା ପରେ ୧୯୪୯ରେ ସେ ବଡ଼ ସୁଯୋଗ ପାଇଥିଲେ ମେହବୁବ ଖାନ୍ଙ୍କ ‘ଅନ୍ଦାଜ’ ଚଳଚ୍ଚିତ୍ର ଜରିଆରେ। ଏଥିରେ ରାଜ କପୁର ଓ ନର୍ଗିସଙ୍କ ସହ ଦିଲ୍ଲୀପ ଅଭିନୟ କରିଥିଲେ। ପରବର୍ତ୍ତୀ ସମୟରେ ସେ ଜୋଗନ, ବାବୁଲ, ହଲଚଲ, ଦିଦାର, ତରାନା, ଦାଗ୍, ଇନ୍ସାନିୟତ୍, ଦେବଦାସ, ନୟାଦୌର, ୟାହୁଦୀ, ମଧୁମତୀ, ପୈଗାମ୍ ଆଦି ଅନେକ ସଫଳ ଚଳଚ୍ଚିତ୍ରରେ ପ୍ରମୁଖ ଭୂମିକାରେ ଅବତୀର୍ଣ୍ଣ ହେଲେ। ଏ ମଧ୍ୟରୁ ଅଧିକାଂଶ ସିନେମାରେ ତାଙ୍କ ଟ୍ରାଜେଡିର ଯାଦୁ ହିଁ ଦର୍ଶକଙ୍କୁ ବାନ୍ଧି ରଖୁଥିଲା। ତାଙ୍କୁ ‘ଟ୍ରାଜେଡି କିଙ୍ଗ୍’ କୁହାଯାଉଥିଲେ ବି ସେ ବିଭିନ୍ନ ପ୍ରକାର ଭୂମିକାରେ ନିଜର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍