September 16, 2024

Satya News

odia news channel

ଅବିଭକ୍ତ କୋରାପୁଟ ଜିଲ୍ଲାରେ କଳା ଓ କଳାକାରଙ୍କୁ ଉପେକ୍ଷା କାହିଁକି?

 

ଜୟପୁର: ଅବିଭକ୍ତ କୋରାପୁଟ ଜିଲ୍ଲା କଳା, କଳାକାରଙ୍କର ମାଟି। ଏଥିରେ ପ୍ରମୁଖ ସ୍ଥାନରେ ଜୟପୁର ରହିଛି। ଶତାଧିକ କଳାକାର ଜୟପୁର ସହରରେ ରହି ଆସିଛନ୍ତି। ସେମାନଙ୍କ ମଧ୍ୟରେ ରହିଥିବା କଳାକୁ ପରିସ୍ପୁଟିତ କରିବା ପାଇଁ ସହରରେ ଉପଯୁକ୍ତ ମଂଚ କିମ୍ବା ଅଡିଟୋରିୟମ୍ ବି ନାହିଁ। ପ୍ରତ୍ୟେକ ବର୍ଷ ସହରର ବିଭିନ୍ନ କଳା ଅନୁଷ୍ଠାନ ଦ୍ବାରା ନୃତ୍ୟ, ଗୀତ, ସଂଗୀତ, ନାଟକ, ଡ୍ରାମା ସହ କୋରାପୁଟିଆ ଲୋକଗୀତର ଭିଡିଓ ଆଲବମ୍ , କୋରାପୁଟିଆ ଚଳଚ୍ଚିତ୍ର ଆଦି ପ୍ରସ୍ତୁତ କରାଯାଉଛି। ସାମାଜିକ ଗଣମାଧ୍ୟମ, ୟୁଟ୍ୟୁବ ଆଦିରେ ଏସବୁକୁ ରିଲିଜ୍ କରାଯାଉଛି।

ତେବେ ଏଠାରେ କେତେ ସଂଖ୍ୟକ କଳାକାର ରହିଛନ୍ତି ତାହାର ଚିହ୍ନଟ ପ୍ରକ୍ରିୟା ଜିଲ୍ଲାସଂସ୍କୃତି ବିଭାଗ ପକ୍ଷରୁ ଏବେ ପର୍ଯ୍ୟନ୍ତ ହୋଇପାରିନି। ସେଭଳି ଏହି ବିଭିନ୍ନ ବର୍ଗର କଳାକାର ମାନେ ନାଟକ, ନୃତ୍ୟ, ସଂଗୀତ ଆଦିର ଅଭ୍ୟାସ କରିବା ପାଇଁ ନା ଅଛି ରୁମ ନାଁ ପ୍ରଦର୍ଶନ ପାଇଁ ଅଡିଟୋରିୟମ। ଏହାକୁ ନେଇ ଏବେ କଳାକାରଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି। ଜୟପୁର କଳାକାରଙ୍କ ପ୍ରତି ଜିଲ୍ଲାପ୍ରଶାସନ କାହିଁକି ବୈମାତୃକ ମନୋଭାବ ପୋଷଣ କରିବା ସହ ଉପେକ୍ଷା କରୁଛି ବୋଲି ପ୍ରଶ୍ନ କରିଛନ୍ତି ।

କେଏଫଡିସିର ସଭାପତି ରବିନ୍ଦ୍ର କୁମାର ପାତ୍ର, ଅମର ମିଶ୍ର, ମହମ୍ମଦ ସରିଫ, ଧିରେନ୍ ମୋହନ ପଟ୍ଟନାୟକ,କାର୍ତ୍ତିକ ରାଉତ। ବିନା ମଂଚରେ ଯଦି ଶତାଧିକ ବିଭିନ୍ନ ବୟସ ଓ ବର୍ଗର ଅଭିଞ କଳାକାର ମାନେ ନିଜସ୍ବ ପ୍ରଚେଷ୍ଟାରେ ମରି ମରି ଯାଉଥିବା ନାଟକକୁ ବଂଚାଇ ରଖିବା ପ୍ରୟାସ କରୁଛନ୍ତି। ଜିଲ୍ଲାପ୍ରଶାସନ କାହିଁକି କରୁନାହିଁ ବୋଲି ଏମାନେ ପ୍ରଶ୍ନକରିଛନ୍ତି। ତୁରନ୍ତ କଳାକାର ତାଲିକା କରିବା ସହ ରିହର୍ସଲ(ଅଭ୍ୟାସ କରିବା) , ପ୍ରଦର୍ଶନ କରିବା ପାଇଁ ଖୋଲା ମଂଚ ଓ ଅଡିଟୋରିୟମ୍ ଜିଲ୍ଲାପ୍ରଶାସନ ଯୋଗାଇବାକୁ ଏମାନେ ଦାବି କରିଛନ୍ତି। ଗତ କିଛି ବର୍ଷ ତଳେ ନିର୍ମାଣ ହୋଇଥିବା ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଅଡିଟୋରିୟମର ଅବସ୍ଥା ଏବେ ସାଂଘାତିକ। କର୍ପୁର ଉଡିଯିବା ସହ କନା କେବଳ ସେଠାରେ ପଡ଼ି ରହିଛି। କେତେବେଳେ ଏହା ମାଟିରେ ମିଶିଯିବ ତାହା କହିବା ମୁସ୍କିଲ ବୋଲି ଏମାନେ କହିଛନ୍ତି।

ଜିଲ୍ଲାସଂସ୍କୃତି ବିଭାଗ ପକ୍ଷରୁ କଳାକାର ତାଲିକା ପ୍ରସ୍ତୁତି କରି ନଥିବା ଏବଂ ଉପଯୁକ୍ତ ମଂଚ ନଥିବାରୁ ଏଠାକାର କଳାକାରଙ୍କୁ ବିଭିନ୍ନ ନାଟକ ପ୍ରତିଯୋଗିତାରେ ଯେଭଳି ଭାଗ ନ ନେବେ ସେଭଳି ହୀନ ପ୍ରୟାସ ବି କରାଯାଉଛି ବୋଲି କଳାକାର ମାନେ ଅଭିଯୋଗ କରିଛନ୍ତି। ଲୋକଙ୍କ ମନୋରଂଜନ ପାଇଁ ପୌରପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ସାହି ଛକରେ ଖୋଲା ଜିମ୍ ଓ ପାର୍କ ନିର୍ମାଣ କରାଯାଉଛି। ସେଭଳି ଖୋଲା ମଂଚ, ମଂଚ ଓ ଅଡିଟୋରିୟମ୍ ନିର୍ମାଣ କରାଯିବାକୁ କଳାକାର ମାନେ ଦାବି କରିଛନ୍ତି।

Spread the love