July 7, 2025

ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ: କ୍ରେନ୍ ଜବତ, ଆସାମୀ ଫେରାର

 

ଚିତ୍ରକୋଣ୍ଡା: ସାଧାରଣତଃ ଗଞ୍ଜେଇ ଚୋରା କାରବାରରେ ଚୋରା ବେପାରୀ ଦଶଚକିଆ ଗାଡ଼ି କିମ୍ବା ବୋଲେରୋ, କାର ବ୍ୟବହାର କରୁଥିବା ବେଳେ ଆଜି ଏକ ଅଭିନବ ଢ଼ଙ୍ଗରେ କ୍ରେନ ଯୋଗେ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିଲା ବେଳେ କ୍ରେନକୁ ଜବତ କରିବା ସହ ସେଥିରୁ ୨୫୦ କେଜି ୫୦୦ ଗ୍ରାମ ଚୋରା ଗଞ୍ଜେଇ ଜବତ କରିଛି ଚିତ୍ରକୋଣ୍ଡା ପୁଲିସ।

ସୂଚନା ଅନୁଯାୟୀ ଚିତ୍ରକୋଣ୍ଡା ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକଙ୍କ ନେତୃତ୍ୱରେ ଏକ ଟିମ ଗତକାଲି ରାତିରେ ପାପୁଲୁର ବାଲିମେଳା ରାସ୍ତାରେ ପାଟ୍ରୋଲିଂ କରୁଥିବା ସମୟରେ ଚିତ୍ରକୋଣ୍ଡା କଂକ୍ରିଟ ଡ୍ୟାମ ଠାରେ ଗାଡ଼ିଗୁଡ଼ିକୁ ଯାଞ୍ଚ କରୁଥିଲା । ଏହି ସମୟରେ ଏଚ୍ ଆର ୫୫ ଡବ୍ଲୁ ୪୨୩୨ ନଂ ବିଶିଷ୍ଟ ଏହି କ୍ରେନଟି ପାପୁଲୁର ପଟୁ ଆସୁଥିଲା। ଦୂରରୁ ପୁଲିସର ଯାଞ୍ଚକୁ ଦେଖି ଅନ୍ଧାର ସୁଯୋଗ ନେଇ କ୍ରେନ ଚାଳକ ଜଙ୍ଗଲ ମଧ୍ୟରେ କ୍ରେନଟିକୁ ସେଠାରେ ଛାଡି ଫେରାର ହୋଇ ଯାଇଥିଲା।

ପୁଲିସ ଗାଡ଼ିକୁ ଯାଞ୍ଚ କଲାପରେ ଗାଡ଼ି ତଳେ ସ୍ୱତନ୍ତ୍ର ଭାବେ ଡ୍ର କରି ୧୦ଗୋଟି ପ୍ୟାକେଟରେ ଗଞ୍ଜେଇ ରଖାଯାଇଥିବା ଜାଣିବାକୁ ପାଇଥିଲା। ୧୦ ଗୋଟି ପ୍ୟାକେଟର ଓଜନ ୨୫୦ କେଜି ୫୦୦ ଗ୍ରାମ ବୋଲି ଓ ଏହାର ଆନୁମାନିକ ମୂଲ୍ୟ ୨୫ଲକ୍ଷରୁ ଉର୍ଦ୍ଧ ହେବ ବୋଲି ଜଣାପଡ଼ିଛି। ଚିତ୍ରକୋଣ୍ଡା ଥାନାରେ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଚିତ୍ରକୋଣ୍ଡା ଥାନା ଅଧିକାରୀ ପ୍ରକାଶ କରିଛନ୍ତି।

Spread the love