July 5, 2025

ଅଯୋଗ୍ୟତା ପ୍ରସଙ୍ଗ : ହେମନ୍ତ ସୋରେନ ଡାକିଲେ UPA ବିଧାୟକଙ୍କ ବୈଠକ

 

ରାଞ୍ଚୀ ୨୬।୮: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଶୁକ୍ରବାର ୟୁପିଏ ବିଧାୟକଙ୍କ ଏକ ବୈଠକ ଆହ୍ୱାନ କରିଛନ୍ତି। ଭାରତ ନିର୍ବାଚନ ଆୟୋଗ( ଇସିଆଇ) ଜନପ୍ରତିନିଧିତ୍ୱ ଅଧିନିୟମ ୧୯୫୧ ଅନୁସାରେ ଝାଡ଼ଖଣ୍ଡ ରାଜ୍ୟପାଳଙ୍କୁ  ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ରଦ୍ଦ ଲାଗି ରିପୋର୍ଟ ପଠାଇଛନ୍ତି। ତେବେ ବିଧାୟକଙ୍କ ବୈଠକରେ  ସୋରେନ ଭବିଷ୍ୟତର ରାଜନୈତିକ ରଣନୀତି ଉପରେ ଚର୍ଚା କରିବେ ବୋଲି ଜଣାପଡିଛି।

ରାଜ୍ୟ ରାଜନୀତିରେ ଉପୁଜିଥିବା ବିବାଦ ଲାଗି ହେମନ୍ତ ସୋରେନ୍ ଗୁରୁବାର ବିଜେପିକୁ ଦାୟୀ କରିଥିଲେ। ସେ କହିଥିଲେ ଯେ ଏପରି ଲାଗୁଛି ଯେପରି ବିଜେପି ନେତା ଓ ସେମାନଙ୍କ ଚାଟୁକାରମାନେ ରିପୋର୍ଟ  ଚିଠାପ୍ରସ୍ତାବ ପ୍ରସ୍ତୁତ କରିଛନ୍ତି, ଯାହା ସିଲବନ୍ଦ ଲଫାପାରେ ରହିଛି। ତେବେ ଏପର୍ଯ୍ୟନ୍ତ ମାମଲାରେ ତାଙ୍କ ସହ କୌଣସି ଅଧିକାରୀକ ଆଲୋଚନା ହୋଇନଥିବା ହେମନ୍ତ କହିଛନ୍ତି।

ବିଜେପି ନେତାମାନେ ସୋରେନଙ୍କ ଉପରେ ମାଇନିଂ ଲିଜ୍ ନେବାର ଅଭିଯୋଗ ଆଣିଥିବା ବେଳେ ଏହାକୁ ଅଫିସ ଅଫ ପ୍ରଫିଟ ଓ ଜନପ୍ରତିନିଧି ଆଇନର ଉଲ୍ଲଂଘନ ବୋଲି ଦର୍ଶାଉଥିବା ବେଳେ ରାଜ୍ୟପାଳଙ୍କୁ ପତ୍ର ଲେଖିଥିଲେ। ତେବେ ପୋଲ ପାନେଲଙ୍କ ସୁପାରିଶରେ ରାଜ୍ୟପାଳଙ୍କ ଆଦେଶ ଜାରି ହେବା ଦ୍ୱାରା ସୋରେନଙ୍କ ବିଧାନସଭା ସଦସ୍ୟତା ସମାପ୍ତ ହୋଇପାରେ। ଏପରି ହେଲେ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିପାରେ।

ତେବେ ଝାଡ଼ଖଣ୍ଡରେ ହେମନ୍ତ ସୋରେନଙ୍କ ନେତୃତ୍ୱରେ ଚାଲିଥିବା ଝାମୁମୋ ଓ କଂଗ୍ରେସ ମେଣ୍ଟ ସରକାରର ବହୁମତ ରହିଛି। ଯଦି ସୋରେନ ଇସ୍ତଫା ଦିଅନ୍ତି ତେବେ ପରେ ପୁଣି ରାଜ୍ୟରେ ସରକାର ଗଢିବାକୁ ଦାବି ପେଶ୍ କରିପାରନ୍ତି ବୋଲି ଅନୁମାନ କରାଯାଉଛି।

Spread the love