October 21, 2025

ଆନ୍ତଃରାଜ୍ୟ ମହିଳା ଦିନିକିଆ, ୟୁପିକୁ ହରାଇ କ୍ବାର୍ଟରଫାଇନାଲରେ ଓଡ଼ିଶା

 

କଟକ: ବାଙ୍ଗାଲୋରରେ ମହିଳା ଆନ୍ତଃରାଜ୍ୟ ଦିନିକିଆ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟର ନକ୍‌ଆଉଟ ପର୍ଯ୍ୟାୟ ଶନିବାର ଆରମ୍ଭ ହୋଇଛି। ଏହାର ପ୍ରିକ୍ବାର୍ଟରଫାଇନାଲ ମ୍ୟାଚ୍‌ରେ ଉତ୍ତର ପ୍ରଦେଶକୁ ୧୩ ରନ୍‌ରେ ପରାସ୍ତ କରି ଓଡ଼ିଶା କ୍ବାର୍ଟରଫାଇନାଲରେ ପ୍ରବେଶ କରିଛି। ଖରାପ ପାଗ ଯୋଗୁଁ ବିଳମ୍ବରେ ଆରମ୍ଭ ହୋଇଥିବା ଏହି ମ୍ୟାଚ୍‌ ୨୪ ଓଭର ବିଶିଷ୍ଟ ହୋଇଥିଲା। ସାମୂହିକ ଯୋଗଦାନ ବଳରେ ପ୍ରଥମେ ବ୍ୟାଟିଂକରି ଓଡ଼ିଶା ୨୪ ଓଭରରେ ୫ ୱିକେଟ ହରାଇ ୧୦୦ ରନ୍ କରିଥିଲା। ପରେ ଓଡ଼ିଶାର ଅଫ୍‌ସ୍ପିନର ରାସାନ୍ନାରା ପରୱିନ ୩ଟି ୱିକେଟ ନେବାରୁ ୟୁପି ୨୧.୪ ଓଭରରେ ୮୭ ରନ୍‌କରି ଅଲ୍‌ଆଉଟ ହୋଇ ଯାଇଥିଲା। ୧୫ରେ ଭାରତୀୟ ରେଳବାଇ ବିପକ୍ଷରେ ଓଡ଼ିଶା କ୍ବାର୍ଟରଫାଇନାଲ ଖେଳିବ। ଗ୍ରୁପ୍‌ ପର୍ଯ୍ୟାୟରେ ଓଡ଼ିଶାକୁ ୮ ୱିକେଟରେ ରେଳବାଇ ପରାସ୍ତ କରିଥିଲା।

ଟସ୍ ଜିତି ଉତ୍ତର ପ୍ରଦେଶ ଫିଲ୍‌ଡିଂ ନେଇଥିଲା। ଓଡ଼ିଶା ଓପ୍‌ନିଂ ଯୋଡ଼ିରେ ୧୩ ଓଭରରେ ୫୪ ରନ୍‌ ଯୋଡ଼ିଥିଲା। କାଜଲ ଜେନା ୩୪ ବଲ୍‌ରୁ ୨ଟି ଚୌକା ସହ ୨୧ ରନ୍‌ କରିଥିଲେ। ମାଧୁରୀ ମେହେଟ୍ଟା ୪୬ ବଲ୍‌ରୁ ୨ଟି ଚୌକା ସହ ୩୧ ରନ୍‌ କରିଥିଲେ। ସୁଶ୍ରୀ ଦିବ୍ୟଦର୍ଶିନୀ ୬ ରନ୍‌ କରିଥିଲେ। ଅଧିନାୟିକା ମଧୁସ୍ମିତା ବେହେରା ୧୯ ବଲ୍‌ରୁ ୩ଟି ଚୌକା ସହ ୧୪ ରନ୍‌ କରିଥିଲେ। ପ୍ରଜ୍ଞା ପାରମିତା ମହାନ୍ତି ୨୯ ବଲ୍‌ରୁ ଗୋଟିଏ ଚୌକା ସହ ୨୪ ରନ୍‌କରି ଅପରାଜିତ ଥିଲେ। ୟୁପିର ରାଶି କାନୋଜିୟା ୨ଟି ୱିକେଟ ପାଇଥିଲେ। ୧୦୧ ରନ୍‌ ଲକ୍ଷ୍ୟରେ ଉତ୍ତର ପ୍ରଦେଶ ନିୟମିତ ୱିକେଟ ହରାଇଥିଲା। କ୍ଷମା ସିଂହ ୨ଟି ଚୌକା ସହ ସର୍ବାଧିକ ୧୮ ରନ୍ କରିଥିଲେ। ଶୋଭା ଦେବୀ ୩୨ ବଲ୍‌ରୁ ୧୮, ଶିକ୍ଷା ୧୬ ଓ ଶ୍ବେତା ଅପରାଜିତ ୧୪ ରନ୍‌ କରିଥିଲେ। ରାସନ୍ନାରା ପରୱିନ ୩ଟି ଓ ପ୍ରିୟଙ୍କା ପ୍ରିୟଦର୍ଶିନୀ ୨ଟି ୱିକେଟ ନେଇଥିଲେ।

Spread the love