November 21, 2024

Satya News

odia news channel

ଆରଡି ଜାରକା ଡିଭିଜନ୍ କେଳେଙ୍କାରୀ: ୩ କୋଟିର ରାସ୍ତାରେ ୧୯ଲକ୍ଷର ଗୁପ୍ତ ଟେଣ୍ଡର୍

 

ଯାଜପୁର : ଗ୍ରାମ୍ୟ ଉନ୍ନୟନ ବିଭାଗ(ଆରଡି)କୁ ଦୁର୍ନୀତି ପିଛା ଛାଡୁନି। ବିଭାଗରେ ଶହ ଶହ ଗୁପ୍ତ ଟେଣ୍ଡର କରି କୋଟି କୋଟି ଟଙ୍କା ହରିଲୁଟ୍ ବନ୍ଦ କରିବାକୁ ବିଭାଗୀୟ ସଚିବ ବରିଷ୍ଠ ଆଇଏଏସ ଅଧିକାରୀ ପ୍ରଦୀପ ଜେନା‌ କଟକଣା ଲାଗୁ କରିଥିଲେ। ତଥାପି ଯନ୍ତ୍ରୀ ଓ ଠିକାଦାରଙ୍କ ଅସାଧୁମେଣ୍ଟ ଟେଣ୍ଡର ହୋଇଥିବା ରାସ୍ତାରେ ଗୁପ୍ତ ଟେଣ୍ଡର କରି ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରୁଛନ୍ତି। ଯାଜପୁର ଜିଲ୍ଲାର ଜାରକା ଆରଡି ଡିଭିଜନ୍ ଅଧୀନ ଚଣ୍ଡିଖୋଲ ଉପଖଣ୍ଡର ଗୁପ୍ତ ଟେଣ୍ଡର ଖେଳାଙ୍କାରୀ ସଂପର୍କରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ‘ସମ୍ବାଦ’ ଅନୁସନ୍ଧାନ ଟିମ୍ ହାତରେ ଲାଗିଛି। ୩ କୋଟି ୪୧ଲକ୍ଷ ଟଙ୍କାର ଟେଣ୍ଡର ରାସ୍ତାରେ ୧୯ଲକ୍ଷ ଟଙ୍କାର ଗୁପ୍ତ ଟେଣ୍ଡର କରି ସରକାରୀ ଅନୁଦାନ ହଡ଼ପ କରାଯାଇଛି।

ଜାରକା ଡିଭିଜନ୍ ଅଧୀନ ଚଣ୍ଡିଖୋଲ ଉପଖଣ୍ଡରେ ୨୦୧୭-୧୮ ଆର୍ଥିକ ବର୍ଷରେ ବଡଚଣା ବ୍ଲକ୍ ଅନ୍ତର୍ଗତ ବରୁଣିଆ-ପଇଦା ରାସ୍ତା ନିର୍ମାଣ ପାଇଁ ୩ କୋଟି ୪୧ ଲକ୍ଷ ୪୯ ହଜାର ୫୧୫ ଟଙ୍କାର ଟେଣ୍ଡର କରାଯାଇଥିଲା। ୨୦୧୮ ମାର୍ଚ୍ଚ ୩୦ରେ ଏହି ଟେଣ୍ଡର ବାବଦକୁ ୩୮ ଲକ୍ଷ ୫ ହଜାର ୧୭୬ ଟଙ୍କା ପ୍ରଥମ ବିଲ୍ ଠିକାଦାରଙ୍କୁ ପଇଠ କରାଯାଇଛି। ଏହି ସମୟ ମଧ୍ୟରେ ୫ଲକ୍ଷ ଟଙ୍କାରୁ କମ୍ ୫ଟି ଗୁପ୍ତ ଟେଣ୍ଡର କରି ୧୯ ଲକ୍ଷ ୫୫ ହଜାର ୩୩୬ ଟଙ୍କାର ସେହି ମାର୍ଚ୍ଚରେ ପଇଠ କରାଯାଇଛି। ଗୁପ୍ତ ଟେଣ୍ଡର ବାବଦରେ ୨୦୧୭ ସେପ୍ଟେମ୍ବର ମାସରେ ୩ଟି ଏଗ୍ରିମେଣ୍ଟ(ନଂ ୭୨, ୮୨ , ୮୩) ଓ ଡି‌ସେମ୍ବରରେ ଗୋଟିଏ ଏଗ୍ରିମେଣ୍ଟ ନମ୍ବର ୮୬ ଓ ୨୦୧୮ ଜାନୁଆରିରେ ଏଗ୍ରିମେଣ୍ଟ ନମ୍ବର ୯୩ରେ ମୋଟ ୫ଟି ଗୁପ୍ତ ଟେଣ୍ଡର ଜରିଆରେ ୧୯ ଲକ୍ଷ ୫୫ ହଜାର ୩୩୬ ଟଙ୍କାର ବିଲ୍ କରାଯାଇଛି।

ଡିଭିଜନ୍ ପକ୍ଷରୁ ଟେଣ୍ଡର ବିଲ୍‌ ପଇଠର ୫ଦିନ ପୂର୍ବରୁ ୨୫ ମାର୍ଚ୍ଚ ୨୦୧୮ରେ ଏହି ଗୁପ୍ତ ଟେଣ୍ଡର ଅର୍ଥ ପୈଠ କରାଯାଇଛି। ଏହି ରାସ୍ତା ଉପରେ ଏବେ ମଧ୍ୟ ଅନୁଦାନ ପଇଠ କରାଯାଉଛି। ୨୦୨୧ ଜାନୁଆରି ୧୧ ତାରିଖରେ ଟେଣ୍ଡର କାମର ଚୂଡ଼ାନ୍ତ ବିଲ୍‌ ୫୧ଲକ୍ଷ ୫୮ ହଜାର ୮୦୯ ଟଙ୍କା ପଇଠ କରାଯାଇଥିବା ଜଣାପଡ଼ିଛି। ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆଢୁଆଳରେ ଏହି ଦୁର୍ନୀତିକୁ ଏଡ଼ାଇଯିବା ପାଇଁ ଆର୍ଥିକ ବର୍ଷ ଶେଷ ସମୟରେ ଏହି କେଳେଙ୍କାରୀ କରାଯାଇଛି। ଚଣ୍ଡିଖୋଲ ଉପଖଣ୍ଡରେ କୋଟି କୋଟି ଟଙ୍କା ହେରାଫେରି ନେଇ ବାରମ୍ବାର ‌ଅଭିଯୋଗ ହୋଇଆସୁଛି। ଏପରିକି ଦାୟିତ୍ବରେ ଥିବା ଏସଡିଓଙ୍କୁ ବାରମ୍ବାର କାରଣ ଦର୍ଶାଅ ନୋଟିସ ଓ ଶୃଙ୍ଖଳାଗତ କାର୍ଯ୍ୟାନୁ‌ଷ୍ଠାନ ପାଇଁ ଲେଖା ଯାଇଛି। ତେବେ ଗୋଟିଏ ରାସ୍ତାରେ ଟେଣ୍ଡର କାମ ଚାଲିଥିବା ବେଳେ ଗୁପ୍ତ ଟେଣ୍ଡର କିପରି କରାଗଲା? ଏହି ଗୁପ୍ତ ଟେଣ୍ଡର ଅର୍ଥ ସିଧାସଳଖ ହଡ଼ପ କରାଯାଇଛି ବୋଲି ଅଭିଯୋଗ ହେଉଛି। ବିଭାଗୀୟ ସଚିବଙ୍କ ତାଗିଦ ଓ ‌ବିଜ୍ଞପ୍ତିକୁ ବେଖାତିର କରି ଯନ୍ତ୍ରୀ ଓ ଠିକାଦାର କିପରି ଆର୍ଥିକ ବର୍ଷ ଶେଷରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଛନ୍ତି? ଏହା ଏକ ନମୁନା ମାତ୍ର ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

Spread the love