February 14, 2026

ଆର୍ଥର ରୋଡ୍‌ରେ କେମିତି ରହିବେ ଆର୍ଯ୍ୟନ୍‌

 

ମୁମ୍ବଇ: ଯେଉଁ ଆର୍ଥର ରୋଡ କାରାଗାରରେ ଏକଦା ଆତଙ୍କବାଦୀ କସବ, ଅରୁଣ ଗାୱଲି, ମୁସ୍ତାଫା ଦୋସା, ଅବୁ ସଲେମ, ଛୋଟା ରାଜନ୍‌ଙ୍କ ସହ ଅଭିନେତା ସଞ୍ଜୟ ଦତ୍ତ ଦିନ ବିତାଇଥିଲେ ସେଠାରେ କିଛି ଦିନ ଅବସ୍ଥାନ କରିବେ ଯୁବ ସେଲିବ୍ରିଟି ଆର୍ଯ୍ୟନ୍‌ ଖାନ। ସେଠାରେ ଆର୍ଯ୍ୟନ୍‌ଙ୍କୁ କୌଣସି ସ୍ବତନ୍ତ୍ର ସୁବିଧା ସୁଯୋଗ ମିଳିବ ନାହିଁ। ସେ ସାଧାରଣ ବିଚାରାଧୀନ କଏଦୀଙ୍କ ଭଳି ରହିବେ। ତାଙ୍କୁ ପ୍ରତ୍ୟହ ସକାଳ ୬ଟାରେ ଶଯ୍ୟା ତ୍ୟାଗ କରିବାକୁ ପଡ଼ିବ। ସର୍ବସାଧାରଣ ପାଇଖାନା ଓ ଗାଧୁଆ ଘର ସେମାନେ ବ୍ୟବହାର କରିବେ। ସକାଳ ୭ଟାରେ କାରାଗାର ଜଳଖିଆ ଯୋଗାଇ ଦିଆଯିବ। ପରେ ୧୧ଟା ବେଳକୁ ମଧ୍ୟାହ୍ନ ଭୋଜନରେ ସେଠାରେ ପ୍ରସ୍ତୁତ ଚପାତି (ରୁଟି), ଭାତ, ଡାଲି, ତରକାରି ହିଁ ମିଳିବ।

ସନ୍ଧ୍ୟା ୬ଟାରେ ଜଳଖିଆ ଓ ରାତି ୮ଟାରେ ଦିନ ଭଳି ସମାନ ଖାଦ୍ୟ ପ୍ରଦାନ କରାଯିବ। ଘରୁ ଆସିଥିବା କୌଣସି ଖାଦ୍ୟକୁ ଅନୁମତି ମିଳିବ ନାହିଁ। ସେମାନେ ଚାହିଁଲେ କାରାଗାର କ୍ୟାଣ୍ଟିନ୍‌ରୁ ଅନ୍ୟ ଖାଦ୍ୟ କିଣି ଖାଇପାରିବେ। ମନି ଅର୍ଡର ମାଧ୍ୟମରେ ଏହି ଟଙ୍କା ଅସୁଲ ହେବ। ଅଭିଯୁକ୍ତମାନେ ନିଜ ଥାଳି ସଫା କରିବେ ଓ ପାଖରେ ରଖିବେ। ଅନ୍ୟ କଏଦୀଙ୍କ ଭଳି ସେମାନେ କାରାଗାର ପରିସରରେ ବୁଲାବୁଲି କରିପାରିବେ; କିନ୍ତୁ ସଂଗରୋଧ ଅବଧି ଶେଷ ପରେ ଏହି ସୁବିଧା ପାଇବେ।
Spread the love