August 24, 2025

ଆର୍ସେଲର ପ୍ରକଳ୍ପକୁ ଉଚ୍ଚସ୍ତରୀୟ ଅନୁମୋଦନ

 

ଭୁବନେଶ୍ବର : କେନ୍ଦ୍ରାପଡ଼ାର ମହାକାଳପଡ଼ାରେ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଓ ଆର୍ସେଲର ମିତ୍ତଲ-ନିପନ ଷ୍ଟିଲ ଇଣ୍ଡିଆ ଲିମିଟେଡ ମଧ୍ୟରେ ଗତ ମାର୍ଚ୍ଚରେ ଯେଉଁ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ସେହି ପ୍ରକଳ୍ପକୁ ଆଜି ଉଚ୍ଚ ସ୍ତରୀୟ ଅନୁମୋଦନ କର୍ତ୍ତୃପକ୍ଷଙ୍କ ବୈଠକରେ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପ ପ୍ରତିଷ୍ଠା ଲାଗି ବାଟ ଫିଟିଛି।
ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ଅନୁମୋଦନ କର୍ତ୍ତୃପକ୍ଷ ବୈଠକରେ ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି। ଆର୍ସେଲର ମିତ୍ତଲର ପ୍ରତିଷ୍ଠା କରିବାକୁ ଥିବା ଏହି ଇସ୍ପାତ କାରଖାନାରୁ ବାର୍ଷିକ ୨୪ ମେଟ୍ରିକ ଟନ୍ ଇସ୍ପାତ ଉତ୍ପାଦିତ ହେବ। ଏଥିପାଇଁ କମ୍ପାନୀ ୧ ଲକ୍ଷ ୨ ହଜାର ୨୭୫ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ। ଏହି ପ୍ରକଳ୍ପ ଦ୍ବାରା ପ୍ରାୟ ୧୬,୦୦୦ ଲୋକ ପ୍ରତ୍ୟକ୍ଷ
ନିଯୁକ୍ତି ପାଇବେ। ଏହାସହିତ ଆନୁଷଙ୍ଗିକ ଶିଳ୍ପ ଓ ସେବା ସଂସ୍ଥା ଦ୍ବାରା ଅଧିକ ସଂଖ୍ୟକ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହା ଦେଶର ସର୍ବବୃହତ ଇସ୍ପାତ କାରଖାନା ହେବ। ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗ କରି ପରିବେଶ ଅନୁକୂଳ ଓ ବହୁବିଧ ବିଶେଷତା ସମ୍ପନ୍ନ ଇସ୍ପାତ ଏଇ କାରଖାନା ଉତ୍ପାଦନ କରିବ।
ଇସ୍ପାତ ବ୍ୟତୀତ ବାର୍ଷିକ ୧୮.୭୫ ମେଟ୍ରିକ ଟନ୍‌ର ସିମେଣ୍ଟ ଉତ୍ପାଦନ କରାଯିବ। ଏହା ଦେଶର ଅନ୍ୟତମ ସର୍ବବୃହତ ସିମେଣ୍ଟ କାରଖାନା ହେବ। କେନ୍ଦ୍ରାପଡ଼ାର ଏହି ପ୍ରସ୍ତାବିତ ପ୍ରକଳ୍ପ ବିକଶିତ ଭିତ୍ତିଭୂମି ସୁବିଧା ଓ ଗମନାଗମନ ସହ ଅଞ୍ଚଳର ସାମଗ୍ରିକ ବିକାଶରେ ବେଶ ସହାୟକ ହେବ। ଆସନ୍ତା ୭ ବର୍ଷ ମଧ୍ୟରେ ଏହି ବୃହତ୍‌ ପ୍ରକଳ୍ପ ପ୍ରତିଷ୍ଠା କରାଯିବ। ବିଦ୍ୟୁତ, ଜଳ ସହିତ ଅନ୍ୟ ସମସ୍ତ ଅନୁମୋଦନ ପର୍ଯ୍ୟାୟକ୍ରମେ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯିବ।

Spread the love