ବୌଦ୍ଧ : ଆଉ ଦିନ କେଇଟା ପରେ ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ମହାନ ଗଣପର୍ବ ନୂଆଁଖାଇ। କରୋନା ସଂକ୍ରମଣ ପ୍ରଭାବ କମିଥିବାରୁ ଚଳିତବର୍ଷ ନୂଆଁଖାଇକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଛି। ମହିଳାମାନେ ବି ଘର ସଫାସୁତୁରା କରିବା ଆରମ୍ଭ କରିଦେଲେଣି। ନୂତନ ଫସଲ ଇଷ୍ଟ ଦେବଦେବୀଙ୍କଠାରେ ଲାଗି ହେବାପରେ ନୂଆଁ ଧାନ ଭକ୍ଷଣ କରାଯିବ। ତେବେ, ଚଳିତବର୍ଷ ବୌଦ୍ଧ ଜିଲ୍ଲାରେ ଦେଖାଦେଇଥିବା ମରୁଡ଼ି ପରିସ୍ଥିତି ଯୋଗୁଁ ନୂଆଁଖାଇ ଫିକା ପଡ଼ିବା ଆଶଙ୍କା ପ୍ରକାଶ ପାଇଛି। ଜିଲ୍ଲାରେ ନୂଆଁଖାଇ ପୂଜାରେ ଲାଗି ହେଉଥିବା ସରିଆଁ ଧାନର ଦେଖାନାହିଁ। ଯେଉଁ ଆଡ଼କୁ ଚାହିଁଲେ ସରିଆଁ ଧାନ ଚାଷ ହେଉଥିବା ଜମି ପଡ଼ିଆ ପଡ଼ିଛି। ଫଳରେ କୋଉଠୁ ଧାନ ଆଣି ଠାକୁରଙ୍କୁ ପୂଜା କରିବେ, କିଭଳି ନୂଆଁ ଖାଇବେ ବୋଲି ଲୋକଙ୍କ ମଧ୍ୟରେ ଭାଳେଣି ପଡ଼ିଥିବା ଦେଖିବାକୁ ମିଳିଛି।
ସରିଆଁ ହେଉଛି ଏକ ସଅଳ କିସମ ଧାନ। ଧାନ ବୁଣିବାର ଶହେ ଦିନରେ ଏହା ଅମଳକ୍ଷମ ହୋଇଥାଏ। ସାଧାରଣତଃ ଆଟ, ମାଳ କିସମ ଜମିରେ ଚାଷ ହେଉଥିବା ଏହି ଧାନ ଶ୍ରାବଣ ମାସ ଶେଷବେଳକୁ ଅମଳ ହୋଇଥାଏ। ଫଳରେ ନୂଆଁଖାଇ ଳକୁ ଲୋକଙ୍କ ପାଖରେ ନୂଆ ଧାନ ମହଜୁଦ ରହିଥାଏ। ହେଲେ, ଚଳିତ ବର୍ଷ ସ୍ଥିତି ଭିନ୍ନ ରହିଛି। ଚାଷୀଙ୍କ କହିବାନୁଯାୟୀ, ଜୁନ୍ ମାସର ପହିଲି ବର୍ଷାରେ ମାଳ, ଆଟ କିସମ ଜମିରେ ସରିଆଁ ଧାନ ଚାଷ କରାଯାଏ। ଚଳିତବର୍ଷ ଧାନ ବୁଣା ସମୟରେ ଜମି ଶୁଖିଲା ପଡ଼ିଥିଲା। ସ୍ଥିତି ଏଭଳି ହୋଇଥିଲା ଯେ, ଲଙ୍ଗଳରେ ଚାଷ କରିବା ସମ୍ଭବ ନଥିଲା। ଜୁଲାଇ ଶେଷ ସପ୍ତାହରେ ବର୍ଷା ହେଲା ବେଳକୁ ଧାନ ବୁଣିବା ସମୟ ଅତିବାହିତ ହୋଇଯାଇଥିଲା। ଫଳରେ ଲୋକେ ସରିଆଁ ଧାନ ଚାଷ କରି ପାରିନଥିଲେ। ସବୁ ଜମିରେ ଅନାବନା ଘାସ ଉଠି ମରୁ ଅଞ୍ଚଳ ଭଳି ପଡ଼ିରହିଛି।
ଫଳରେ, କଣ୍ଟାମାଳ ବ୍ଲକ୍ ସଦର ପଞ୍ଚାୟତର ଡୁମାଲପାଲି, ଉଦେପୁର, ଘଣ୍ଟାପଡ଼ା ପଞ୍ଚାୟତର ତବଡ଼ା, ତାଲବେଡ଼ା, ବରଗାଁ ପଞ୍ଚାୟତର ବୀରସିଂପୁର, କୁମେଲବନ୍ଧ, ଖୁଣ୍ଟିଗୋରା ପଞ୍ଚାୟତର ସିନ୍ଧୁଗୋରା ଓ କେନ୍ଦୁବେଡ଼ା ଅଞ୍ଚଳରେ ସରିଆଁ ଧାନ ଚାଷ ହୁଏ। ହେଲେ ଚଳିତ ବର୍ଷ ପ୍ରତିକୂଳ ପାଗ ଯୋଗୁଁ ଚାଷ ହୋଇପାରି ନାହିଁ। ସେହିପରି ବୌଦ୍ଧ ବ୍ଲକ୍ ମୁଣ୍ଡାପଡ଼ା ପଞ୍ଚାୟତ ନାଗସାହି, ମୁଣ୍ଡାପଡ଼ା, କନ୍ଧଧୃମାଲ, ବଡ଼ମାଲ, ବାରପୁଡ଼ୁଗ, ମୁଣ୍ଡିପଦର ପଞ୍ଚାୟତ ହରିପୁର, ପଲସପାଟ, କୁଲତାଖଲି, ତେଲିବନ୍ଧ ପଞ୍ଚାୟତର କାଶଲପୁର, କମଲପୁର, ରାମପୁର ଆଦି ଗ୍ରାମରେ ବ୍ୟାପକ ଭାବରେ ସରିଆଁ ଧାନ ଚାଷ ହେଉଥିଲା। ହେଲେ ଚଳିତବର୍ଷ ସେହି ଜମିସବୁ ପଡ଼ିଆ ପଡ଼ିଛି। କୃଷି ବିଭାଗର ସୂଚନା ଅନୁସାରେ ଚଳିତ ବର୍ଷ ଜିଲ୍ଲାର ବୌଦ୍ଧ ବ୍ଲକ୍ରେ ୨୩ ହଜାର ୬୨୦ ହେକ୍ଟର ଜମିରେ ଧାନ ଚାଷର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ତଳିଆ ଜମିରେ ଚାଷ ହୋଇଥିବା ବେଳେ ବର୍ଷା ଅଭାବରୁ ୭ ହଜାର ୯୯୫ ହେକ୍ଟର ମାଳ ଅଞ୍ଚଳ ପଡ଼ିଆ ପଡ଼ିଛି। ହରଭଙ୍ଗା ବ୍ଲକ୍ରେ ୧୫ ହଜାର ୬୯୫ ହେକ୍ଟର ଜମିରୁ ୫ ହଜାର ୯୬୦ ହେକ୍ଟର ଓ କଣ୍ଟାମାଳ ବ୍ଲକ୍ରେ ୧୯ ହଜାର ୯୯୩ ହେକ୍ଟର ମଧ୍ୟରୁ ୩ ହଜାର ୯୩୨ ହେକ୍ଟର ପଡ଼ିଆ ପଡ଼ିଛି। ମୋଟ ଉପରେ ଦେଖିଲେ ଜିଲ୍ଲାର ଲକ୍ଷ୍ୟ ଧାର୍ଯ୍ୟ ଥିବା ୫୯ ହଜାର ୩୦୮ ହେକ୍ଟର ଜମିରୁ ୧୭ ହଜାର ୮୮୭ ହେକ୍ଟର ଜମି ପଡ଼ିଆ ପଡ଼ିଛି। ଏଭଳି ପରିସ୍ଥିତିରେ ଗୃହକର୍ତ୍ତାମାନେ ନୂଆଁ ଖାଇବା ପାଇଁ ନୂତନ ଧାନ ସନ୍ଧାନ କରୁଥିବା ଦେଖାଯାଉଛି। ଏପରିକି ବଲାଙ୍ଗୀର, ସୁବର୍ଣ୍ଣପୁର, ସମ୍ବଲପୁର ଓ ଅନୁଗୁଳ ଆଦି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ନିଜ ଆତ୍ମୀୟଙ୍କୁ ନୂଆଁ ଧାନ ପାଇଁ ଯୋଗାଯୋଗ କରୁଥିବା ଜଣାଯାଇଛି।
More Stories
୨ଟି ରାଜ୍ୟର ଅଧ୍ୟକ୍ଷ ଓ ୬ଟି ରାଜ୍ୟର ପ୍ରଭାରୀ ନିଯୁକ୍ତ କଲା ବିଜେପି
କୌଣସି ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିବା ନାହିଁ ବିଜେଡି
ଜୁନ ୨୫କୁ କଳା ଦିବସ ପାଳନ କରିବ ବିଜେପି