
ଭୁବନେଶ୍ୱର, ୨୫/୦୩: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ଆସନ୍ତା ଏପ୍ରିଲ୍ ୨୮ ତାରିଖରୁ ଆରମ୍ଭ ହେବ। ମେ ୨୮ ଯାଏ ପରୀକ୍ଷା ଚାଲିବ । ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା କରାଯିବ । ସକାଳ ୯ଟାରୁ ୧୨ଟା ଯାଏ ପରୀକ୍ଷା ଚାଲିବ। ଏନେଇ ଗୁରୁବାର ସିଏଚ୍ଏସ୍ଇ ପକ୍ଷରୁ ପରୀକ୍ଷା ସୂଚୀ ପ୍ରକାଶ ପାଇଛି ।
ପ୍ରଥମ ଦିନ ମାତୃଭାଷା ପରେ ଏପ୍ରିଲ୍ ୩୦ରେ କଳା ଓ ବାଣିଜ୍ୟ ପିଲାଙ୍କର ଇଂରାଜୀ ବିଷୟ ପରୀକ୍ଷା କରାଯିବ। ମେ ୫ ତାରିଖରେ ଇତିହାସ, ବିଜିନେସ୍ ମ୍ୟାଥ୍ମେଟିକ୍ ଆଣ୍ଡ ଷ୍ଟାଟିଷ୍ଟିକସ୍, ୭ରେ ରାଜନୀତି ବିଜ୍ଞାନ ଓ ଆକାଉଣ୍ଟାନ୍ସି, ୯ରେ ବିଜ୍ଞାନ ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ଇଂରାଜୀ, ୧୦ରେ ଅର୍ଥନୀତି, ଆଇଆର୍ପିଏମ୍, ଫଣ୍ଡାମେଣ୍ଟାଲ୍ ଅଫ୍ ମ୍ୟାନେଜମେଣ୍ଟ ଆକାଉଣ୍ଟିଂ, ବିଜିନେସ୍ ଇକୋନୋମିକ୍ସ, କଷ୍ଟ ଆକାଉଣ୍ଟିଂ ଓ କମ୍ପ୍ୟୁଟର ଆପ୍ଲିକେସନ୍, ୧୧ରେ ରସାୟନ ବିଜ୍ଞାନ, ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ଇତିହାସ, ଆକାଉଣ୍ଟିଂ ଓ ପଦାର୍ଥବିଜ୍ଞାନ, ୧୩ରେ ଶିକ୍ଷା, ଭାରତୀୟ ସଙ୍ଗୀତ, ମନୋବିଜ୍ଞାନ, ବିଜିନେସ୍ ଷ୍ଟଡିଜ୍ ଆଣ୍ଡ ମ୍ୟାନେଜମେଣ୍ଟ, ୧୪ରେ ପଦାର୍ଥବିଜ୍ଞାନ, ଧନ୍ଦାମୂଳକ ପିଲାଙ୍କ ରାଜନୀତିବିଜ୍ଞାନ, ବିଜିନେସ୍ ଷ୍ଟଡିଜ୍ ଆଣ୍ଡ ମ୍ୟାନେଜ୍ମେଣ୍ଟ, ରସାୟନବିଜ୍ଞାନ, ୧୭ରେ ଜୀବବିଜ୍ଞାନ (ଉଦ୍ଭିଦ ବିଜ୍ଞାନ ଓ ପ୍ରାଣୀବିଜ୍ଞାନ) ବିଷୟର ପରୀକ୍ଷା ହେବ ।
ମେ ୧୮ରେ ଆଇଟି ଆଣ୍ଡ ଆଇଟିଇଏସ୍, ମଲ୍ଟି ସ୍କିଲିଂ, ଟୁରିଜିମ୍ ଆଣ୍ଡ ହସ୍ପିଟାଲିଟି, ଏଗ୍ରିକଲଚର, ପ୍ଲମ୍ବର, ଅଟୋମେଟିଭ୍, ଇଲେକ୍ଟ୍ରୋନିକ୍ସ ଆଣ୍ଡ ହାର୍ଡୱେୟାର, ରିଟେଲ୍, କନ୍ଷ୍ଟ୍ରକ୍ସନ୍, ବିୟୁଟି ଆଣ୍ଡ ୱେଲନେସ୍, ୧୯ରେ ଗଣିତ, ଗୃହବିଜ୍ଞାନ ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ଜୀବବିଜ୍ଞାନ ବିଷୟ ପରୀକ୍ଷା କରାଯିବ । ଇଣ୍ଟିଗ୍ରେଟେଡ୍ ଭୋକେସ୍ନାଲ୍ ବିଷୟର ପରୀକ୍ଷା ମେ ୨୦ ଓ ୨୧ ତାରିଖରେ ହେବ । ଭାଷାରେ ଅପ୍ସନାଲ୍ ରଖିଥିବା ପିଲାଙ୍କ ପରୀକ୍ଷା ୨୩ ଓ ୨୪ ତାରିଖରେ କରାଯିବ । ୨୫ରେ ଲଜିକ୍, ଭୂଗୋଳ ଓ ଧନ୍ଦାମୂଳକ ପିଲାଙ୍କ ଅଲ୍ ଟ୍ରେଡ୍ ପେପର୍-୩, ଅନ୍ୟ ସବୁ ମାତୃଭାଷା ପରୀକ୍ଷା ୨୬ ତାରିଖରେ ହେବ । ୨୭ରେ ଆନ୍ଥ୍ରୋପୋଲୋଜି, ସୋସିଓଲୋଜି ଓ ଷ୍ଟାଟିଷ୍ଟିକ୍ ଏବଂ ଶେଷ ଦିନ ଅର୍ଥାତ୍ ମେ ୨୮ ତାରିଖରେ ଜିଓଲୋଜି ବିଷୟର ପରୀକ୍ଷା କରାଯିବ।
ଛାତ୍ରଛାତ୍ରୀ ପରୀକ୍ଷାର ୩୦ ମିନିଟ୍ ପୂର୍ବରୁ କେନ୍ଦ୍ର ଭିତରକୁ ଯିବେ। ପରୀକ୍ଷାର ୧୫ ମିନିଟ୍ ପୂର୍ବରୁ ପରୀକ୍ଷା ଗୃହରେ ପହଞ୍ଚିବେ । ୧୦ ମିନିଟ୍ ପୂର୍ବରୁ ଉତ୍ତରଖାତା ଓ ୫ ମିନିଟ୍ ପୂର୍ବରୁ ପ୍ରଶ୍ନପତ୍ର ଦିଆଯିବ। ୨୦୧୫ ସୁଦ୍ଧା ପଞ୍ଜୀକରଣ କରିଥିବା ସମସ୍ତ କମ୍ପାଟ୍ମେଣ୍ଟାଲ୍ ଛାତ୍ରଛାତ୍ରୀ ସବୁ ବିଷୟରେ ପରୀକ୍ଷା ଦେବେ ।
ଥିଓରି ପରୀକ୍ଷା ପୂର୍ବରୁ ଆସନ୍ତା ଏପ୍ରିଲ୍ ୪ରୁ ୧୨ ତାରିଖ ଭିତରେ କଲେଜରେ ପ୍ରାକ୍ଟିକାଲ୍ ପରୀକ୍ଷା କରାଯିବ । ପ୍ରାକ୍ଟିକାଲ୍ ପାଇଁ ଏକ୍ସଟରନାଲ୍ ଆସିବେନି । ସମ୍ପୃକ୍ତ କଲେଜର ଅଧ୍ୟାପକ ହିଁ ପ୍ରାକ୍ଟିକାଲ୍ କରାଇବେ । ଏଥିପାଇଁ ତୁରନ୍ତ ପିଲାଙ୍କର ଗ୍ରୁପ୍ କରିବାକୁ ସମସ୍ତ ଅଧ୍ୟକ୍ଷଙ୍କୁ କୁହାଯାଇଛି। ଏହି ସମୟ ବାଦ୍ ଯଦି କୌଣସି କଲେଜରେ ପ୍ରାକ୍ଟିକାଲ୍ ପରୀକ୍ଷା କରାଗଲା, ପିଲାଙ୍କ ମାର୍କକୁ ସ୍ଥଗିତ ବା ବାତିଲ କରାଯିବ ବୋଲି ସିଏଚ୍ଏସ୍ଇ ପକ୍ଷରୁ କୁହାଯାଇଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍