September 16, 2024

Satya News

odia news channel

ଏହି ଦିନ ହେବ ସିନ୍ଦେ କ୍ୟାବିନେଟର ସମ୍ପ୍ରସାରଣ, ଜାଣନ୍ତ କେତେ ମନ୍ତ୍ରୀ ନେବେ ଶପଥ

 

ମୁମ୍ବାଇ: ମହାରାଷ୍ଟ୍ରରେ ଏକନାଥ ସିନ୍ଦେ ଏବଂ ଦେବେନ୍ଦ୍ର ଫଡନାଭିସ୍ ସରକାରଙ୍କ କ୍ୟାବିନେଟର ସମ୍ପ୍ରସାରଣ ତାରିଖ ସ୍ଥିର କରାଯାଇଛି। ସୂଚନାନୁସାରେ,ସିନ୍ଦେଙ୍କ କ୍ୟାବିନେଟର ସମ୍ପ୍ରସାରଣ ଜୁଲାଇ ୨୦ରେ ହେବ। ବର୍ତ୍ତମାନ ପର୍ଯ୍ୟନ୍ତ ଜୁଲାଇ ୧୭ କିମ୍ବା ୧୯ରେ କ୍ୟାବିନେଟର ସମ୍ପ୍ରସାରଣ ହୋଇପାରେ ବୋଲି ଆଲୋଚନା ହେଉଥିଲା। କିନ୍ତୁ ସିନ୍ଦେ ସରକାର ତାରିଖ ସ୍ଥିର କରିବା ପରେ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି।

ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୧୦ରୁ ୧୨ଜଣ ନେତା ଶପଥ ଗ୍ରହଣ କରିବେ। ତେବେ ଏପର୍ଯ୍ୟନ୍ତ କ୍ୟାବିନେଟ ସ୍ଥିର କରିପାରିନଥିବାରୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ବିରୋଧୀଙ୍କ ଟାର୍ଗେଟରେ ଥିଲେ। ହେଲେ ଏବେ ସିନ୍ଦେ ସରକାର କ୍ୟାବିନେଟର ସମ୍ପ୍ରସାରଣ ତାରିଖ ସ୍ଥିର କରି ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି।

କୁହାଯାଉଛି ଯେ ଏକନାଥ ସିନ୍ଦେ ଏବଂ ଫଡନାବିସ୍ ସରକାରଙ୍କ ଏହି କ୍ୟାବିନେଟ୍ ସମ୍ପ୍ରସାରଣ ଦୁଇଟି ପର୍ଯ୍ୟାୟରେ କରାଯିବ। ପ୍ରଥମ ପର୍ଯ୍ୟାୟର ଶପଥ ଗ୍ରହଣ ମୌସୁମୀ ଅଧିବେଶନ ପୂର୍ବରୁ ହେବ। ପ୍ରଥମ ପର୍ଯ୍ୟାୟର ବିଜେପିର ୬ଜଣ ବିଧାୟକ ଏବଂ ସିନ୍ଦେ ଦଳର ମଧ୍ୟ ପ୍ରାୟ ୬ଜଣ ବିଧାୟକ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ବିଜେପି ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ପାଟିଲ ଏବଂ ବରିଷ୍ଠ ନେତା ରାଧାକୃଷ୍ଣ ବିକାଶ ପାଟିଲ ପ୍ରଥମ ପର୍ଯ୍ୟାୟରେ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଜୁଲାଇ ୧୭ କିମ୍ବା ୧୯ରେ ସିନ୍ଦେ ସରକାରଙ୍କ କ୍ୟାବିନେଟ ବିସ୍ତାର ହେବ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଜୁଲାଇ ୧୮ରେ ହେବାକୁ ଥିବା ବେଳେ ବିଧାୟକଙ୍କୁ ବାରମ୍ବାର ଯେମିତି ନିର୍ବାଚନମଣ୍ଡଳୀରୁ ମୁମ୍ବାଇକୁ  ନଆସିବାକୁ ପଡେ ସେଥିପାଇଁ କ୍ୟାବିନେଟର ସମ୍ପ୍ରସାରଣ ପାଇଁ ଜୁଲାଇ ୨୦ତାରିଖ ସ୍ଥିର କରାଯାଇଛି।

Spread the love