ଭୁବନେଶ୍ୱର,୦୨/୦୭ : ବହୁ ସ୍ମୃତି ବିଜଡ଼ିତ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଡାକୋଟା ବିମାନ । ଖୁବ୍ଶୀଘ୍ର ଏହା କୋଲକାତାରୁ ଓଡ଼ିଶା ଆସିବ । ଏନେଇ ରାଜ୍ୟ ସରକାର ଜୋର୍ଦାର୍ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।
ରାଜ୍ୟ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶକ କହିଛନ୍ତି, ବିମାନକୁ କୋଲକାତାରୁ କିପରି ଅଣାଯିବ ସେଥିପାଇଁ ସପ୍ତାହକ ମଧ୍ୟରେ ଟେଣ୍ଡର ହେବ । ତା’ ପୂର୍ବରୁ ଏହା କେଉଁଠି ରହିବ ସେଥିପାଇଁ ରାଜ୍ୟ ସରକାର ସ୍ଥାନ ଚିହ୍ନଟ କରିସାରିଛନ୍ତି । ଭୁବନେଶ୍ୱର ଏୟାରପୋର୍ଟ ଗୋଲେଇ ଛକରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ଏହାକୁ ରଖାଯିବ । ଏଥିଲାଗି ଜିଏ ବିଭାଗ ଅନୁମତି ଦେଇସାରିଛି । ବାକି ବିମାନ ବନ୍ଦର ପ୍ରାଧିକରଣ (ଏଏଆଇ)କୁ ଅନୁମତି ମଗାଯାଇଛି । ଏନ୍ଓସି ଆସିଲେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ।
ଗତବର୍ଷ ଜାନୁଆରୀରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ବୈଠକ ବସିଥିଲା । ଡାକୋଟାକୁ ଆଣିବା ପାଇଁ ସରକାରୀସ୍ତରରେ ଏକ କମିଟି ଗଠନ ସହ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଚିଠି ଲେଖିବା ପାଇଁ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇଥିଲା । ଏଥିସହିତ ତା’ର ଗରିମା ବୃଦ୍ଧି ପାଇଲା ଭଳି ସ୍ଥାନରେ ସ୍ଥାନିତ କରିବାକୁ କଥା ହୋଇଥିଲା । ପ୍ରଥମେ କଟକ ଆନନ୍ଦ ଭବନରେ ରଖିବାକୁ ଯୋଜନା ହେଉଥିଲା । ସ୍ଥାନ ଅଭାବରୁ ପରବର୍ତ୍ତୀ ସମୟରେ ଭୁବନେଶ୍ୱର ବିମାନବନ୍ଦର ଗୋଲେଇ ଛକରେ ରଖିବାକୁ ସ୍ଥିର ହୋଇଥିଲା । ଏବେ ସେହି ଐତିହାସିକ ଡାକୋଟା ଫେରିବାକୁ ଯାଉଛି ।ବିଜୁବାବୁଙ୍କ ଏହି ଡାକୋଟା ବିମାନକୁ ଆଣିବା ଲାଗି ଗବେଷକ ଅନୀଲ ଧୀର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୨୦୧୭ ମସିହାରେ ଏକ ଚିଠି ଲେଖିଥିଲେ । ସେହି ସମୟରେ ସେ ବିମାନ ପାଖକୁ ଯାଇ ତା’ର କିଛି ଫଟୋ ଉଠାଇ ସ୍ଥିତି ସମ୍ପର୍କରେ ଅବଗତ କରିଥିଲେ ।
ବିଜୁବାବୁଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା କଳିଙ୍ଗ ଏୟାର ଲାଇନ୍ସରେ ୧୪ଟି ବିମାନ ଥିଲା । ସେଥିମଧ୍ୟରୁ ଡାକୋଟା ବିମାନ ବିଜୁବାବୁଙ୍କ ଅଧିକ ପ୍ରିୟ ଥିଲା । ଏହାକୁ ବିଜୁବାବୁ ନିଜେ ଚଲାଉଥିଲେ । ବହୁ ଦୁଃସାହସିକ ଅଭିଯାନରେ ବିଜୁଙ୍କ ସାଥୀ ଥିଲା ଏହି ଡାକୋଟା, ଯାହା ଅନେକ କାହାଣୀର ମୁଖସାଖୀ । ତାକୁ ଆଣିବାକୁ ପ୍ରୟାସ ଆରମ୍ଭ କରିଥିବା ସରକାରଙ୍କ ଉଦ୍ୟମକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ଅନେକ ବିଜୁପ୍ରେମୀ କହିଛନ୍ତି, ଆଗାମୀ ଦିନରେ ଏହି ବିମାନଟି ପରପିଢ଼ିଙ୍କୁ ଅପୁପ୍ରେରିତ କରିବ । ବିଜୁବାବୁଙ୍କ ସ୍ମୃତିକୁ ଉଜ୍ଜୀବିତ କରିବ । ସରକାରଙ୍କ ଏହି ପଦକ୍ଷେପ ନିଶ୍ଚିତ ଭାବେ ପ୍ରଶଂସନୀୟ ।
More Stories
୨ଟି ରାଜ୍ୟର ଅଧ୍ୟକ୍ଷ ଓ ୬ଟି ରାଜ୍ୟର ପ୍ରଭାରୀ ନିଯୁକ୍ତ କଲା ବିଜେପି
କୌଣସି ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିବା ନାହିଁ ବିଜେଡି
ଜୁନ ୨୫କୁ କଳା ଦିବସ ପାଳନ କରିବ ବିଜେପି