October 22, 2025

ଓସେପାର ବିଚିତ୍ର ନୀତି: ଅଡୁଆରେ ପ୍ରଧାନଶିକ୍ଷକ, ଟଙ୍କା ଆସିନି; ଜୁଲାଇ ୧୫ସୁଦ୍ଧା ପୋଷାକ ବଣ୍ଟନ ନିର୍ଦ୍ଦେଶ

 

କଟକ : ବିଦ୍ୟାଳୟରୁ ପିଲାଙ୍କ ତଥ୍ୟ ପଠାଯାଇନି କି ବିଦ୍ୟାଳୟକୁ ଆର୍ଥିକ ଅନୁଦାନ ଆସିନାହିଁ। ହେଲେ ସ୍କୁଲ ପିଲାଙ୍କୁ ଜୁଲାଇ ୧୫ସୁଦ୍ଧା ପୋଷାକ ଓ ଜୋତା ବାଣ୍ଟିବାକୁ ଓସେପା ପକ୍ଷରୁ ପ୍ରଧାନଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଯାଏ ଅନୁଦାନ ଆସିନାହିଁ। ଅନୁଦାନ ଆସିଲେ ବି ଖର୍ଚ୍ଚ ପାଇଁ ଏସ୍‌ଏମ୍‌ସିର ଅନୁ ମୋଦନ ‌ଆବଶ୍ୟକ। ସେପଟେ, ଏସ୍ଏମ୍‌ସି କାର୍ଯ୍ୟକାଳ ପୂରିଯାଇଛି। ଏଭଳି ସ୍ଥିତିରେ ଟଙ୍କା କିପରି ଉଠିବ ଓ କାହା ଅନୁମୋଦନରେ ଖର୍ଚ୍ଚ କରାଯିବ? ପୁଣି ଜୁଲାଇ ୧୫ସୁଦ୍ଧା ପୋଷାକ କିଣାଯାଇ ପିଲାଙ୍କୁ ବଣ୍ଟାଯିବ କିପରି? ଏହାକୁ ନେଇ ଦ୍ବନ୍ଦ୍ବରେ ପଡ଼ିଛନ୍ତି ବିଦ୍ୟାଳୟର ପ୍ରଧାନଶିକ୍ଷକମାନେ।

ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ, ଉଚ୍ଚପ୍ରାଥମିକ, ହାଇସ୍କୁଲରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ପୋଷାକ, ଜୋତା ବଣ୍ଟନ ପାଇଁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ ପାଖକୁ ଜୁଲାଇ ୭ତାରିଖରେ ଚିଠି ପହଞ୍ଚିଥିଲା। ଏହି ଆଧାରରେ କଟକ ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କ ପାଖରୁ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କ ପାଖରୁ ଜୁଲାଇ ୮ରେ ଛାତ୍ରଛାତ୍ରୀଙ୍କ ତଥ୍ୟ ଦେବା ପାଇଁ ନିର୍ଦ୍ଦେଶାବଳୀ ପଠାଗଲା। ଅନେକ ବିଦ୍ୟାଳୟ ଏଯାଏ ପିଲାଙ୍କ ତଥ୍ୟ ଦେଇନାହାନ୍ତି। ଓସେପା ପକ୍ଷରୁ ଛାତ୍ରଛାତ୍ରୀଙ୍କ ପିଛା ୬ଶହ ଟଙ୍କା(୨ହଳ ପୋଷାକ, ଏକ ହଳ ‌ଜୋତା, ୨ହଳ ମୋଜା ପାଇଁ) ଏଯାଏ କୌଣସି ବିଦ୍ୟାଳୟକୁ ଆସିନାହିଁ। ଟଙ୍କା ଆସିଲେ ପୁଣି ପ୍ରଧାନଶିକ୍ଷକ ଚାହିଁଲେ ଉଠାଇ ପାରିବେ ନାହିଁ କି ଖର୍ଚ କରିପାରିବେ ନାହିଁ। ଏଥିପାଇଁ ସ୍କୁଲ ପରିଚାଳନା ସମିତି(ଏସ୍‌ଏମ୍‌ସି)ର ଅନୁ ମୋଦନ ଓ ଏସ୍‌ଏମ୍‌ସି ସଭାପତିଙ୍କ ଦସ୍ତଖସ୍ତ ଆବଶ୍ୟକ। କିନ୍ତୁ କରୋନା ପାଇଁ ବିଭିନ୍ନ ବିଦ୍ୟାଳୟ ଏସ୍ଏମ୍‌ସିର କାର୍ଯ୍ୟକାଳକୁ ୨ଥର ସଂପ୍ରସାରିତ କରାଯିବା ପରେ ଜୁନ୍‌ ୩୦ତାରିଖରେ ଏହାର ଅବଧି ପୂରିଯାଇଛି। କୌଣସି ବିଦ୍ୟାଳୟରେ ଏବେ ଏସ୍‌ଏମ୍‌ସି ନାହିଁ। ଏଭଳି ସ୍ଥିତିରେ ଟଙ୍କା ଆସିଲେ ବି, ପ୍ରଧାନଶିକ୍ଷକଙ୍କର ଟଙ୍କା ଉଠାଇ ଖର୍ଚ କରିବାର କ୍ଷମତା ନାହିଁ। ପୋଷାକ ବଣ୍ଟନ ପାଇଁ ଓସେପା ଯେଉଁ ଗାଇଡଲାଇନ୍ ଜାରି କରିଛନ୍ତି, ତାହାକୁ ଅନୁପାଳନ କରି ପୋଷାକ କିଣିବା ମଧ୍ୟ ସମୟସାପେକ୍ଷ। ଏ କ୍ଷେତ୍ରରେ ଜୁଲାଇ ୧୫ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କରିବା ସମ୍ଭବ ନୁହେଁ ବୋଲି ବହୁ ପ୍ରଧାନଶିକ୍ଷକ କହିଛନ୍ତି।

କଟକର ଜଣେ ପ୍ରଧାନଶିକ୍ଷକଙ୍କ କହିବା ଅନୁସାରେ, ପୋଷାକ ବଣ୍ଟନ ପାଇଁ ବିଦ୍ୟାଳୟ ପକ୍ଷରୁ ପ୍ରଥମେ ପିଲାଙ୍କ ତଥ୍ୟ ଯାଏ। ସେହି ଅନୁସାରେ,‌ ବିଦ୍ୟାଳୟକୁ ଅନୁଦାନ ରାଶି ଆସେ। ଅନୁଦାନ ଆସିବା ପରେ ଏସ୍ଏମ୍‌ସି ବୈଠକରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ହୋଇ ପ୍ରଧାନଶିକ୍ଷକ ଓ ଏସ୍‌ଏମ୍‌ସି ଚେୟାରମ୍ୟାନ୍‌ ଉଭୟଙ୍କ ଦସ୍ତଖସ୍ତରେ ଟଙ୍କା ଉଠେ। ପରେ ତିନିଟି ପୋଷାକ ନିର୍ମାଣ ସଂସ୍ଥାଠୁ କୋଟେସନ୍‌ ଆସି, ସର୍ବନିମ୍ନ ଦର ଧାର୍ଯ୍ୟ କରିଥିବା ସଂସ୍ଥାଠୁ ପୋଷାକ କିଣାଯାଏ। କିନ୍ତୁ ଏଥର ଟଙ୍କା ଆସିନି କି ଏସ୍ଏମ୍‌ସି ନାହିଁ। ‌ଏଭଳି ସ୍ଥିତିରେ ପ୍ରଧାନଶିକ୍ଷକମାନେ ଜୁଲାଇ ୧୫ସୁଦ୍ଧା ପୋ‌ଷାକ ବାଣ୍ଟିବେ ‌କିପରି ବୋଲି ସଂପୃକ୍ତ ପ୍ରଧାନଶିକ୍ଷକ ପ୍ରଶ୍ନ କରିଛନ୍ତି।

Spread the love