July 12, 2025

ଓଡ଼ିଶାରେ ଆନ୍ଧ୍ର ମନ୍ତ୍ରୀଙ୍କ ଧମକ: ବିରୋଧ କଲେ ଗୁଳି କରିଦିଅ

 

ପାରଳାଖେମୁଣ୍ଡି : ଓଡ଼ିଶାର ଗାଁ ମାଣିକପାଟଣାରେ ଏବେ ଆନ୍ଧ୍ର ସଶସ୍ତ୍ର ପୁଲିସର କଡ଼ା ପହରା। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍‌ ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣା ଗାଁରେ ଆନ୍ଧ୍ର ମନ୍ତ୍ରୀ ଏସ.ଆପ୍ପାଲାରାଜୁଙ୍କ ଦାଦାଗିରି ସୀମା ଲଙ୍ଘିଛି। ଦୁଇଦିନ ତଳେ ସେ ମାଣିକପାଟଣା ଗସ୍ତ କରି ଓଡ଼ିଶା ପ୍ରଶାସନ ବନ୍ଦ କରିଥିବା ଆନ୍ଧ୍ରର ଅସ୍ଥାୟୀ ଅଙ୍ଗନବାଡ଼ି କେନ୍ଦ୍ର ତାଲା ଭାଙ୍ଗି ଅଣ୍ଡା, ଛତୁଆ ବାଣ୍ଟିଲେ। ଓଡ଼ିଶା ସରକାରଙ୍କୁ ଚାଲେଞ୍ଜ୍‌ ଦେଇ ଗଲେ। ଗଲା ପରେ ତାଙ୍କ ନିର୍ଦ୍ଦେଶରେ ଗାଁରେ ବର୍ତ୍ତମାନ ୨୪ ଘଣ୍ଟିଆ ପୁଲିସ କ୍ୟାମ୍ପ୍‌ ଖୋଲାଯାଇଛି। ସେଠାରେ ଏବେ ଆନ୍ଧ୍ର ପୁଲିସର ୨୪ ଘଣ୍ଟିଆ ନଜର। ଆନ୍ଧ୍ରର ଅଙ୍ଗନବାଡ଼ି କେନ୍ଦ୍ରକୁ ପୁନର୍ବାର ଓଡ଼ିଶାର କୌଣସି ଅଧିକାରୀ ଆସି ତାଲା ପକାଇବାକୁ କିମ୍ବା ସିଲ୍‌ କରିବା ପାଇଁ ପ୍ରୟାସ କଲେ ଗୁଳି କରିଦିଅ ବୋଲି ମନ୍ତ୍ରୀ ଆପ୍ପାଲାରାଜୁ କୁଆଡ଼େ ନିର୍ଦ୍ଦେଶ ଦେଇଥିବା ସେଠାରେ ନିୟୋଜିତ ପୁଲିସ ଅଧିକାରୀ କହୁଛନ୍ତି। ଗ୍ରାମବାସୀ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ଏପରି ନିର୍ଦ୍ଦେଶ ଗଙ୍ଗାବାଡ଼ବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି।

ମାଣିକପାଟଣା ଗ୍ରାମରେ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲା ମଞ୍ଜୁଷା ମଣ୍ଡଳ ଅଧୀନରେ ଥିବା ଆଇସିଡିଏସ୍‌ ପକ୍ଷରୁ ଏକ ଅସ୍ଥାୟୀ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ କରାଯାଇଥିଲା। ସେପ୍ଟେମ୍ବର ୩ ତାରିଖ ଦିନ ଗଜପତି ଜିଲ୍ଲା ପ୍ରଶାସନ ଏହାକୁ ବେଆଇନ ଦର୍ଶାଇ ସିଲ୍‌ କରାଯାଇଥିଲା। ପରବର୍ତ୍ତୀ ସମୟରେ ୭ ତାରିଖ ଦିନ ଗଜପତି ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ସେଠାରେ ପହଞ୍ଚି ଉପସ୍ଥିତ ଥିବା ଆନ୍ଧ୍ର ମଞ୍ଜୁଷା ମଣ୍ଡଳର କିଛି ଅଧିକାରୀଙ୍କ ସହ ‌ଆଲୋଚନା କରି ଓଡ଼ିଶା ସୀମା ମଧ୍ୟରେ ଆନ୍ଧ୍ର ସରକାରଙ୍କ କୌଣସି ପ୍ରକାର ସ୍ଥାୟୀ କିମ୍ବା ଅସ୍ଥାୟୀ ନିର୍ମାଣ କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ। ଏହା ପରେ ଆନ୍ଧ୍ରର ପଲାସା ବିଧାୟକ ତଥା ମନ୍ତ୍ରୀ ଏସ୍‌.ଆପ୍ପାଲାରାଜୁ ତାଙ୍କ ବିଧାନସଭା ନିର୍ବାଚନମଣ୍ଡଳୀ ସୀମାରେ ଥିବା ଓଡ଼ିଶାର ଗଙ୍ଗାବାଡ଼ ପଞ୍ଚାୟତରେ ନିଜର ରାଜନୈତିକ ଆଧିପତ୍ୟ ସାବ୍ୟସ୍ତ କରିବାକୁ ଗତ ୯ ତାରିଖରେ ନିଜ ସମର୍ଥକ ଓ ଅଧିକାରୀଙ୍କ ସହ ଦଳବଳ ନେଇ ମାଣିକପାଟଣାରେ ପହଞ୍ଚି ଶକ୍ତି ପଦର୍ଶନ କରିଥିଲେ। ଗଜପତି ପ୍ରଶାସନ ବନ୍ଦ କରିଥିବା ବେଆଇନ ଭାବେ ନିର୍ମିତ ଅଙ୍ଗନବାଡ଼ି କେନ୍ଦ୍ର ତାଲା ଭାଙ୍ଗି ଜୋର କରି ପିଲାଙ୍କୁ ଅଣ୍ଡା ଓ ଛତୁଆ ବାଣ୍ଟିଥିଲେ। କିଛି ସମୟ ତାଙ୍କ ସମର୍ଥକମାନେ ସ୍ଲୋଗାନ୍‌ ଦେଇ ହଙ୍ଗାମା କରିଥିଲେ।

ସେଠାରେ ସ୍ଥିତି ଅନୁଧ୍ୟାନ ପାଇଁ ଯାଇଥିବା ଗଜପତି ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ମନ୍ତ୍ରୀଙ୍କୁ ଏହା ଓଡ଼ିଶା ସୀମା ଭିତରେ ବୋଲି ବୁଝାଇବା ସହ ଓଡ଼ିଶାର ଅଙ୍ଗନବାଡ଼ି କେନ୍ଦ୍ର ଦେଖାଇଥିଲେ। ତେବେ ମନ୍ତ୍ରୀ ଆପ୍ପାଲାରାଜୁ ମାଣିକପାଟଣା ଗ୍ରାମ ଆନ୍ଧ୍ରପ୍ରଦେଶର ବୋଲି କହିବା ସହ ଏଥିରେ ହସ୍ତକ୍ଷେପ ନ କରିବାକୁ ତାଗିଦ୍‌ କରିଥିଲେ। ଏପରିକି ତମ ଅଙ୍ଗନବାଡ଼ି କେନ୍ଦ୍ର ମାଟିରେ ମିଶାଇଦେବି ବୋଲି ଧମକାଇଥିଲେ। ହେଲେ ଗଜପତି ଅତିରିକ୍ତ ଜିଲ୍ଲାପାଳ ଶାନ୍ତିଶୃଙ୍ଖଳାର ସହ ଆଇନ ଅନୁସାରେ ବିବାଦର ସମାଧାନ ପାଇଁ ଚାହିଁଥିଲେ। କୌଣସି ପରିସ୍ଥିତିରେ ଆନ୍ଧ୍ରକୁ ଓଡ଼ିଶା ସୀମାରେ ପୂରାଇ ଦିଆଯିବ ନାହିଁ ବୋଲି କହିଥିଲେ। ଏବେ ମାଣିକପାଟଣାରେ ଆନ୍ଧ୍ରର ୨୪ ଘଣ୍ଟିଆ ପୁଲିସ ପହରାକୁ ନେଇ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ଜିଲ୍ଲା ଓ ପୁଲିସ ପ୍ରଶାସନ ନିରବ ରହିଛନ୍ତି।

ଏ ସମ୍ପର୍କରେ ଗଜପତି ଏସ୍‌ପି ଜୟରାମ ଶତପଥୀଙ୍କୁ ଯୋଗାଯୋଗ କରିବାରେ ସେ କହିଛନ୍ତି ଯେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ଘଟଣାବଳୀ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଚିଠି ପଠାଯାଇଛି। ରାଜ୍ୟ ସରକାରଙ୍କ ଆଡୁ କୌଣସି ନିର୍ଦ୍ଦେଶ ଆସିନାହିଁ। ଏହା ଯେହେତୁ ଏକ ଅନ୍ତଃରାଜ୍ୟ ପ୍ରସଙ୍ଗ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଓ ଆଇନ ଅନୁସାରେ ପଦକ୍ଷେପ ନିଆଯିବ। ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ୯ ତାରିଖ ଘଟଣା ବିଷୟରେ ରାଜ୍ୟ ସରକାରଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ମାଣିକପାଟଣା ଗ୍ରାମରେ ଆନ୍ଧ୍ର ପକ୍ଷରୁ ପୁଲିସ ମୁତୟନ କରାଯିବା ନେଇ ବିଧିବଦ୍ଧ ଭାବେ ଗଜପତି ପୁଲିସ ପାଖରେ କୌଣସି ସୂଚନା ନାହିଁ। ତେବେ ସ୍ଥିତି ଉପରେ ବରାବର ନଜର ରଖିଛୁ ଏବଂ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

Spread the love