
କଟକ : କଟକ ଜିଲ୍ଲାରେ ଏବେ ବି କରୋନା ସଂକ୍ରମଣ ହାର ରହିଛି ୮ ପ୍ରତିଶତରୁ ଅଧିକ। ଅର୍ଥାତ ପ୍ରତି ଶହେ ଟେଷ୍ଟିଂରୁ ୮ରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ରାଜ୍ୟର ହାର ୪ ପ୍ରତିଶତରେ ପହଞ୍ଚିଥିବା ବେଳେ କଟକର ଏଭଳି ସ୍ଥିତି ଏବେ ଉଦବେଗର କାରଣ ହୋଇଛି। ଅନ୍ୟପଟେ ସଂକ୍ରମଣ ସଂପୂର୍ଣ୍ଣ ନିମ୍ନଗାମୀ ନହୋଇ ଉପରତଳ ହେବା ଘଟଣା ବି ଚିନ୍ତାର କାରଣ ହୋଇଛି। ମେ’ ମାସ ତୁଳନାରେ ଜୁନ୍ ମାସର ସଂକ୍ରମଣ ହାର ଯଦିଓ ଅଧା ହ୍ରାସ ପାଇଛି, ତଥାପି ସଂକ୍ରମଣ ୮ ପ୍ରତିଶତ ଉପରେ ରହିବା ଶୁଭସଙ୍କେତ ନୁହେଁ ବୋଲି ବିଶେଜ୍ଞମାନେ ମତ ଦେଇଛନ୍ତି। ଲକଡାଉନ୍ କଡ଼ାକଡି ଭାବେ କାର୍ଯ୍ୟକାରୀ ନହେବା, ଲୋକେ ସଚେତନ ନହେବା ସଂକ୍ରମଣର ଏଭଳି ସ୍ଥିତିକୁ ଦର୍ଶାଉଛି ଏବଂ ଲୋକେ ନ ସୁଧୁରିଲେ ଆମେ ଆଗକୁ ବି ଗୁରୁତର ସ୍ଥିତିର ସାମନା କରିବା ବୋଲି ବିଶେଷଜ୍ଞ ଚେତାଇ ଦେଇଛନ୍ତି।
ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ଜୁନ ମାସ ଆରମ୍ଭରୁ ଏଯାଏ କଟକ ଜିଲ୍ଲାରେ ମୋଟ ୧ ଲକ୍ଷ ୪୦୭ ଟେଷ୍ଟିଂ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୧୨,୬୧୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅର୍ଥାତ ମାସର ସଂକ୍ରମଣ ହାର ୧୨. ୫୬ ପ୍ରତିଶତ। କିନ୍ତୁ ବର୍ତ୍ତମାନ ଚାଲିଥିବା ସପ୍ତାହରେ ଏହି ସଂକ୍ରମଣ ହାର ଯଦିଓ ୮ ପ୍ରତିଶତକୁ ହ୍ରାସ ପାଇଛି, କିନ୍ତୁ ତାହା ସେତିକି ଉତ୍ସାହଜନକ ନୁହେଁ ବୋଲି କୁହାଯାଉଛି। ଗଲା ୬ ଦିନ ମଧ୍ୟରେ କଟକ ଜିଲ୍ଲାରେ ୩୪ ହଜାର ୬୯୬ଟି ଟେଷ୍ଟିଂ ହୋଇଥିବା ବେଳେ ସେଥିରୁ ୨୮୨୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅର୍ଥାତ ସଂକ୍ରମଣ ପ୍ରତିଶତ ରହିଛି ୮.୧୩ ପ୍ରତିଶତ। କିନ୍ତୁ କେନ୍ଦ୍ରସରକାରଙ୍କ ନିୟମାବଳୀ ଅନୁଯାୟୀ ସଂକ୍ରମଣ ହାର ୫ ପ୍ରତିଶତରୁ କମ ରହିଲେ ଯାଇ ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବା ଉଚିତ।
କଟକ ଜିଲ୍ଲାରେ ଗଲା ତିନି ମାସର ତଥ୍ୟ ଯଦି ଦେଖାଯାଏ ତାହେଲେ ଏପ୍ରିଲରେ ୫୭୩୫ ଜଣ, ମେ’ ମାସରେ ୨୬, ୨୪୧ଜଣ ଓ ଜୁନ୍ ମାସରେ ଏଯାଏ ସଂକ୍ରମିତଙ୍କ ସଂଖ୍ୟା ୧୨,୬୧୫ ରହିଛି। ତୁଳନାତ୍ମକ ଭାବେ କଟକ ସହରର ସଂକ୍ରମଣଠାରୁ ଗ୍ରାମାଞ୍ଚଳରେ ଅଧିକ ସଂକ୍ରମଣ ସଂଖ୍ୟା ରହୁଛି। ଏଯାଏ କଟକ ଜିଲ୍ଲାର କୋଭିଡ ହସ୍ପିଟାଲର ଆଇସିୟୁ ଓ ଭେଣ୍ଟିଲେଟର ବେଡ୍ ଉପରେ ବି ଚାପ ରହୁଛି। ଏବେ ତୃତୀୟ ଲହର ପ୍ରସ୍ତୁତି କଥା କୁହାଯାଉଥିବା ବେଳେ ଦ୍ବିତୀୟ ଲହର ପ୍ରକୋପରୁ କଟକ ମୁକୁଳି ପାରୁ ନାହିଁ। ରାଜ୍ୟ କୋଭିଡ୍ ବୈଷୟିକ ପରାମର୍ଶଦାତା ତଥା ଏସ୍ସିବି ମେଡିସିନ୍ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡାଙ୍କ କହିବା ଅନୁଯାୟୀ କଟକରେ ଏଭଳି ସ୍ଥିତି ପାଇଁ ମୁଖ୍ୟତଃ ଅମାନିଆ ଦାୟୀ। ଲକଡାଉନ୍ ନିୟମକୁ କଡାକଡି ଭାବେ ପାଳନ କରାଯାଉ ନାହିଁ କି ଲୋକେ ବିଶେଷ ସତର୍କ ହେଉ ନାହାନ୍ତି। ସତର୍କ ନହେଲେ ଆଗକୁ ସ୍ଥିତି ଅସମ୍ଭାଳ ହୋଇପାରେ। ଲକ୍ଡାଉନ୍, ସଟ୍ ଡାଉନ୍, କଟକଣା ଭିତରେ ବି ଭିଡ ନିୟନ୍ତ୍ରଣ ରହୁନି। ଲୁଚାଛପାରେ ସଟର ଅଧା ପକାଇ ଚାଲିଛି ବେପାର। ସ୍ବଭାବିକ ଦିନ ଭଳି ରାସ୍ତାରେ ଭିଡ ରହୁଛି। ଏଭଳି କାରଣରୁ କଟକ ଭଳି ଭୁବନେଶ୍ବର, ଯାଜପୁର ଖୋର୍ଦ୍ଧା, ପୁରୀରେ ସଂକ୍ରମଣ ଅଧିକ ରହୁଛି ବୋଲି ପ୍ରଫେସର ପଣ୍ଡା କହିଛନ୍ତି। ପ୍ରଫେସର ପଣ୍ଡା କହିଛନ୍ତି ଯେ ପଶ୍ଚିମ ଓଡିଶାରେ ସ୍ଥିତି ନିୟନ୍ତ୍ରଣକୁ ଆସିସାରିଲାଣି। ଏଭଳି ସମୟରେ ଲୋକେ ସରକାରଙ୍କୁ ସହଯୋଗ କରିବାର ଆବଶ୍ୟକତା ରହିଛି। ଜାରି ହେଉଥିବା କଟକଣାକୁ ସମସ୍ତେ ମାନିବା ଦରକାର।
କରୋନାର ଦ୍ବିତୀୟ ଲହର ଏବେ ବି ଯାଇନି। ଦେଶରେ ୫୦ ହଜାର ତଳକୁ ସଂକ୍ରମଣ ସଂଖ୍ୟା ଖସିଥିବା ବେଳେ ରାଜ୍ୟରେ ଏଯାଏ ସେଭଳି ଆଖିଦୃଶିଆ ସଂକ୍ରମଣ ହ୍ରାସ ହୋଇନି। ସତର୍କ ନହେଲେ ଏହି ଦ୍ବିତୀୟ ଲହର ବି ଆଗକୁ ସାଂଘାତିକ ହେବ ବୋଲି ପ୍ରଫେସର ପଣ୍ଡା ସତର୍କ କରାଇ ଦେଇଛନ୍ତି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍