October 22, 2025

କନ୍ଧମାଳ ଦେଶୀ ଫୁଲକୋବି ପ୍ରତି ମୁହଁ ଫେରାଉଛନ୍ତି ଚାଷୀ

 

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା। ଜିଲ୍ଲାର ଅଧିବାସୀ ମାନେ ମୁଖ୍ୟତଃ ଜଙ୍ଗଲ ଉପରେ ନିର୍ଭର କରୁଥିବା ବେଳେ ଜୈବିକ ପଦ୍ଧତିରେ ବିଭିନ୍ନ ପରିବା ଚାଷ କରି ଜୀବିକା ନିର୍ବାହ କରିଥାନ୍ତି। କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି, ଟିକାବାଲି ଓ ରାଇକିଆ ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମରେ ପ୍ରଚୁର ପରିମାଣର ପରିବା ଚାଷ ହୁଏ।। ମୁଖ୍ୟତଃ ବିନ୍ସ୍, ଫୁଲକୋବି, ବନ୍ଧାକୋବି, ଟମାଟୋ ଓ ଫଳକୋବି ଭଳି ପରିବା ଗାଁଗାଁରେ ଜୈବିକ ପଦ୍ଧତିରେ ଚାଷ କରାଯାଇଥାଏ।

ଗତବର୍ଷ କରୋନା ପାଇଁ ଚାଷୀ ସଂପୂର୍ଣ୍ଣ କ୍ଷତି ସହିଥିଲା। ଚଳିତବର୍ଷ ମଧ୍ୟ ସମାନ ଅବସ୍ଥା। କଟକ ଓ ଭୁବନେଶ୍ୱରରେ ବର୍ତ୍ତମାନ କଟକଣା ଲାଗିଥିବାରୁ ଆରମ୍ଭରୁ ପରିବା ଦର ନିମ୍ନମୁଖୀ ହେବାରେ ଲାଗିଛି। ବର୍ତମାନ ସ୍ଥାନୀୟ ଅଞ୍ଚଳରେ ଦେଶୀ ଫୁଲକୋବି ଆଦାୟ ଆରମ୍ଭ ହୋଇଥିବା ବେଳେ ନୂତନ ଉତ୍ପାଦିତ ପରିବା ଦର ଯେଉଁ ଭଳି ଚାଷୀକୁ ଲାଭ ଦେଇଥାଏ ସେହିପରି ଦେଇପାରୁନାହିଁ। ଫୁଲକୋବି କେଜି ମାତ୍ର ୨୫ରୁ ୩୦ ଟଙ୍କାରେ ବିକ୍ରି ହେଉଛି।

ହୋଲସେଲ୍ ବଜାରରେ ଏହି ଦର ଆହୁରି କମ୍ ରହୁଛି। ଦେଶୀ ଫୁଲକୋବିର ଚାହିଦା ଅଛି ହେଲେ ବଜାର ନାହିଁ। ଜୈବିକ ପଦ୍ଧତିରେ ସ୍ଥାନୀୟ ଅଧିବାସୀ ଫୁଲକୋବି ଚାଷ କରୁଥିବା ଯୋଗୁଁ ଏହା ସତେଜ ଏବଂ ସ୍ୱାଦିଷ୍ଟ ରହିବା ସହ ଛୋଟ ରହିଥାଏ। ଯେଉଁ କାରଣରୁ କଟକ, ଭୁବନେଶ୍ୱର, ନୟାଗଡ଼ ଓ ବ୍ରହ୍ମପୁର ଭଳି ସହରରେ ଏହାର ଚାହିଦା ବେଶ ରହିଛି। ବାହାର ସହରର ବ୍ୟବସାୟୀ ଆସି ଚାଷୀଙ୍କ ପାଖରୁ ଫୁଲକୋବି ନେଇଯାଉଥିବା ବେଳେ ଗତବର୍ଷ ଏବଂ ଚଳିତବର୍ଷ କରୋନା କଟକଣା ସବୁ ବିଗାଡ଼ି ଦେଇଛି। ସ୍ଥାନୀୟ ଅଞ୍ଚଳର ଯୁବଗୋଷ୍ଠୀ ଚାଷ ପ୍ରତି ବିମୁଖ ହୋଇ ଦାଦନ ଖଟିବାକୁ କେରଳ ଅଭିମୁଖେ ଯାଉଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଅଞ୍ଚଳରେ ଚାଷୀଙ୍କ ଉତ୍ପାଦିତ ପରିବା ବିକିବା ପାଇଁ ବଜାର ସୃଷ୍ଟି କରିବାରେ ଜିଲ୍ଲା ପ୍ରଶାସନ ବିଫଳ ହୋଇଥିବା ବେଳେ ଚାଷୀ ନିଜ ପରିଶ୍ରମର ମୂଲ୍ୟ ନପାଇ ଚାଷ ପ୍ରତି ବିମୁଖ ହୋଇଛନ୍ତି।

Spread the love