September 19, 2024

Satya News

odia news channel

‘କାଳିଆ’ରୁ ବାଦ୍‌ ୧୦ ଲକ୍ଷ ଚାଷୀ

 

ଭୁବନେଶ୍ୱର : ରାଜ୍ୟରେ ବଢୁଛି ଜନସଂଖ୍ୟା। ୨୦୧୧ ଜନଗଣନା ଅନୁଯାୟୀ ରାଜ୍ୟରେ ୪କୋଟି ୧୯ଲକ୍ଷ ୭୪ହଜାର ୨୧୮ ଜନସଂଖ୍ୟା ଥିବାବେଳେ ୨୦୨୧-୨୨ ଆଧାରକାର୍ଡ ଗଣନା ଅନୁଯାୟୀ ୪କୋଟି ୫୪ଲକ୍ଷ ୨୯ହଜାର ୩୯୯ ରହିଛି। ହିସାବ ଅନୁଯାୟୀ ୧୦ ବର୍ଷରେ ଜନସଂଖ୍ୟା ୩୪ଲକ୍ଷ ୫୫ହଜାର ୧୮୧ ବୃଦ୍ଧି ପାଇଛି। ଅର୍ଥାତ୍‌ ବର୍ଷକୁ ୩ଲକ୍ଷ ୪୫ହଜାରରୁ ଊର୍ଦ୍ଧ୍ବ ଜନସଂଖ୍ୟା ବୃଦ୍ଧି ପାଉଥିବାବେଳେ ଚାଷୀଙ୍କ ହାର ସେହି ପରିମାଣରେ ନବଢ଼ି କମୁଛି। ୫ବର୍ଷରେ ୧୦ଲକ୍ଷ ଚାଷୀ ସରକାରଙ୍କ ତଥ୍ୟ ଅନୁଯାୟୀ କମିଛନ୍ତି। ଏହା ପଛରେ ଶିଳ୍ପାୟନ ଅଭିବୃଦ୍ଧି ନା ଆଉ କିଛି କାରଣ ରହିଛି ତାକୁ ନେଇ ବିଭିନ୍ନ ମହଲରେ ଆରମ୍ଭ ହୋଇଛି ମନ୍ଥନ। ଚର୍ଚ୍ଚା ବି ଜୋର୍‌ ଧରିଛି। ସରକାର କୃଷିକୁ ଅଗ୍ରାଧିକାର ଦେଉଥିବାବେଳେ ‘କାଳିଆ’ ହିତାଧିକାରୀଙ୍କ ସଂଖ୍ୟା କାହିଁକି କମୁଛି ତାହାର କାରଣ ସ୍ପଷ୍ଟ ହୋଇପାରିନି।
ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀ ଗଣନା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରାଯାଉଛି। କୃଷି ବିଭାଗ ପକ୍ଷରୁ ‘କୃଷକ ପୋର୍ଟାଲ’ କାର୍ଯ୍ୟକ୍ଷମ ହୋଇଥିବାବେଳେ ଖାଦ୍ୟ ଓ ଯୋଗାଣ ଏବଂ ସମବାୟ ବିଭାଗ ପକ୍ଷରୁ ଧାନ ସଂଗ୍ରହ ଲାଗି ପୃଥକ୍‌ ଭାବେ ପ୍ରକୃତ ଚାଷୀ ଓ ଭାଗଚାଷୀ ଗଣନା ହେଉଛି। ହେଲେ ଦେଶ ପାଇଁ ମଡେଲ ଯୋଜନା କୁହାଯାଉଥିବା ରାଜ୍ୟ ସରକାରଙ୍କ ନିଜସ୍ବ ‘କାଳିଆ’ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା କାହିଁକି କମୁଛି ତାହା ବୁଝାପଡୁନି। ୨୦୧୮ରେ ରାଜ୍ୟ ସରକାରଙ୍କ ପକ୍ଷରୁ ‘କାଳିଆ’ ଯୋଜନା ପ୍ରଣୟନ ବେଳେ ରାଜ୍ୟର ୫୧ ଲକ୍ଷ ୫ହଜାର ୨୯୦ରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କୁ ସାମିଲ କରାଯାଇଥିଲା। ମାତ୍ର ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୧ ଲକ୍ଷ ଚାଷୀଙ୍କୁ କାଳିଆ ସହାୟତା ବଣ୍ଟନ କରିଛନ୍ତି। ଏହାବାଦ୍‌ ୮୫ହଜାର ଭୂମିହୀନ ଚାଷୀ ରହିଛନ୍ତି। ତେବେ ଯୋଜନା ଆରମ୍ଭ ବେଳେ କେତେକ ଭୂତ ଚାଷୀ ଯୋଡ଼ି ହେବା ନେଇ ଅଭିଯୋଗ ଆସିଥିଲା। ଏମିତିକି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ନାମ ସହିତ ବହୁ ରାଜନେତାଙ୍କ ନାମ ‘କାଳିଆ’ ଯୋଜନାରେ ଥିବାରୁ ସରକାରଙ୍କ ପକ୍ଷରୁ ଭୂତଚାଷୀ କାଟିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହିକ୍ରମରେ ଏବେ ପ୍ରାୟ ୩ ଲକ୍ଷ ୪୧ ହଜାର ଭୂତ ଚାଷୀଙ୍କ ନାମ ପର୍ଯ୍ୟାୟକ୍ରମେ ସରକାରୀ ଭାବେ କଟାଯାଇଛି। ତେ‌େ‌ବ କାଳିଆରେ ପ୍ରଥମେ ସରକାର ବାର୍ଷିକ ୧୦ ହଜାର ଟଙ୍କା ସହାୟତା ୫୧ଲକ୍ଷରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କୁ ଦେଉଥିଲେ। ଏବେ ୪ ହଜାର ଟଙ୍କା ବାଷିକ ଦିଆଯାଉଛି। ତେବେ ୫ବର୍ଷ ମଧ୍ୟରେ ଚାଷୀ ସଂଖ୍ୟା ହ୍ରାସ ପାଇ ୪୧ଲକ୍ଷ ୮୫ହଜାରରେ ପହଞ୍ଚିଲାଣି। ଏଥିରେ ୮୫ହଜାର ଭୂମିହୀନ ଚାଷୀ ଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।
କେନ୍ଦ୍ର ସରକାରଙ୍କ ‘ପିଏମ-କିଷାନ’ ଓ ରାଜ୍ୟ ସରକାରଙ୍କ ‘କାଳିଆ’ ଭଳି ଦୁଇଟି ଯୋଜନାରେ ଚାଷୀ ଆର୍ଥିକ ପ୍ରୋତ୍ସାହନ ପାଉଛନ୍ତି। କେନ୍ଦ୍ର ସରକାରଙ୍କୁ ପିଏମ୍‌-କିଶାନରେ ରାଜ୍ୟ ସରକାର ଯେଉଁ ଚାଷୀ ତାଲିକା ଦେଇଛନ୍ତି ତାହା ପାଖାପାଖି ୩୬ ଲକ୍ଷ ରହିଛି। ଏଣେ ଖୋଦ୍ ରାଜ୍ୟ ସରକାରଙ୍କ ‘କାଳିଆ’ ହିତାଧିକାରୀ ୫୧ ଲକ୍ଷରୁ ୫ ବର୍ଷରେ ୪୨ ଲକ୍ଷକୁ ଖସିବା ପଛର ରହସ୍ୟ ଜଣାପଡୁନି। ରାଜ୍ୟ ସରକାର କୃଷି ପାଇଁ ଯେଉଁ ସ୍ବତନ୍ତ୍ର ବଜେଟ୍‌ କରିଛନ୍ତି ସେଥିରେ ସିଂହଭାଗ ଅର୍ଥ ‘କାଳିଆ’ ଯୋଜନା ବାବଦରେ ବିନିଯୋଗ କରାଯିବାକୁ ବରାଦ କରାଯାଇଛି। ତେବେ ପାଖାପାଖି ଯୋଜନା ଆରମ୍ଭର ୪ ବର୍ଷରୁ ଅଧିକ ସମୟ ବିତିଥିବାବେଳେ ହିତାଧିକାରୀଙ୍କ ସଂଖ୍ୟା ହ୍ରାସକୁ ନେଇ ବିଭାଗ ପକ୍ଷରୁ ତନାଘନା ଚାଲିଛି। ରାଜ୍ୟରେ ଏକଦା କୃଷି କ୍ଷେତ୍ର ରାଜ୍ୟ ମୋଟ ଆୟର ମୁଖ୍ୟସ୍ରୋତ ଥିଲା। ଏବେ ଶିଳ୍ପ ଓ ସେବାକ୍ଷେତ୍ର ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ସ୍ଥାନକୁ ଆସିଥିବାବେଳେ କୃଷି ତୃତୀୟ ସ୍ଥାନକୁ ଠେଲି ହୋଇଯାଇଛି। ଅର୍ଥାତ୍‌ ଲୋକଙ୍କ ଆୟପନ୍ଥା ଚାଷ ନହୋଇ ଅନ୍ୟାନ୍ୟ କ୍ଷେତ୍ରକୁ ମୁହାଁଇଛି।
ସୂଚନା ଅନୁଯାୟୀ ରାଜ୍ୟ ସରକାରଙ୍କ ପକ୍ଷରୁ କାଳିଆ ଯୋଜନାରେ ଅଧିକାରୁ ଅଧିକ ଚାଷୀ ଯୋଡ଼ି ହେବାପାଇଁ ଗୁରୁତ୍ବ ଦିଆଯାଉଛି। ଗତକାଲି ରାଜ୍ୟ ସରକାରଙ୍କ ପକ୍ଷରୁ କାଳିଆରେ ୪୧ଲକ୍ଷ ୮୫ ହଜାର ଚାଷୀଙ୍କୁ ୮୬୯କୋଟି ଟଙ୍କା ପ୍ରଦାନ କରାଯାଇଛି। ହେଲେ ଯୋଜନା ଆରମ୍ଭ ବେଳେ ଯେତିକି ଚାଷୀ ଥିଲେ ଏବେ ପ୍ରାୟ ୧୦ ଲକ୍ଷ ଚାଷୀ କୁଆଡ଼େ ଗଲେ ‌ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
କୃଷି ବିଭାଗ ପକ୍ଷରୁ ‘କାଳିଆ’ ଯୋଜନାରୁ ବଞ୍ଚିତ ଥିବା ଚାଷୀଙ୍କ ଉଦ୍ଦେଶ୍ୟରେ ‘ସିଟିଜେନ୍ ପୋର୍ଟାଲ’ କାର୍ଯ୍ୟକ୍ଷମ କରାଯାଇଛି। ଏହି ପୋର୍ଟାଲ ଏବେ ୩୦ ଦିନ ପାଇଁ ଖୋଲା ରହିବ। ଯେଉଁ ଚାଷୀମାନେ କାଳିଆ ବାବଦ ୨ହଜାର ଟଙ୍କାର ରବି ସହାୟତା ପାଇନାହାନ୍ତି ସେମାନେ ଏହି ପୋର୍ଟାଲରେ ତାଙ୍କର ସମସ୍ୟା ସମ୍ପର୍କରେ ଅବଗତ କରାଇବାକୁ କୁହାଯାଇଛି। ଏହାସହିତ କାଳିଆ ଯୋଜନାରେ ଆର୍ଥିକ ସହାୟତା ଯଦି ବ୍ୟାଙ୍କରେ ‘କେୱାଇସି’ ନଥିବ କିମ୍ବା ଅନ୍ୟାନ୍ୟ
କୌଣସି କାରଣରୁ ପହଞ୍ଚିନାହିଁ ସେନେଇ ପୋର୍ଟାଲରେ ଅବଗତ କରାଇବାକୁ ଦର୍ଶାଯାଇଛି। ଏହାବାଦ୍ ନୂତନ ଭାବେ କାଳିଆ ଯୋଜନାରେ ଯୋଡ଼ି ହେବାକୁ ବିଭାଗ ପକ୍ଷରୁ ଆହ୍ବାନ ଦିଆଯାଇଛି।

Spread the love