November 22, 2024

Satya News

odia news channel

କୁଟିଆ କନ୍ଧ ଉନ୍ନୟନ ସଂସ୍ଥାରେ ଦୁର୍ନୀତି: ଜାଲ୍‌ ଦସ୍ତଖତରେ ନେଇଗଲେ ଲକ୍ଷଲକ୍ଷ ଟଙ୍କା, ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ

 

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବେଲଘରଠାରେ ଆଦିମ ଜନଜାତି କୁଟିଆ କନ୍ଧଙ୍କ ବିକାଶ ନିମନ୍ତେ କାର୍ଯ୍ୟରତ ଅଣୁ ପ୍ରକଳ୍ପ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା (କେକେଡିଏ)ରେ ବଡ଼ ଧରଣର ଦୁର୍ନୀତି ପଦାକୁ ଆସିଛି। କେକେଡିଏର ସ୍ବତନ୍ତ୍ର ଅଧିକାରୀଙ୍କ ଜାଲ୍‌ ଦସ୍ତଖତ ଓ ଚିଠି ବଳରେ ବ୍ୟାଙ୍କ୍‌ରୁ ଲକ୍ଷାଧିକ ଟଙ୍କା ଉଠାଣ ହୋଇଛି। କେକେଡିଏ ଅଧୀନରେ ଥିବା ୪ଟି ଭିଡିସି (ଗ୍ରାମ ଉନ୍ନୟନ ସଂଘ)ର ସଭାପତି ଓ ସମ୍ପାଦକମାନେ ସ୍ବତନ୍ତ୍ର ଅଧିକାରୀଙ୍କ ବିନା ଅନୁମୋଦନ ଏବଂ ଜାଲ୍‌ ଚିଠି, ଦସ୍ତଖତ ବଳରେ ଲକ୍ଷାଧିକ ଟଙ୍କା ଉଠାଇ ନେଇ ଯାଇଛନ୍ତି। ଏ ନେଇ ଅଧିକ ଖୋଳତାଡ଼ ଆରମ୍ଭ ହୋଇଛି। ଏଭଳି ଏକ ସାଂଘାତିକ ଅନିୟମିତତାର ତଦନ୍ତ ପାଇଁ କନ୍ଧମାଳ ଜିଲ୍ଲାପାଳ ଡ. ବୃନ୍ଦା ଡି. ନିର୍ଦ୍ଦେଶ ଦେଇଛନ୍ତି।

କୁଟିଆ କନ୍ଧଙ୍କ ବିକାଶ ପାଇଁ ୧୯୭୮ ମସିହାରେ ତୁମୁଡ଼ିବନ୍ଧ ବ୍ଲକ୍‌ ବେଲଘରଠାରେ ପ୍ରତିଷ୍ଠିତ ହୋଇଥିବା ଅଣୁ ପ୍ରକଳ୍ପ କୁଟିଆ କନ୍ଧ ବିକାଶ ସଂସ୍ଥା ବିଶେଷ କରି ସେମାନଙ୍କର ବିକାଶ ପାଇଁ କାର୍ଯ୍ୟ କରିଆସୁଛି। ତୁମୁଡ଼ିବନ୍ଧ ଓ କୋଟଗଡ଼ ବ୍ଲକ୍‌ର ୪ଟି ପଞ୍ଚାୟତର ମୋଟ ୬୮ଟି ଗ୍ରାମରେ ବସବାସ କରୁଥିବା ୬,୪୩୪ ‌ଜନସଂଖ୍ୟାର ଉନ୍ନୟନ ପାଇଁ ଏହି ପ୍ରକଳ୍ପ କାର୍ଯ୍ୟ କରୁଛି। କେକେଡିଏ ମାର୍ଫତରେ ‘ଓପିଲିପି’ (ଓଡ଼ିଶା ପିଭିଟିଜି ସଶକ୍ତୀକରଣ ଏବଂ ଜୀବନଜୀବିକା ଉନ୍ନୟନ କାର୍ଯ୍ୟକ୍ରମ) କୁଟିଆ କନ୍ଧ ଗ୍ରାମଗୁଡ଼ିକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ କରି ଆସୁଛି। ମାଇକ୍ରୋ ପ୍ରୋଜେକ୍ଟ ଗାଇଡଲାଇନ ଅନୁସାରେ, ବିଭିନ୍ନ କୁଟିଆ କନ୍ଧ ଗ୍ରାମଗୁଡ଼ିକରେ ‘ଭିଡିସି’ (ଭିଲେଜ ଡେଭଲପମେଣ୍ଟ କମିଟି) ଗଠନ କରାଯାଇଛି। ଏହି ଭିଡିସି ନାମରେ ବ୍ୟାଙ୍କ ମାନଙ୍କରେ ଆକାଉଣ୍ଟ ବହି ଖୋଲାଯାଇଛି। ଭିଡିସି (ଗ୍ରାମ ଉନ୍ନୟନ ସଂଘ)ର ସଭାପତି ଓ ସମ୍ପାଦକ ନିର୍ବାଚିତ ହୋଇଥାନ୍ତି। ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗରୁ ଆସୁଥିବା ଟଙ୍କା କେକେଡିଏ ମାର୍ଫତରେ ପ୍ରତି ଗ୍ରାମର ଭିଡିସି ଆକାଉଣ୍ଟକୁ ଯାଇଥାଏ। କେକେଡିଏର ସ୍ବତନ୍ତ୍ର ଅଧିକାରୀଙ୍କ ଅନୁମତି ପତ୍ର (କନ୍‌ସେଣ୍ଟ ଲେଟର) ଓ ଦସ୍ତଖତ ବଳରେ ଭିଡିସିର ସମ୍ପାଦକ ଓ ସଭାପତି ଟଙ୍କା ଉଠାଇଥାନ୍ତି। ମାତ୍ର, ଗତ ସପ୍ତାହରେ କେକେଡିଏ ଅନ୍ତର୍ଗତ ୪ଟି ଗ୍ରାମର ଭିଡିସି ସ୍ବତନ୍ତ୍ର ଅଧିକାରୀଙ୍କ ନକଲି ଅନୁମତି ପତ୍ର ଓ ଜାଲ୍‌ ଦସ୍ତଖତ ବଳରେ ଲକ୍ଷାଧିକ ଟଙ୍କା ଉଠାଇ ନେଇଯାଇଛନ୍ତି। ଏମାନେ ସ୍ବତନ୍ତ୍ର ଅଧିକାରୀଙ୍କ ଚିଠିକୁ ଟ୍ୟାମ୍ପରିଂ କରି ବ୍ୟାଙ୍କରେ ଉପସ୍ଥାପନ କରି ଟଙ୍କା ଉଠାଇ ନେଇଯାଇଥିବାବେଳେ ସ୍ବତନ୍ତ୍ର ଅଧିକାରୀ ଏସମ୍ପର୍କରେ କିଛି ବି ସୁରାକ୍‌ ପାଇ ନାହାନ୍ତି।

ଅନୁସନ୍ଧାନରୁ ଜଣାପଡ଼ିଛି, କେକେଡିଏ ଅନ୍ତର୍ଗତ ଝାଲିପଡ଼ା ଗ୍ରାମର ଭିଡିସି ସ୍ବତନ୍ତ୍ର ଅଧିକାରୀଙ୍କ ଜାଲ୍‌ ଦସ୍ତଖତ ଓ ଚିଠି ବଳରେ ବ୍ୟାଙ୍କରୁ ୧ ଲକ୍ଷ ଟଙ୍କା ଉଠାଇ ନେଇଥିବାବେଳେ ବେଲଘର ଭିଡିସି ୧ ଲକ୍ଷ ଟଙ୍କା, ତୁଆକେଲା ଭିଡିସି ୩.୨୦ ଲକ୍ଷ ଟଙ୍କା, ଧୁଡୁସି ଭିଡିସି ୬୦ ହଜାର ଟଙ୍କା ଉଠାଇ ନେଇଯାଇଛନ୍ତି। ତେବେ ସ୍ବତନ୍ତ୍ର ଅଧିକାରୀଙ୍କ ବିନା ଜ୍ଞାତସାରରେ ଏହି ଭିଡିସିମାନେ କିଭଳି ଲକ୍ଷାଧିକ ଟଙ୍କା ଉଠାଇ ନେଇଗଲେ ତାହାକୁ ନେଇ ଏବେ ଖୋଳତାଡ଼ ଆରମ୍ଭ ‌ହୋଇଛି। କେବଳ ଏହି ୪ଟି ଭିଡିସି ସ୍ବତନ୍ତ୍ର ଅଧିକାରୀଙ୍କ ଜାଲ୍‌ ଦସ୍ତଖତ ଓ ଚିଠି ବଳରେ ଏଭଳି ଲକ୍ଷାଧିକ ଟଙ୍କା ଉଠାଇଛନ୍ତି ନା ଆହୁରି ଅନେକ ଭିଡିସି ଏଥିରେ ସମ୍ପୃକ୍ତ ଅଛନ୍ତି ତାହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସିପାରିବ। ତେବେ ଏ ନେଇ ଏହି ୪ଟି ଭିଡିସିଙ୍କ ବିରୋଧରେ ବେଲଘର ଥାନାରେ ଏତଲା ଦିଆଯାଇଛି ବୋଲି କେକେଡିଏ ସ୍ବତନ୍ତ୍ର ଅଧିକାରୀ ରେଣୁଧର ନାଏକ ସୂଚନା ଦେଇଛନ୍ତି। ଅପରପକ୍ଷେ, ଏହି ବେଆଇନ ଟଙ୍କା ଉଠା‌ଣରେ ଭିଡିସିର ସଭାପତି, ସମ୍ପାଦକଙ୍କ ସହିତ କେକେଡିଏ ଅଫିସ ସାମିଲ ଅଛି କି ନାହିଁ ବେଲଘର ପୁଲିସ ତାହାର ତଦନ୍ତ କରୁଛି। ମାତ୍ର, କେକେଡିଏ ଅଫିସର ବିନା ଜ୍ଞାତସାରରେ ଭିଡିସିର ସଭାପତି ଓ ସମ୍ପାଦକ ଜାଲ୍‌ ଚିଠି ଓ ଦସ୍ତଖତ ବଳରେ ଟଙ୍କା ଉଠାଇ ନେଇ ଯାଇଛନ୍ତି ବୋଲି କେକେଡିଏ ସ୍ବତନ୍ତ୍ର ଅଧିକାରୀ ଶ୍ରୀ ନାଏକ କହିଛନ୍ତି। କେକେଡିଏର ସ୍ବତନ୍ତ୍ର ଅଧିକାରୀ ଚିଠି କରିବା ସହ ବିଭିନ୍ନ ଭିଡିସି ପାଇଁ ପାଣ୍ଠିକୁ ଅନୁମୋଦିତ କରିବା ପରେ ଭିଡିସିର ସଭାପତି ଓ ସମ୍ପାଦକ ଟଙ୍କା ଉଠାଇଥାନ୍ତି। ମାତ୍ର, ସ୍ବତନ୍ତ୍ର ଅଧିକାରୀଙ୍କ ବିନା ଅନୁମୋଦନରେ କିଭଳି ଟଙ୍କା ଉଠିଲା ତାହାକୁ ନେଇ ପ୍ରଶ୍ନ ଉଠିଛି। ତେବେ ଏହାକୁ ନେଇ ଏବେ ପରିସ୍ଥିତି ଗୋଳମାଳିଆ ଧରିଛି।

Spread the love