September 8, 2024

Satya News

odia news channel

କେନ୍ଦ୍ରର ଓମିକ୍ରନ ସତର୍କତା : ଗହଳି ଏଡ଼ାଅ, ଦରକାର ନଥିଲେ ଯାଅନି

 

ନୂଆଦିଲ୍ଲୀ : କରୋନାର ଓମିକ୍ରନ ପ୍ରଜାତି ଭୂତାଣୁ ସଂକ୍ରମଣକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସତର୍କତା ଜାରି କରିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଓମିକ୍ରନ ପ୍ରଜାତି ଭୂତାଣୁ ଏବେ ୟୁରୋପ ଓ ବିଶ୍ବର ଅନ୍ୟାନ୍ୟ ଦେଶରେ ଦ୍ରୁତ ବେଗରେ ସଂକ୍ରମିତ ହେଉଛି। ବିଶ୍ବର ୯୧ଟି ଦେଶକୁ ଏହି ପ୍ରଜାତି ଭୂତାଣୁ ବ୍ୟାପିଗଲାଣି। ନୂଆ ପ୍ରଜାତି ଓମିକ୍ରନର ଯୋଗୁଁ ବ୍ରିଟେନରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଶୁକ୍ରବାର ଗତ ୨୪ଘଣ୍ଟାରେ ବ୍ରିଟେନରେ ୯୩,୦୪୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୁରୁବାର ମଧ୍ୟ ବ୍ରିଟେନରେ ୮୮, ୩୭୬ ସଂକ୍ରମିତ ଚିହ୍ନଟ ହୋଇଥିଲେ। ତେଣୁ ଆମେ ଏଥିପାଇଁ ସତର୍କ ରହିବା ଦରକାର। ଏଥିପାଇଁ ଲୋକେ ଜନଗହଳି ଓ ଅନାବଶ୍ୟକ ଯାତ୍ରାରୁ ଦୂରେଇ ରହିବା ଦରକାର। ନୂଆବର୍ଷ ଓ ଅନ୍ୟାନ୍ୟ ଉତ୍ସବକୁ ଆଡମ୍ବରପୂର୍ଣ୍ଣ ଭାବେ ପାଳନ ନ କରିବାକୁ ପରାମର୍ଶ ଦିଆଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀରେ ଆଇସିଏମ୍‌ଆର ମହାନିର୍ଦେଶକ ବଳରାମ ଭାର୍ଗବ କହିଛନ୍ତି ଯେ ଓମିକ୍ରନ ପ୍ରଜାତି ଭୂତାଣୁ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ବୈଜ୍ଞାନିକ ତଥ୍ୟ ମିଳିପାରି ନାହିଁ। ତେଣୁ ଏହି ପ୍ରଜାତିର ଭୂତାଣୁ ସମ୍ପର୍କରେ ଆହୁରି ଅନୁଧ୍ୟାନ କରାଯାଉଛି। ଓମିକ୍ରନର ସଂକ୍ରମଣ ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। ଏହା ଗୋଷ୍ଠୀ ସଂକ୍ରମଣର ରୂପ ନେଲେ ଡେଲଟା ପ୍ରଜାତି ଠାରୁ ଅଧିକ ବେଗରେ ସଂକ୍ରମିତ ହେବ। ସଂକ୍ରମଣ ଅଧିକ ହେଲେ ଏହାର ପ୍ରଭାବ ବଢିବା ସହିତ ମୃତ୍ୟୁସଂଖ୍ୟା ବଢିବ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଓମିକ୍ରନ ପ୍ରଜାତି ଭୂତାଣୁ ଉପରେ ଟିକା ପ୍ରଭାବ ରହୁନଥିବାର କୌଣସି ପ୍ରମାଣ ନାହିଁ। ଯେଉଁମାନେ ଓମିକ୍ରନ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖାଯାଇଛି। ତେଣୁ ଲୋକେ ଯଥାଶୀଘ୍ର ଟିକା ନେବା ଦରକାର। ଅଗ୍ରୱାଲ କହିଛନ୍ତି ଯେ ବର୍ତ୍ତମାନ ଯେତେସବୁ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ସେମାନଙ୍କର ବିଦେଶ ଗସ୍ତର ଇତିହାସ ରହିଛି। ସେହିସବୁ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରାଯାଇଛି।
ଶୁକ୍ରବାର ଉତ୍ତରପ୍ରଦେଶକୁ ଓମିକ୍ରନ ପ୍ରଜାତି ଭୂତାଣୁ ସଂକ୍ରମଣ ହୋଇଛି। ରାଜ୍ୟର ଗାଜିଆବାଦରୁ ଦୁଇଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନେ ମହାରାଷ୍ଟ୍ରରୁ ଆସିଥିବା ଜଣାଯାଇଛି। ଦିଲ୍ଲୀରେ ୧୦, ମହାରାଷ୍ଟ୍ରରେ ୮, କେରଳରେ ୨ ଓ ତେଲଙ୍ଗାନାରେ ୨ଜଣ ନୂଆ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୧୧୫ରେ ପହଞ୍ଚିଛି। ଦେଶର ୧୨ଟି ରାଜ୍ୟକୁ ଏହି ସଂକ୍ରମଣ ବ୍ୟାପି ସାରିଲାଣି। ମହାରାଷ୍ଟ୍ରରେ ସର୍ବାଧିକ ୪୦ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଦିଲ୍ଳୀରେ ୨୦, ରାଜସ୍ଥାନରେ ୧୭, କର୍ଣ୍ଣାଟକରେ ୮, ତେଲଙ୍ଗାନାରେ ୧୦, ଗୁଜରାଟରେ ୫, କେରଳରେ ୭, ଆନ୍ଧ୍ରପ୍ରଦେଶ, ଚଣ୍ଡିଗଡ, ତାମିଲନାଡୁ ଓ ପଶ୍ଚିମବଙ୍ଗରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ୨୦ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Spread the love