April 18, 2025

କେନ୍ଦ୍ରାପଡା ଜିଲାରେ ପ୍ରସ୍ତାବିତ ସର୍ବବୃହତ ଇସ୍ପାତ୍ କାରଖାନା ଓଡିଶାର ବିକାଶରେ ନୂଆ ଅଧ୍ୟାୟ ଖୋଲିବ- ଧର୍ମେନ୍ଦ୍ର ପ୍ରଧାନ

 

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲାର ମହାକାଳପଡା ଠାରେ ଅଗ୍ରଣୀ ଇସ୍ପାତ୍ କମ୍ପାନି ଆର୍ସେଲର ମିତଲ ନିପନ୍ ଷ୍ଟିଲ୍(ଏଏମ୍ଏନ୍ଏସ୍) ଦ୍ୱାରା ୧.୦୨ ଲକ୍ଷ କୋଟି ଟଙ୍କାର ବୃହତ ପୁଞ୍ଜିନିବେଶରେ ନିର୍ମାଣ ହେବାକୁ ଥିବା ପ୍ରସ୍ତାବିତ ଦେଶର ସର୍ବବୃହତ ଷ୍ଟିଲ ପ୍ଲାଣ୍ଟ କେନ୍ଦ୍ରାପଡ଼ା ଜିଲା ସମେତ ରାଜ୍ୟର ବିକାଶରେ ନୂଆ ଅଧ୍ୟାୟ ଖୋଲିବ ବୋଲି ଟ୍ୱିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ କେନ୍ଦ୍ରାପଡ଼ା ଜିଲାରେ ଆର୍ସେଲର ମିତଲ ନିପନ୍ ଷ୍ଟିଲର ୧.୦୨ ଲକ୍ଷ କୋଟି ଟଙ୍କାର ବୃହତ ପୁଞ୍ଜିନିବେଶ ସହ ପ୍ରସ୍ତାବିତ ବାର୍ଷିକ ୨୪ ନିୟୁତ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା ପାଇଁ ଓଡ଼ିଶା ସରକାର ଆବଶ୍ୟକ ଅନୁମତି ମଞ୍ଜୁର କରିଥିବା ଜାଣି ଖୁସି ହେଲି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ପୂର୍ବୋଦୟ ଏବଂ ଆତ୍ମନିର୍ଭର ଭାରତ କଳ୍ପନା ଏବଂ ଇସ୍ପାତ୍ ନୀତି ଦ୍ୱାରା ଏହି ବୃହତ କାରଖାନା କେନ୍ଦ୍ରାପଡ଼ା ଜିଲ୍ଲା ସମେତ ରାଜ୍ୟର ବିକାଶରେ ନୂଆ ଅଧ୍ୟାୟ ଖୋଲିବ
ଏବଂ ଯୁବପିଢିଙ୍କ ପାଇଁ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।
ସୂଚନାଯୋଗ୍ୟ, ଭାରତ ସରକାରଙ୍କ ଇସ୍ପାତ୍ ମନ୍ତ୍ରଣାଳୟ ଦାୟିତ୍ୱରେ ଥିବା ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଭିନ୍ନ ପର୍ଯ୍ୟାୟରେ ଆର୍ସେଲର ମିତଲର ମୁଖ୍ୟ ଏଲ.ଏନ ମିତଲ ଏବଂ ଆଦିତ୍ୟ ମିତଲଙ୍କ ସହ ଆଲୋଚନା କରିବା ଅବସରରେ କେନ୍ଦ୍ରାପଡ଼ାରେ ସର୍ବବୃହତ ଇସ୍ପାତ୍ କାରଖାନା ନିର୍ମାଣ ପାଇଁ ଯୋଜନା ଆରମ୍ଭ ହୋଇଥିଲା। ପ୍ରଥମେ ୨୦୧୯ ଡିସେମ୍ବର ୧୪, ପରେ ୨୦୨୦ ଫେବୃୟାରୀ ୨୫, ୨୦୨୦ ଅଗଷ୍ଟ ୮ ଏବଂ ୨୦୨୧ ମାର୍ଚ୍ଚ ୨ ତାରିଖରେ ଆର୍ସେଲର ମିତଲର ମୁଖ୍ୟଙ୍କ ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ବୈଠକ ହୋଇଥିଲା।

ମୋଦି ସରକାରଙ୍କ ଇଜ୍ ଅଫ୍ ଡୁଇଂ ବିଜନେସକୁ ପ୍ରୋତ୍ସାହନ ଦେବା ଦ୍ୱାରା ବିଶ୍ୱ ବ୍ୟାଙ୍କର ଇଓଡିବି ତାଲିକାରେ ଭାରତର ଉନ୍ନତ ପ୍ରଦର୍ଶନ କରିଛି। ଏହି ପ୍ରଦର୍ଶନ ଦ୍ୱାରା ଭାରତରେ ବ୍ୟାପକ ପୁଞ୍ଜିନିବେଶର ପଥ ସୁଗମ ହୋଇଛି। ଏହା ଫଳରେ ଭବିଷ୍ୟତ ପାଇଁ ଅଧିକରୁ ଅଧିକ ଆର୍ଥିକ ସୁଯୋଗ ସୃଷ୍ଟି ହେବ। ଇସ୍ପାତ ଏବଂ ଖଣି କ୍ଷେତ୍ରରେ ଅନେକ ସଂସ୍କାର ପୂର୍ବ ଭାରତ ଇସ୍ପାତ୍ କ୍ଷେତ୍ରକୁ ମଜବୁତ୍ କରିବ ଏବଂ ଏହା ଦ୍ୱାରା ଓଡ଼ିଶା ବିଶେଷ ଭାବରେ ଲାଭବାନ ହେବ। ମାଇନ୍ସ ଏଣ୍ଡ ମିନେରାଲ୍ସ- ଡେଭଲପମେଣ୍ଟ ଏଣ୍ଡ ରେଗୁଲେସନ(ଏମଏମଡିଆର) ଅଧିନିୟମରେ ସଂଶୋଧନ; ଖଣିଜ ଦ୍ରବ୍ୟର ନିରନ୍ତର ଅନ୍ୱେଷଣ ଓ ଉତ୍ପାଦନକୁ ସୁଗମ କରିବ। ନୂତନ ପୁଞ୍ଜି ବିନିଯୋଗକୁ ପ୍ରୋତ୍ସାହିତ କରିବା ସଙ୍ଗେସଙ୍ଗେ ଉତ୍ପାଦନ ଏବଂ ନିଯୁକ୍ତିର ସୁଯୋଗ ମଧ୍ୟ ବୃଦ୍ଧି କରିବ। ଆତ୍ମନିର୍ଭର ଭାରତ ପ୍ୟାକେଜରେ ଘୋଷଣା ହୋଇଥିବା ଢାଞ୍ଚାଗତ ସଂସ୍କାର ଏକ ସକରାତ୍ମକ ପରିବର୍ତନକୁ ତ୍ୱରାନ୍ୱିତ କରୁଅଛି।

Spread the love