ଭୁବନେଶ୍ବର ୩୧।୭: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡି ଗିରଫ ହୋଇଥିବା ଓଏସଏସସି ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କ ବିରୋଧରେ ହେବ ବିଭାଗୀୟ ତଦନ୍ତ । ଏନେଇ ଓଡିଶା ଷ୍ଟାଫ୍ ସିଲେକ୍ସନ କମିଶନ ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ମିଶ୍ରଙ୍କ ସୂଚନା ଦେଇଛନ୍ତି । ବିଭାଗୀୟ ତଦନ୍ତ କରିବା ଲାଗି ଓଏସଏସସି ଅଧ୍ୟକ୍ଷ ନିର୍ଦ୍ଦେଶ ଦେଛନ୍ତି । କିଭଳି ଜଣେ ପିଏସ୍ ହୋଇ କୋଟିପତି ହେଲେ ଏହାକୁ ନେଇ ତଦନ୍ତ ହେବ । ତାଙ୍କ ଘରୁ ମିଳିଥିବା ଆଡମିଟ୍ କାର୍ଡ ବାବଦରେ ସମସ୍ତ ତଦନ୍ତ ହେବ । ଆଡମିଟ୍ କାର୍ଡ ସେ ଛାତ୍ରଛାତ୍ରୀଙ୍କଠାରୁ ନେଇଥିବା ସନ୍ଦେହ କରାଯାଇଛି । ସିଧାସଳଖ ସେ ଲାଞ୍ଚ କାରବାର ନେଇ ଏଭଳି ବେଆଇନ ସମ୍ପତ୍ତି ଆୟ କରିଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ଶୁକ୍ରବାର OSSC ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ବିରଞ୍ଚିଙ୍କ ଘରୁ ୩ କୋଟି ୭୯ ଲକ୍ଷର ସଂପତ୍ତି ଜବତ, ନଗଦ ୨୫ ଲକ୍ଷ ସହ ଦେଢ଼ କେଜି ସୁନା ଗହଣା ଜବତ ହୋଇଥିଲା । ସ୍ଥାବର ଅସ୍ଥାବର ସମ୍ପତ୍ତି ମଧ୍ୟରେ ରହିଛି ନୀଳାଦ୍ରିବିହାରରେ ୨ଟି ଦୁଇ ମହଲା ଘର, ଭୁବନେଶ୍ବର ଭକ୍ତିବିହାର ଓ କଟକ କୋଡିଆବନ୍ଧରେ ୨ଟି ଏକ ମହଲା ଘର । ଭୁବନେଶ୍ବର, ଖୋର୍ଦ୍ଧା ଓ ପୁରୀରେ ରହିଛି ୧୪ଟି ପ୍ଲଟ୍ । ଗୋଟିଏ କାର୍, ୨ଟି ବାଇକ୍, ୫୬ଲକ୍ଷ ଟଙ୍କାର ଜୀବନବୀମା, ଦେଢ଼ କେଜି ସୁନା । ଏହା ବ୍ୟତୀତ ତାଙ୍କ ଘରୁ ନଗଦ ୧୨ ଲକ୍ଷ ଟଙ୍କା ଓ ତାଙ୍କ ଶଳାଙ୍କ ଘରୁ ୧୩ ଲକ୍ଷ ନଗଦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ ।
ବ୍ୟାଙ୍କ୍ ଓ ଲକରରେ ଥିବା ସମ୍ପତ୍ତି ଆକଳନ କରିପାରିନି ଭିଜିଲାନ୍ସ । ଆସନ୍ତାକାଲି ତାଙ୍କ ସମ୍ପତ୍ତି ଯାଞ୍ଚ କରାଯିବ ବୋଲି ଭିଜିଲାନ୍ସ ଏସ୍ପି ସୂଚନା ଦେଇଥିଲେ । ସବୁଠାରୁ ବଡ଼ କଥା ହେଲା ସେ ତାଙ୍କ ସମ୍ପର୍କୀୟଙ୍କ ନାଁରେ କୋଟି କୋଟି ଟଙ୍କା ସମ୍ପତ୍ତି ରଖିଥିବା ଜଣାପଡିଛି । ସେ କରୋନା ମହାମାରୀ ସମୟରେ ୨ଥର ବିଦେଶ ଗସ୍ତ କରିଥିବାର ପ୍ରମାଣ ମିଳିଛି । ଏଥିସହ ତାଙ୍କ ଘରୁ ବିଡା ବିଡା ବିଦେଶୀ ନୋଟ୍ ମଧ୍ୟ ଠାବ କରାଯାଇଛି ।
ଗତ କିଛି ମାସ ତଳେ ଏସ୍ଏସ୍ସି ମାଧ୍ୟମରେ ଚାକିରି ବିଜ୍ଞାପନ ବାହାରିଥିଲା । ବିରଞ୍ଚି ନାରାୟଣ ସାହୁ ଓ ତାଙ୍କର କିଛି ଖାସ୍ ସହଯୋଗୀ ଲକ୍ଷ ଲକ୍ଷ ଟଙ୍କାରେ ଡିଲ୍ କରୁଥିଲେ। ହେଲେ ଭିଜିଲାନ୍ସ ଏମାନଙ୍କୁ ଧରିବା ପୂର୍ବରୁ ଖସି ଯାଇଥିଲେ । ସେବେଠାରୁ ଭିଜିଲାନ୍ସ ତାଙ୍କ ଉପରେ ନଜର ରଖିଥିଲା । ଶୁକ୍ରବାର ସକାଳେ ଭିଜିଲାନ୍ସ ଚଢ଼ାଉ କରିଥିଲା । ହେଲେ ଏତେ ଟଙ୍କା ଓ ସମ୍ପତ୍ତି କେଉଁଠୁ ଆସିଲା ସେ ନେଇ ତଦନ୍ତ ଜାରି ରହିଛି ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍