July 12, 2025

ଖଟିଆରେ ବୁହାହେଲେ ରୋଗୀ

 

ଆନନ୍ଦପୁର : ରାସ୍ତା ଖରାପ ଯୋଗୁଁ ଘର ପାଖକୁ ଯାଇପାରିଲା ନାହିଁ ଆମ୍ବୁଲାନ୍ସ। ଶେଷରେ ଆମ୍ବୁଲାନ୍ସ କର୍ମଚାରୀ ଖଟିଆରେ ବୋହି ୨ କିଲୋମିଟର ଆଣିବା ପରେ ଆମ୍ବୁଲାନ୍ସରେ ଡାକ୍ତରଖାନା ଆଣିଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆନନ୍ଦପୁର ସୀମାନ୍ତ ଠାକୁରମୁଣ୍ଡା ପଞ୍ଚାୟତ ଭାଲିଆଡ଼ାଳ ଗ୍ରାମରେ।

 

ଭାଲିଆଡାଳ ଗ୍ରାମର ସଲାଇ କାଣ୍ଡି (୪୫) ରବିବାର ସକାଳେ ଗ୍ରାମ ନିକଟ ଜଙ୍ଗଲକୁ ଶୌଚ ହେବାକୁ ଯାଇଥିବାବେଳେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ। ପରିବାର ଲୋକେ ଗୁରୁତର ସଲାଇଙ୍କୁ ଆନନ୍ଦପୁର ଡାକ୍ତରଖାନା ଆଣିବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ‌ଦିନ ପ୍ରାୟ ସାଢ଼େ ୧୦ଟାବେଳେ ଆମ୍ବୁଲାନ୍ସ ଗାଁ ପାଖରେ ପହଞ୍ଚିଥିଲା। ହେଲେ ରାସ୍ତା ଖରାପ ଯୋଗୁଁ ସଲାଇଙ୍କ ଘର ନିକଟକୁ ଯାଇପାରି ନଥିଲା। ଆମ୍ବୁଲାନ୍ସର ଡ୍ରାଇଭର ଗଜେନ୍ଦ୍ର କୁମାର ନାୟକ, ଫାର୍ମାସିଷ୍ଟ ହେମନାରାୟଣ ଶତପଥୀ, ଆଟେଣ୍ଡାଣ୍ଟ ସନ୍ତୋଷ କୁମାର ସାହୁ ପ୍ରମୁଖ ଗ୍ରାମବାସୀଙ୍କ ସହ ମିଶି ଦୁଇକିମି ଦୂରରୁ ସଲାଇଙ୍କୁ ଏକ ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ। ସେଠାରୁ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ଅଣାଯାଇଛି।

Spread the love