July 7, 2025

ଗାଈ ଚିକିତ୍ସାକୁ କେନ୍ଦ୍ର କରି ଏଲ୍‌ଆଇକୁ ଆକ୍ରମଣ

 

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅନ୍ତର୍ଗତ ବାରିଣୀପୁଟ ଗ୍ରାମରେ ଗାଈ ଚିକିତ୍ସା କରିବାକୁ ପ୍ରାଣୀଧନ ନିରୀକ୍ଷକ ନ ଆସିବାରୁ ତାଙ୍କୁ ଗାଈ ମାଲିକ ଆକ୍ରମଣ କରିଛନ୍ତି। ଏଥିରେ ବାରିଣୀପୁଟ ପ୍ରାଣୀଧନ ନିରୀକ୍ଷକ ଲଳିତ କୁମାର ବିଶୋୟୀ ଆହତ ହୋଇ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇଛନ୍ତି। ଏନେଇ ଶ୍ରୀ ବିଶୋୟୀ ଜୟପୁର ସଦରଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଥାନାରେ ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଥିବା ଜଣାପଡଛି।

ସୂଚନାଯୋଗ୍ୟ, ଗତ ୧୩ ତାରିଖରେ ବାରିଣୀପୁଟ ଅଞ୍ଚଳର ପ୍ରଦୀପ ପରିଡାଙ୍କ ଗାଈ ଅସୁସ୍ଥ ହେବାରୁ ଚିକିତ୍ସା ପାଇଁ ଏଲ୍‌ଆଇ ଲଳିତଙ୍କୁ ଫୋନ୍ ଯୋଗ ଡାକିଥିଲେ। କିନ୍ତୁ ସେହି ସମୟରେ ଚାଷୀଙ୍କ ସର୍ଭେ ଚାଲିଥିବା ବେଳେ ସେ ନେଇ ଲଳିତ ଗାଁଗାଁ ବୁଲି ତଥ୍ୟ ସଂଗ୍ରହ କରୁଥିଲେ। ଏନେଇ ବାରିଣପୁଟ ଠାରେ ଥିବା ଆଟେଣ୍ଡାଣ୍ଟ କିମ୍ବା ଜୟପୁର ପ୍ରାଣୀ ଚିକିତ୍ସାଳୟରେ ଥିବା ଏଲ୍‌ଆଇକୁ ଡାକି ଚିକିତ୍ସା କରାଇବା ପାଇଁ ଲଳିତ କହିଥିଲେ। କିନ୍ତୁ ପ୍ରଦୀପ ଫୋନ୍ ଯୋଗ ଅସଭ୍ୟ ଭାଷାରେ ଗାଳି କରିବା ପରେ ଲଳିତ କଲ୍ କାଟି ଦେଇଥ‌ିଲେ। ଏହାପରେ ସେ ବାରମ୍ବାର କଲ୍ କରିଥିଲେ କିନ୍ତୁ ଲଳିତ କଲ୍ ଉଠାଇନଥିଲେ। ଲଳିତ ଆଜି ସକାଳୁ ନିଜର ଫିଲ୍ଡ କାମ ସାରି ବାରିଣୀପୁଟ କାର୍ଯ୍ୟାଳୟକୁ ଯାଇଥିଲେ, ସେଠାରେ ପ୍ରଦୀପ ପହଞ୍ଚି ପାଟିତୁଣ୍ଡ କରିବା ସହ ଚିକିତ୍ସା ପାଇଁ ନଆସିବା କହି ସେଠାରେ ଥିବା ଲୁହା ଷ୍ଟୁଲରେ ଆକ୍ରମଣ କରିଥିଲେ। ଲଳିତଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିଥିବା ବ‌େଳେ ସେଠାରୁ ପ୍ରଦୀପ ଚାଲିଯାଇଥିଲେ। ଲଳିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପରେ ସଦରଥାନାରେ ଲିଖିତ ଅଭିଯୋଗ ଦେଇଥ‌ିଲେ। ଏନେଇ ଥାନାରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି।

Spread the love