ଭଦ୍ରକ ୩।୮: ଜନ୍ମନିୟନ୍ତ୍ରଣ ଅସ୍ତ୍ରୋପଚାର ପାଇଁ ଯାଇଥିଲେ । ଅପରେସନ ସରିଲା କିନ୍ତୁ ଖାଦ୍ୟ ଖାଇବା ବେଳେ ପେଟରେ ଅସହ୍ୟ ଯନ୍ତ୍ରଣା ହେଲା । ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ପରେ ପୁଣି କଟକ ବଡ ମେଡିକାଲ ଗଲେ । ସେଠାରେ ମଧ୍ୟ ପୁଣି ଅପରେସନ ହେଲା ଓ କାରଣ ଖୋଜିବା ବେଳକୁ ଜଣାପଡିଲା ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ବେଳେ ଗର୍ଭନାଡି ସହ ଖାଦ୍ୟ ନଳୀରେ ମଧ୍ୟ କଣା ହୋଇଛି । ତେବେ ମହିଳା ଜଣକଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ ଏବେ ପର୍ଯ୍ୟନ୍ତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ମହିଳା ଜଣଙ୍କ ହେଉଛନ୍ତ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତ ଗୋପାଳପୁର ଗାଁର କ୍ଷତିପ୍ରଭା ବାରିକ । ଦୁଇ ସନ୍ତାନ ଥିବାରୁ ଜୁଲାଇ ମାସରେ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆୟୋଜିତ ଗର୍ଭନିୟନ୍ତ୍ରଣ ଅସ୍ତ୍ରୋପଚାର ଶିବିରରେ ଅସ୍ତ୍ରୋପଚାର କରାଇଥିଲେ । ସେଠାରେ ସ୍ଵତନ୍ତ୍ର ଡାକ୍ତରୀଦଳ ଅସ୍ତ୍ରୋପଚାର କରିବା ସହ ଆବଶ୍ୟକୀୟ ଚିକିତ୍ସା ପରେ ଘରକୁ ପଠାଇଥିଲେ । ପରେ ଖାଦ୍ୟ ଖାଇବା ବେଳେ କ୍ଷତିପ୍ରଭା ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରେ ଅବସ୍ଥାରେ ପରିବର୍ତ୍ତନ ନହେବାରୁ ତାଙ୍କୁ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ରେଫର କରାଯାଇଥିବା ବେଳେ ପୁଣି କଟକ ଏସସିବିକୁ ସ୍ଥାନାନ୍ତର କରଯାଇଥିଲା । ସେଠାରେ ଖାଦ୍ୟନଳୀରେ କଣା ହୋଇଥିବା ନେଇ ଜଣା ପଡିବା ପରେ ପୁଣି ଅପରେସନ କରଯାଇଥିଲା । କିନ୍ତୁ ଘରକୁ ଆସିବା ପରେ ମଧ୍ୟ ସମାନ ଅବସ୍ଥା । ସେଥିପାଇଁ କ୍ଷତିପ୍ରଭାଙ୍କୁ ବିଗତ କିଛି ଦିନ ହେବ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ।
ଏମିତି ଅବସ୍ଥା ପାଇଁ ଏବେ ଦୁଇ ପିଲାଙ୍କୁ ପଡିଶାଙ୍କ ଘରେ ଛାଡି ମେଡିକାଲ ଦଉଡି ଦଉଡି ନୟାନ୍ତ ହେଲେଣି । ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସି ନଥିବାରୁ ମେଡିକାଲରେ ଆଡମିଟ୍ ହୋଇ ରହିଛନ୍ତି । ଏମିତି ସ୍ଥିତିରେ ଆବଶ୍ୟକୀୟ ସାହାଯ୍ୟ ଯୋଗାଇଦେବା ପାଇଁ ସରପଞ୍ଚ କହିଛନ୍ତି । କିନ୍ତୁ ଅପରେସନ ଜନିତ କ୍ଷତି ପାଇଁ କୌଣସି ଯୋଜନା ନଥିବାରୁ ତାଙ୍କୁ ଅନ୍ୟାନ୍ୟ ଆନୁଷଙ୍ଗୀକ ଯୋଜନାରେ ସାମିଲ କରିବା ନେଇ କହିଛନ୍ତି । କିନ୍ତୁ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ କହିଛନ୍ତି ଯେ ଖାଦ୍ୟନଳୀ କଟିବା ନେଇ ଅଭିଯୋଗ ନେଇ ଅସ୍ତ୍ରୋପଚାର କରିଥିବା ଡାକ୍ତର ସ୍ପଷ୍ଟ କରିପାରିବେ । ଏବେ ଅବସ୍ଥାରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେଉଛି ଓ ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଛନ୍ତି । ଆଗାମୀ ସମୟରେ ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯିବ ବୋଲି କହିଛନ୍ତି ।
More Stories
୨ଟି ରାଜ୍ୟର ଅଧ୍ୟକ୍ଷ ଓ ୬ଟି ରାଜ୍ୟର ପ୍ରଭାରୀ ନିଯୁକ୍ତ କଲା ବିଜେପି
କୌଣସି ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିବା ନାହିଁ ବିଜେଡି
ଜୁନ ୨୫କୁ କଳା ଦିବସ ପାଳନ କରିବ ବିଜେପି