September 19, 2024

Satya News

odia news channel

ଜରାଜୀର୍ଣ୍ଣ ଅବସ୍ଥାରେ ଆଠଗଡ଼ ଶୀତଳଭଣ୍ଡାର

 

ଆଠଗଡ଼,  କୃଷିପ୍ରଧାନ ଅଞ୍ଚଳ ଆଠଗଡ଼। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବେପାରୀମାନେ ଆସି ଏଠାରୁ ପନିପରିବା କିଣି ନିଅନ୍ତି। ଚାହିଦା ଅନୁଯାୟୀ ଚାଷୀମାନେ ମଧ୍ୟ ପ୍ରତ୍ୟହ ଅନ୍ୟ ଅଞ୍ଚଳକୁ ପନିପରିବା ପଠାଇ ଲାଭବାନ ହୁଅନ୍ତି। କିନ୍ତୁ, ଶୀତଳଭଣ୍ଡାରଟିଏ ନ ଥିବାରୁ ଦର ନିଚା ରହିଲେ ଚାଷୀମାନେ ପରିବା ସଂରକ୍ଷିତ ରଖି ନ ପାରି ଅନେକ ସମୟରେ କ୍ଷତିଗ୍ରସ୍ତ ହେଉଛନ୍ତି। ଫଳରେ ଆଠଗଡ଼ ଅଞ୍ଚଳରେ ପନିପରିବା ସଂରକ୍ଷଣ ପାଇଁ ଶୀତଳଭଣ୍ଡାର ସ୍ଥାପନ କରିବାକୁ ଦୀର୍ଘଦିନ ହେଲା ଦାବି ହୋଇଆସୁଛି। ଏହି ଦାବି କିନ୍ତୁ ଦାବିରେ ହିଁ ରହି ଯାଇଛି। ଅନ୍ୟପଟେ, ଆଳୁ ଚାଷୀଙ୍କ ନିମନ୍ତେ ଉଦ୍ଦିଷ୍ଟ ଆଠଗଡ଼ ଶୀତଳଭଣ୍ଡାର ବି ୩୦ବର୍ଷ ହେଲା ବନ୍ଦ ହୋଇ ଭୂତକୋଠିରେ ପରିଣତ ହୋଇଗଲାଣି। ଏହାର ପ୍ରଭାବରେ ଆଠଗଡ଼ ଓ ଆଖପାଖ ଅଞ୍ଚଳର ଆଳୁ ଚାଷ ମଧ୍ୟ ବୁଡ଼ି ଯାଇଛି। ଏକଦା ଆଳୁଚାଷର ପେଣ୍ଠସ୍ଥଳ ଥିବା ଆଠଗଡ଼ ଉପଖଣ୍ଡର ଲୋକେ ବର୍ତ୍ତମାନ ଆକାଶ ଛୁଆଁ ଦର ଦେବାକୁ ବାଧ୍ୟ ହେଉଛନ୍ତି।

୨୦୧୦ ମସିହାରେ ପିପିପି (ପବ୍ଲିକ୍‌ ପ୍ରାଇଭେଟ୍‌ ପାର୍ଟନର୍‌ସିପ୍‌) ମୋଡ୍‌ରେ ଶୀତଳଭଣ୍ଡାରକୁ ଚଳାଇବା ପାଇଁ ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହାପରେ ୨୦୧୧ ମସିହାରେ ସିସୋର ସଂସ୍ଥା ଶୀତଳଭଣ୍ଡାରକୁ ୩୦ବର୍ଷ ଲିଜ୍‌ ସୂତ୍ରରେ ନେବାକୁ ଚୁକ୍ତିନାମା କରିବା ସହ ବାର୍ଷିକ ୫ ଲକ୍ଷ ୧୦ ହଜାର ଟଙ୍କା ପ୍ରଦାନ କରିବ ବୋଲି ଧାର୍ଯ୍ୟ ହୋଇଥିଲା। ହେଲେ, ୨୦୧୩ ମସିହାରେ ଉକ୍ତ ଚୁକ୍ତିନାମାକୁ ସରକାର ରଦ୍ଦ କରିଦେଇଥିଲେ। ପୁନର୍ବାର ୨୦୧୬ ମସିହାରେ କଟକ ଜିଲ୍ଲାର ଆଠଗଡ଼ ଓ ବୟାଳିଶମୌଜାରେ ଥିବା ଶୀତଳଭଣ୍ଡାରକୁ ପିପିପି ମୋଡ୍‌ରେ ଲିଜ୍‌ରେ ଦେବା ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ମାତ୍ର ଆଠଗଡ଼ ପାଇଁ କେହି ଟେଣ୍ଡର ପକାଇ ନ ଥିଲେ। ବର୍ତ୍ତମାନ ଉକ୍ତ ଶୀତଳଭଣ୍ଡାର ଭୂତକୋଠିରେ ପରିଣତ ହୋଇଯାଇଥିବା ଦେଖିବାକୁ ମିଳିଛି। ଘର ଛାତ ଉପରେ ବର ଓ ଅଶ୍ବତ୍‌ଥ ଗଛ ବଢ଼ିବାରେ ଲାଗିଛି। ଚତୁଃପାର୍ଶ୍ବରେ ଅନାବନା ଗଛଲତା ଉଠି ଜଙ୍ଗଲିଆ ପରିବେଶ ସୃଷ୍ଟି ହୋଇଛି। ୨୦୧୨ ମସିହାରୁ ଏଠାରେ ରାତ୍ର ଜଗୁଆଳି ନାହାନ୍ତି। ଫଳରେ ଚୋରମାନେ ଝରକା, କବାଟ ତାଡ଼ି ନେଇଗଲେଣି। କୋଠରୀଗୁଡ଼ିକ ମଧ୍ୟ ଭାଙ୍ଗିରୁଜି ଗଲାଣି। ଭଗ୍ନ ଶୀତଳଭଣ୍ଡାର ଏବେ ଅସାମାଜିକ ଯୁବକଙ୍କ ଆଡ଼ାସ୍ଥଳୀ ପାଲଟିଛି।

ଅନ୍ୟପଟେ, ଶୀତଳଭଣ୍ଡାର ବନ୍ଦ ପଡ଼ିଥିବାରୁ ଆଠଗଡ଼ ବ୍ଲକ୍‌ ଅନ୍ତର୍ଗତ ଗଜାଆମ୍ବ, କେଉଟପାଟଣା, ରେଗେଡ଼ାପଡ଼ା, ଆଙ୍କୁଲା, ଜେନାପଦା, ସମସରପୁର, ଖୁଣ୍ଟକଟା ଅଞ୍ଚଳର ପ୍ରାୟ ୪୦୦ ଏକର ଜମିରେ ଆଳୁ ଚାଷ ଏକପ୍ରକାର ବନ୍ଦ ହୋଇଗଲାଣି। ଆଠଗଡ଼ ଉପଖଣ୍ଡ ଓ ଅନ୍ୟ ଅଞ୍ଚଳର ଚାଷୀମାନେ ମଧ୍ୟ ଆଳୁଚାଷ କରିବାକୁ ଆଉ ଆଗ୍ରହ ପ୍ରକାଶ କରୁ ନ ଥିବା ଦେଖାଯାଉଛି। ଦିନେ ଆଳୁଚାଷ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଆଠଗଡ଼ରେ ଲୋକମାନେ ଏବେ ଆଳୁ କିଲୋ ୨୫ଟଙ୍କାରେ କିଣିବାକୁ ବାଧ୍ୟ ହେଉଛନ୍ତି। ଏ ନେଇ ଚାଷୀ ଓ ଜନସାଧାରଣ କ୍ଷୋଭ ପ୍ରକାଶ କରିଛନ୍ତି। ସରକାର ଯଥାଶୀଘ୍ର ବନ୍ଦ ପଡ଼ିଥିବା ଶୀତଳଭଣ୍ଡାର କାର୍ଯ୍ୟକ୍ଷମ କରିବା ପାଇଁ ପଦକ୍ଷେପ ନେବା ସହ ପନିପରିବା ସଂରକ୍ଷଣ ପାଇଁ ଆଉ ଏକ ଶୀତଳଭଣ୍ଡାର ସ୍ଥାପନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Spread the love