November 22, 2024

Satya News

odia news channel

ଜାତୀୟ ବଜାରରେ ଚମକୁଛି ବାଲେଶ୍ୱର ମୁକ୍ତା

 

ବାଲେଶ୍ୱର : ମୁକ୍ତାର ଚାହିଦା ବଜାରରେ ସବୁବେଳେ ରହିଆସିଛି। କୃଷି ବିଜ୍ଞାନର ଅଦ୍ଭୂତପୂର୍ବ ସଫଳତା ଯୋଗୁ ସାମୁଦ୍ରିକ ପ୍ରବାଳ ଜାତୀୟ ଏହି ଦୁର୍ଲଭ ଚିଜ ବର୍ତ୍ତମାନ ମଧୁର ଜଳରେ ବି ଚାଷ ହୋଇପାରୁଛି। ଓଡ଼ିଶାରେ ପ୍ରଥମ କରି ବାଲେଶ୍ବରରେ ମୁକ୍ତା ଚାଷ ଆରମ୍ଭ ହୋଇଛି। ସବୁଠୁ ବଡ଼ କଥା ହେଲା, ମାଛଚାଷ ସହ ମୁକ୍ତାଚାଷ ଏକାସାଙ୍ଗରେ ହୋଇ ପାରୁଥିବାରୁ ଏଥିପାଇଁ ଅନେକଙ୍କ ମଧ୍ୟରେ ଆଗ୍ରହ ଓ ଉତ୍ସାହ ଦେଖିବାକୁ ମିଳିଛି। ବିଶେଷ କରି ଯୁବଗୋଷ୍ଠୀ ଏହି ଚାଷ କରିବାକୁ ମନ ବଳାଉଛନ୍ତି। ମଧୁର ଜଳରେ ହେଉଥିବା ଏହି ଚାଷ କମ୍ ଖର୍ଚ୍ଚରେ ଅଧିକ ଲାଭଦାୟକ ବୋଲି ଚାଷୀ ପ୍ରକାଶ କରିଛନ୍ତି।

ମୁକ୍ତାଚାଷ ପାଇଁ ଜୀବନ୍ତ ଶାମୁକା ଆବଶ୍ୟକ। ଗୋଟିଏ ଶାମୁକାର ମୂଲ୍ୟ ୫ ଟଙ୍କା ପଡ଼ୁଥିବା ବେଳେ ବର୍ଷକୁ ଗୋଟିଏ ଶାମୁକା ପିଛା ପ୍ରାୟ ୨୫ ଟଙ୍କା ଖର୍ଚ୍ଚ ହୋଇଥାଏ। ବର୍ଷେରୁ ଦେଢ଼ ବର୍ଷ ପରେ ଏହି ସବୁ ଶାମୁକାକୁ ଅମଳ କରାଯାଇଥାଏ। ସିମେଣ୍ଟ ପାଣି ଟାଙ୍କିରେ ମଧ୍ୟ ଏହି ଚାଷ କରାଯାଇପାରିବ। ଏକ ହଜାର ମୁକ୍ତା ପାଇଁ ୩୫ ରୁ ୪୦ ହଜାର ପର୍ଯ୍ୟନ୍ତ ଖର୍ଚ୍ଚ ହେଉଥିବା ବେଳେ ଏଥିରେ ଅତି କମ୍‌ରେ ୬୦ ହଜାର ଟଙ୍କା ଯାଏ ଲାଭ ହେଉଥିବା ଜଣାପଡ଼ିଛି।

ମୁକ୍ତାଚାଷ ବିଶେଷଜ୍ଞ ଭାବେ ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ପାରୁଳିଆ ଅଞ୍ଚଳର ଅରୁଣ ପାଗଳ ବେଶ ଜଣାଶୁଣା। ରାଜ୍ୟରେ ପ୍ରଥମେ ସେ ହିଁ ମୁକ୍ତାଚାଷ ଆରମ୍ଭ କରିଥିବା ଅରୁଣ କହିଛନ୍ତି। ତାଙ୍କ ଦିଗ୍‌ଦର୍ଶନରେ ଏବେ ବାଲିଆପାଳ ଓ ଜଳେଶ୍ବର ବ୍ଲକରେ ୪୦ରୁ ଅଧିକ ଚାଷୀ ମୁକ୍ତାଚାଷ କରୁଛନ୍ତି। ୨୦୧୭ରେ ଅରୁଣ ବାଲେଶ୍ବରରେ ମୁକ୍ତାଚାଷ ଆରମ୍ଭ କରିଥିଲେ। ଏଥିରେ ସଫଳ ହେବା ପରେ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଏହି ଚାଷ କରିବା ପାଇଁ ସେ ତାଲିମ୍‌ ଦେଉଛନ୍ତି।

ଆଜିଯାଏ ଅରୁଣ ୩ ଶହରୁ ଅଧିକ ଚାଷୀଙ୍କୁ ତାଲିମ୍‌ ଦେଇସାରିଲେଣି। ତେବେ ଓଡ଼ିଶାରେ ବଜାର ସୁବିଧା ନଥିବାରୁ ଏଠାରୁ ଉତ୍ପାଦିତ ମୁକ୍ତା ହାଇଦ୍ରାବାଦ, ଦିଲ୍ଲୀ, ରାଜସ୍ଥାନ, କୋଲକାତା, ଅହମଦାବାଦ ଆଦି ସ୍ଥାନକୁ ରପ୍ତାନି ହେଉଛି। ମଧୁର ଜଳରେ ଚାଷ ହେଉଥିବା ରଙ୍ଗିନ୍‌ ମୁକ୍ତାର ଚାହିଦା ସବୁଠାରୁ ଅଧିକ। ଫ୍ୟାସନ୍‌ ଡିଜାଇନ୍‌, ଗହଣା, ଔଷଧ ଆଦି ପ୍ରସ୍ତୁତିରେ ଏହାର ବହୁଳ ବ୍ୟବହାର ଓ ଉପଯୋଗ କରାଯାଉଛି। ତେବେ ପ୍ରଚାରପ୍ରସାର ଅଭାବରୁ ଏହି ଚାଷ ସଂପର୍କରେ ଲୋକ ଜାଣିପାରୁନାହାନ୍ତି। ସରକାରୀ ପ୍ରୋତ୍ସାହନ ମିଳିଲେ ମୁକ୍ତାଚାଷର ପ୍ରଚାର ପ୍ରସାର ହେବା ସହିତ ଚାଷୀ ଅଧିକ ଲାଭାନ୍ବିତ ହୋଇପାରନ୍ତେ ବୋଲି ଅରୁଣ କହିଛନ୍ତି।

Spread the love