September 20, 2024

Satya News

odia news channel

ଜାତୀୟ ହକି ଦଳରେ ହ୍ରାସପାଉଛି ଓଡ଼ିଆଙ୍କ ପ୍ରତିନିଧିତ୍ବ

 

କଟକ :  ଜାତୀୟ ହକିରେ ଓଡ଼ିଶା ଅଗ୍ରଣୀ ରାଜ୍ୟ। ଜାତୀୟ ପୁରୁଷ ଓ ମହିଳା ଦଳରେ ଏକାଧିକ ଓଡ଼ିଶା ଖେଳାଳିଙ୍କ ପ୍ରତିନିଧିତ୍ବ ଦେଖିବାକୁ ମିଳିଥାଏ। ଏବେ ଏହି ଧାରା ଧିରେଧିରେ ହ୍ରାସ ପାଇବାରେ ଲାଗିଛି। ଏକ ସମୟରେ ଜାତୀୟ ମହିଳା ଓ ପୁରୁଷ ଦଳରେ ୪ରୁ ୫ ଜଣ ଖେଳାଳି ପ୍ରତିନିଧିତ୍ବ କରୁଥିବାବେଳେ ଏବେ ୧କୁ ଖସି ଆସିଲାଣି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ଘୋଷିତ ଭାରତୀୟ ପୁରୁଷ ଓ ଏଫ୍‌ଆଇଏଚ୍‌ ମହିଳା ହକି ବିଶ୍ବକପ ଦଳରେ ଜଣେ ଲେଖାଏଁ ଖେଳାଳି ସ୍ଥାନ ପାଇଛନ୍ତି। ଜାତୀୟ ଦଳରେ ଓଡ଼ିଶା ଖେଳାଳିଙ୍କ ଏଭଳି ଉପସ୍ଥିତିକୁ ନେଇ ରାଜ୍ୟ ହକିରେ ଚର୍ଚ୍ଚା ସୃଷ୍ଟି ହୋଇଛି।
ଜୁଲାଇ ୧ରୁ ୧୭ ପର୍ଯ୍ୟନ୍ତ ନେଦରଲାଣ୍ଡ୍‌ସ ଓ ସ୍ପେନରେ ଏଫ୍‌ଆଇଏଚ୍‌ ମହିଳା ହକି ବିଶ୍ବକପ ଖେଳାଯିବ। ଏଥିପାଇଁ ହକି ଇଣ୍ଡିଆ ପକ୍ଷରୁ ଘୋଷିତ ୨୦ଜଣିଆ ଭାରତୀୟ ଦଳରେ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଦୀପ୍‌ଗ୍ରେସ ଏକ୍କା ସ୍ଥାନ ପାଇଛନ୍ତି। ବିଶ୍ବକପ ଲାଗି ଆୟୋଜିତ ସମ୍ଭାବ୍ୟ ଶିବିରରେ ରଶ୍ମିତା ମିଞ୍ଜ, ନମିତା ଟପ୍ପୋ, ମାରିଆନା କୁଜୁର ଓ ଦୀପ୍‌ଗ୍ରେସ ଏକ୍କା ସ୍ଥାନ ପାଇଥିଲେ। ସେଥିମଧ୍ୟରୁ କେବଳ ଦୀପ୍‌ଗ୍ରେସଙ୍କୁ ଚୂଡାନ୍ତ ଦଳରେ ସ୍ଥାନ ମିଳିଛି। ରଶ୍ମିତା , ମାରିଆନା ଓ ନମିତା ବିଭିନ୍ନ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରୁଛନ୍ତି। ନମିତା ମଧ୍ୟ ଟୋକିଓ ଅଲିମ୍ପିକ୍‌ସ ଭାରତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ। ରଶ୍ମିତା, ମାରିଆନା ଓ ନମିତାଙ୍କ ନିକଟରେ ଅଭିଜ୍ଞତା, ଦକ୍ଷତା ରହିଥିଲେ ମଧ୍ୟ ତାଙ୍କୁ ବଡ ପ୍ରତିଯୋଗିତାରେ ଉପେକ୍ଷା କରାଯାଉଛି। ସେହିପରି ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ଘୋଷିତ ଭାରତୀୟ ଦଳରେ ଏକମାତ୍ର ଓଡ଼ିଆ ଭାବେ ଅମିତ ରୋହିଦାସ ସ୍ଥାନ ପାଇଛନ୍ତି। ଓଡ଼ିଶାରେ ଶୀଳାନନ୍ଦ ଲାକ୍ରା, ଦୀପ୍‌ସାନ ତିର୍କୀ, ନୀଲମ ସଞ୍ଜୀପ ଖେସ ଓ ଅଭିଷେକ ଲାକ୍ରାଙ୍କ ଭଳି ଅନ୍ତର୍ଜାତୀୟସ୍ତରର ଖେଳାଳି ରହିଛନ୍ତି। ଶୀଳାନନ୍ଦ ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ହକିରେ ଭଲ ପ୍ରଦର୍ଶନ କରିଥିଲେ। ଏହା ବାଦ୍‌ ତାଙ୍କୁ ବିଶ୍ବକପ ଦଳରେ ସ୍ଥାନ ମିଳିଲା ନାହିଁ। ସେହିପରି ଏସିଆ କପ୍‌ ହକିରେ ଦୀପ୍‌ସାନ ତିର୍କୀ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ । ଓଡ଼ିଶା ଖେଳାଳିଙ୍କ ଦକ୍ଷତା ଥାଇ ମଧ୍ୟ ସେମାନଙ୍କୁ ଦଳରେ ସୁଯୋଗ ନମିଳିବାକୁ ନେଇ ହକିପ୍ରେମୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଓଡ଼ିଶା ସରକାର ହକିର ବିକାଶ ନେଇ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଜାତୀୟ ପୁରୁଷ ଓ ମହିଳା ହକି ଦଳର ମୁଖ୍ୟ ପ୍ରାୟୋଜକ ମଧ୍ୟ ରହିଛନ୍ତି। ବିଶ୍ବସ୍ତରୀୟ ଷ୍ଟାଡିୟମ ସହ ଭିତ୍ତିଭୂମି ସୃଷ୍ଟି କରୁଛନ୍ତି। ହକି ବିଶ୍ବକପ ପରେ ବିଶ୍ବକପ ଆୟୋଜନ କରି ଚାଲିଛନ୍ତି। ହକି ପାଇଁ କୋଟିକୋଟି ଟଙ୍କା ର୍ଖଚ୍ଚ ହେଉଛି ; କିନ୍ତୁ ଓଡ଼ିଶାର ହକି ତଳକୁ ତଳକୁ ଯିବାରେ ଲାଗିଛି। ଓଡ଼ିଶା ହକିକୁ ନେଇ ହକି ଓଡ଼ିଶା ଓ ହକି ଆସୋସିଏସନ ଅଫ ଓଡ଼ିଶା ଟଣାଓଟରା ହେଉଛନ୍ତି। କିନ୍ତୁ ହକି ପ୍ରତିଭା କିଭଳି ସୃଷ୍ଟି ହେବେ ସେଥିପ୍ରତି କାହାରି ଆନ୍ତରିକତା ନଥିବା ଭଳି ମନେ ହେଉଛି। କେବଳ ପ୍ରତିଯୋଗିତା ଆୟୋଜନ, ଭିତ୍ତିଭୂମି ସୃଷ୍ଟି କରିଦେଲେ ଓଡ଼ିଶାରେ ହକି ଆଗକୁ ବଢିବ ନାହିଁ।
ଖେଳାଳି କିଭଳି ସୃଷ୍ଟି ହେବେ ସେ ନେଇ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ହକିପ୍ରେମୀମାନେ ମତ ଦେଇଛନ୍ତି। ଏଭଳି ଧାରା ଯଦି ଲାଗି ରବେ ଆଗାମୀ କିଛି ବର୍ଷରେ ଜାତୀୟ ହକିରେ ଓଡ଼ିଶାର ପ୍ରତିନିଧିତ୍ବ ଶୂନ ହୋଇଯିବାର ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ। ଏବେ ଓଡ଼ିଶା ଜୁନିୟର ଦଳରେ ରାଜ୍ୟ ବାହରର ଖେଳାଳିଙ୍କୁ ଖେଳିବାର ସୁଯୋଗ ମିଳିଛି। ଏସବୁଠାରୁ ଓଡ଼ିଶା ଦୂରରେ ରହିଲେ ରାଜ୍ୟ ହକିର ବିକାଶ ହେବା ସହିତ ଏକାଧିକ ପ୍ରତିଭାବାନ ଖେଳାଳି ବାହାରି ପାରିବେ ବୋଲି ହକିପ୍ରେମୀମାନେ କ୍ଷୋଭର ସହ କହିଛନ୍ତି।

Spread the love