September 19, 2024

Satya News

odia news channel

ଜିମ୍ବାଓ୍ଵେ ବିପକ୍ଷ ଶେଷ ଦିନିକିଆରେ ଆଣ୍ଠେଇଲା ଅଷ୍ଟ୍ରେଲିଆ

 

ଟାଉନ୍ସଭିଲେ: ଘରୋଇ ମାଟିରେ ଜିମ୍ବାଓ୍ଵେ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଜିତିଥିଲେ ହେଁ ଅଷ୍ଟ୍ରେଲିଆ ଶେଷ ଦିନିକିଆରେ ପରାଜିତ ହୋଇଛି। ଭ୍ରମଣକାରୀ ଜିମ୍ବାଓ୍ଵେ ଅଷ୍ଟ୍ରେଲିଆକୁ ୩ ଓ୍ଵିକେଟ୍‌ରେ ହରାଇଛି। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ୯୪ ରନ ସତ୍ଵେ ୩୧ ଓଭରରେ ୧୪୧ ରନରେ ଅଲଆଉଟ୍ ହୋଇଥିଲା। ମାକ୍ସଓ୍ଵେଲ(୧୯ ରନ)ଙ୍କୁ ବାଦ୍ ଦେଲେ ଅନ୍ୟ କୌଣସି ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ। ଜବାବରେ ଜିମ୍ବାଓ୍ଵେ ୧୪୨ ରନର ବିଜୟ ଲକ୍ଷ୍ୟ ହାସଲ କରିଥିଲେ  ହେଁ ଦଳ ସାତୋଟି ଓ୍ଵିକେଟ୍  ହରାଇଥିଲା। ରେଗିସ୍ ଚକାଓ୍ଵା  ୩୭ ରନର ଇନିଂସ ଖେଳି ଦଳ ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୁମିକା ଗ୍ରହଣ କରିଛନ୍ତି। ଶେଷ ଦିନିକିଆ ହାରିଥିଲେ ହେଁ ଅଷ୍ଟ୍ରେଲିଆ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୨-୧ରେ ଜିତି ନେଇଛି।

ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଦଳୀୟ ସ୍କୋର ୯ ରନରୁ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ଗୋଟିଏ ପଟେ ଡେଭିଡ୍ ଓ୍ଵାର୍ଣ୍ଣର କ୍ରିଜରେ ଜମି ରହିଥିବା ବେଳେ ଅନ୍ୟପଟେ କୌଣସି ବ୍ୟାଟସମ୍ୟାନ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। କେବଳ ଷଷ୍ଠ ଓ୍ଵିକେଟ୍‌ରେ ଓ୍ଵାର୍ଣ୍ଣର ଏବଂ ମ୍ୟାକ୍ସଓ୍ଵେଲ୍ ୫୭ ରନ ଯୋଡିବାରୁ ଅଷ୍ଟ୍ରେଲିଆ ୧୪୧ ରନରେ ପହଞ୍ଚି ପାରିଛି। ଲଢୁଆ ବ୍ୟାଟିଂ କରି ଓ୍ଵାର୍ଣ୍ଣ ଅଷ୍ଟମ ଖେଳାଳି ଭାବେ ଆଉଟ୍ ହୋଇଥିଲେ। ସେ ୯୬ ବଲ୍‌ରୁ ୧୪ ଚୌକା ଏବଂ ୨ ଛକା ସହ ୯୪ ରନ କରିଥିଲେ। ମ୍ୟାକ୍ସଓ୍ଵେଲ ୧୯ ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ଆରୋନ ଫିଞ୍ଚ ୫, ଷ୍ଟିଭ୍ ସ୍ମିଥ୍ ୧, ଆଲେକ୍ସ କେରି ୪, ମାର୍କସ ଷ୍ଟୋଇନିସ୍ ୩, କ୍ୟାମେରୁନ ଗ୍ରୀନ ୩ ରନ କରି ପାଭିଲିୟନ ଫେରିଥିଲେ। ଦଳ ୩୧ ଓଭରରେ ୧୪୧ ରନରେ ଅଲଆଉଟ୍ ହୋଇଥିଲା। ଜିମ୍ବାଓ୍ଵେ ପକ୍ଷରୁ ରିୟାନ ବର୍ଲ ୩ ଓଭରରେ ମାତ୍ର ୧୦ ରନ ଦେଇ ୫ଟି ଓ୍ଵିକେଟ୍ ନେଇଛନ୍ତି। ବ୍ରାଡ ଇଭାନ୍ସ ୩୫ ରନ ଦେଇ ୨ ଟି ସଫଳତା ପାଇଛନ୍ତି।

୧୪୨ ରନ ଲକ୍ଷ୍ୟର ପିଛା କରିଥିବା ଜିମ୍ବାଓ୍ଵେର ଓପନିଂ ଯୋଡି ତାକୁଦଜ୍ଵାନାସେ କେଟାନୋ ଏବଂ ତାଡିଓ୍ଵାନାସେ ମାରୁମାନି ୩୮ ରନ ଯୋଡିଥିଲେ। କାଟିନୋ ୧୯ ରନ କରି ଆଉଟ୍ ହୋଇଥିଲେ। ଓପନିଂ ଯୋଡି ଭାଙ୍ଗିବା ପରେ ଜିମ୍ବାଓ୍ଵେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଦଳ ୭୭ ରନରେ ଅଧା ଓ୍ଵିକେଟ୍ ହରାଇଥିଲା। ମାରୁମାନି ୩୫ ରନର ଉପଯୋଗୀ ଇନିଂସ ଖେଳିଥିଲେ। ତେବେ ରେଗିସ୍ ଚକାଓ୍ଵା ଧୈର୍ଯ୍ୟର ସହ ବ୍ୟାଟିଂ କରି କ୍ରିଜରେ  ଜମି ରହିଥିଲେ। ସେ ୭୨ ବଲରୁ ୩୭ ରନ ଇନିଂସ ଖେଳି ଦଳକୁ ବିଜୟୀ  କରାଇବାରେ ଉଲ୍ଲେଖନୀୟ ଯୋଗ ଦେଇଛନ୍ତି। ଟୋନି ମୁନ୍ୟୋଙ୍ଗା ୧୭ ରନ ଏବଂ ରିୟାଲ ବର୍ଲ ୧୧ ରନ କରି ପାରିଥିଲେ। ଦଳ ୩୯ ଓଭରରେ ୭ ଓ୍ଵିକେଟ୍ ହରାଇ କ୍ଷ୯ ଓଭରରେ ୭ ଓ୍ଵିକେଟ୍ ହରାଇ ବହୁ କଷ୍ଟରେ ବିଜୟ ହାସଲ କରି ପାରିଛି। ଅଷ୍ଟ୍ରେଲିଆ ପକ୍ଷରୁ ଜୋସ୍ ହେଜେଲଉଡ ୩୦ ରନ ଦେଇ ସର୍ବାଧିକ ୩ଟି ଓ୍ଵିକେଟ୍ ନେଇଛନ୍ତି।

Spread the love