September 19, 2024

Satya News

odia news channel

ଜେଲ ଗଲେ ୫ ସାମ୍ବାଦିକ, ପୁଲିସ ଥାନା ଘେରାଉ

 

ମାଲକାନଗିରି: ମାଲକାନଗିରି ପୁଲିସ ଗଣମାଧ୍ୟମର କଣ୍ଠ ରୋଧ କରିବାକୁ ଉଦ୍ୟମ ଆରମ୍ଭ କରିଛି। ନିରପେକ୍ଷ ଭାବେ ଖବର ପ୍ରସାରଣ କରାଯାଇଥିଲେ ମଧ୍ୟ ଆକ୍ରୋଶମୂଳକ ଭାବେ ଗଣମାଧ୍ୟମର ପ୍ରତିନିଧିଙ୍କୁ ଟାର୍ଗେଟ କରି ପୁଲିସ ଜେଲ ପଠାଇବାରେ ସଫଳ ହୋଇଛି। ସାମ୍ବାଦିକମାନଙ୍କ ସତ୍ୟ ଖବର ପ୍ରକାଶ କରିବା ମହଙ୍ଗା ପଡିଛି। ଏଭଳି ଆଗାମୀ ଦିନରେ ମଧ୍ୟ ଅନ୍ୟ ସାମ୍ବାଦିକ ନିରପେକ୍ଷ ସମ୍ବାଦ ପରିବେଷଣ କରିବାକୁ ଭୟ କରିବେ। ପୁଲିସର ଜୁଲମ ମାଲକାନଗିରି ଜିଲ୍ଲାରେ କେତେ ସାଧାରଣରେ ଲୋକେ ହୃଦୟଙ୍ଗମ କରିସାରିଛନ୍ତି। ଘଟଣାଟି ହେଲା ଗତ ୧୬ ତାରିଖ ରାତିରେ କୋରକୋଣ୍ଡା ସ୍ବାସ୍ଥ୍ୟ କେନ୍ଦ୍ରର ସ୍ଥିତି ପରଖିବା ନେଇ କିଛି ବୈଦୁତିକ ଗଣମାଧ୍ୟମର ପ୍ରତିନିଧିମାନେ ଯାଇଥିଲେ।

ତେବେ ଏହି ୫ ଜଣ ସାମ୍ବାଦିକମାନେ ମଧ୍ୟ ପୁଲିସକୁ ପାଲଟା ଏତଲା ଦେଇଥିଲେ। ପୁଲିସ ଏହି ୫ ଜଣଙ୍କ ଏତଲାକୁ ରଖିଥିଲେ ମଧ୍ୟ ରେଜିଷ୍ଟିର କରିନଥିଲା। ଏନେଇ ଆଜି ସାମ୍ବାଦିକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମାଲକାନଗିରି ଜିଲ୍ଲାର ସମସ୍ତ ସଂଘର କର୍ମକର୍ତ୍ତା ଉପସ୍ଥିତ ଥିଲେ। ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ଡାକ୍ତରମାନଙ୍କର ଦୁର୍ବ୍ୟବହାରକୁ ନିନ୍ଦା କରାଯିବା ସହ ପୁଲିସର ଅତ୍ୟାଧିକ ଟାର୍ଗେଟକୁ ମଧ୍ୟ ନିନ୍ଦା କରାଯାଇଥିଲା। ପୁଲିସ ଜାଣିଶୁଣି ସାମ୍ବାଦିକମାନଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଥିବା ନେଇ ସଂଘର ବୈଠକରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆଗକୁ ପୁଲିସର କୌଣସି କାମରେ ସାମ୍ବାଦିକମାନେ ସହଯୋଗ କରିବେ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ମିଥ୍ୟା କେଶରେ ୫ ଜଣ ସାମ୍ବାଦିକଙ୍କୁ ଫସାଇ କୋର୍ଟ ଚାଲାଣ କରିବା କେତେଦୁର ଯୁକ୍ତିଯୁକ୍ତ ବୋଲି ସାମ୍ବାଦିକମାନେ ପ୍ରଶ୍ନ କରିଛନ୍ତି। ତେବେ ସାମ୍ବାଦିକମାନଙ୍କୁ ସମର୍ଥନ କରି ମା’ଘରର ସଦସ୍ୟାମାନେ, ବାର ଆସୋସିଏସନର କର୍ମକର୍ତ୍ତା ଏବଂ ଆଦିବାସୀ ସଂଘ ମଧ୍ୟ ସମର୍ଥନ କରି ଏହି ଘଟଣାକୁ  ନିନ୍ଦା କରିଛନ୍ତି। ଯଦି ସାମ୍ବାଦିକମାନେ କୌଣସି ଦୁର୍ବ୍ୟବହାର ପ୍ରଦର୍ଶନ କରିଛନ୍ତି ସେନେଇ ଥାନା ଅଧିକାରୀମାନେ ତଦନ୍ତ କରିବାର ଥିଲା। ଏନେଇ ଆପୋଷ ଆଲୋଚନା ମଧ୍ୟ କରାଯାଇପାରିଥାନ୍ତା। କିନ୍ତ ପୁଲିସ ଏହା ନକରି ଏକତରଫା ଭାବେ ସାମ୍ବାଦିକଙ୍କୁ ଟାର୍ଗେଟ କରିଛି, ଯାହାକୁ ସଂଘ ନିନ୍ଦା କରିବା ସହ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବା ପାଇଁ ସ୍ଥିର କରିଛି। ଆଜିଠାରୁ ମାଲକାନଗିରି ଥାନା ସମ୍ମୁଖରେ ସାମ୍ବାଦିକମାନେ ଧାରଣା ଆରମ୍ଭ କରିଦେଇଛନ୍ତି। ଡାକ୍ତରମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ପର୍ଯ୍ୟନ୍ତ ଧାରଣାରେ ସାମ୍ବାଦିକମାନେ ହଟିବେ ନାହିଁ ବୋଲି ସଫା ସଫା କହିଛନ୍ତି।
Spread the love