December 23, 2024

ଟପ୍‌ଲିଙ୍କୁ ୬ ୱିକେଟ ; ଭାରତକୁ ୧୦୦ ରନ୍‌ରେ ହରାଇଲା ଇଂଲଣ୍ଡ

 

ଲଣ୍ଡନ୍‌ : ଯୁବ ବାମହାତି ଫାଷ୍ଟବୋଲର ରିସ୍‌ ଟପ୍‌ଲିଙ୍କ ୬ ୱିକେଟ ଦଖଲ ବଳରେ ୨ୟ ଦିନିକିଆ ମ୍ୟାଚ୍‌ରେ ଇଂଲଣ୍ଡ ୧୦୦ ରନ୍‌ର ବଡ଼ ବ୍ୟବଧାନ​ରେ‌ର ଭାରତକୁ ପରାସ୍ତ କରିଛି । ଗୁରୁବାର ଲର୍ଡସରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂକରି ଘରୋଇ ଇଂଲଣ୍ଡ ୪୯ ଓଭରରେ ୨୪୬ ରନ୍‌କରି ଅଲ୍‌ଆଉଟ୍‌ ହୋଇ ଯାଇଥିଲା। ୧୦୨ ରନ୍‌ରେ ୫ଟି ୱିକେଟ ପଡ଼ିବା ପରେ ମୋଇନ୍ ଅଲୀ ଓ ଡେଭିଡ୍‌ ୱିଲିଙ୍କ ଲଢ଼ୁଆ ଇନିଂସ ବଳରେ ଇଂଲଣ୍ଡ ୨୪୬ ରନ୍‌ କରି ପାରିଥିଲା। ଭାରତର ଜଣେ ମଧ୍ୟ ଅର୍ଦ୍ଧଶତକ ହାସଲ କରି ପାରିଥିଲେ। ଭାରତ ନିୟମିତ ବ୍ୟବଧାନରେ ୱିକେଟ ହରାଇ ୩୮.୫ ଓଭରରେ ମାତ୍ର ୧୪୬ ରନ୍‌କରି ଅଲ୍ଆଉଟ୍‌ ହୋଇ ଯାଇଥିଲା। ପ୍ରଥମ ମ୍ୟାଚ୍‌ରେ ୧୦ ୱିକେଟରେ ପରାସ୍ତ ହୋଇଥିବା ଇଂଲଣ୍ଡ ଚମତ୍କାର ଭାବେ ଶୃଙ୍ଖଳାକୁ ପ୍ରତ୍ୟାବର୍ତ୍ତନ କରିଛି। ଇଂଲଣ୍ଡର ଏହି ବିଜୟ ଫଳରେ ଶୃଙ୍ଖଳା ଏବେ ୧-୧ ସ୍ଥିତିରେ ପହଞ୍ଚି ଯାଇଛି। ରବିବାର ନିର୍ଣ୍ଣାୟକ ୩ୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ ଖେଳାଯିବ।
୨୪୭ ରନ୍‌ ଲକ୍ଷ୍ୟ ଭାରତ ପାଇଁ ସହଜ ଲାଗୁଥିଲେ ହେଁ ଇଂଲଣ୍ଡର ଦୁଇ ବାମହାତି ପେସ୍ ବୋଲର ଆରମ୍ଭରୁ ଭଲ ବୋଲିଂ କରିଥିଲେ। ଅଧିନାୟକ ରୋହିତ ଶର୍ମା ଶୂନ୍‌ରେ ଆଉଟ୍‌ ହୋଇଥିଲେ। ପରେ ଲେଗ୍‌ଷ୍ଟମ୍ପ୍ ବାହାର ବଲ୍‌କୁ ସ୍ପର୍ଶକରି ଶିଖର ଧାୱନ ୯ ରନ୍‌କରି ବିଦାୟ ନେଇଥିଲେ। ଫୁଲ୍‌ ଟସ୍‌ରେ କ୍ୟାଚ୍‌ ଦେଇଥିବା ଋଷଭ ପନ୍ତ୍ ଖାତା ଖୋଲି ପାରିନଥିଲେ। ବିରାଟ କୋହଲି ୩ଟି ଦର୍ଶନୀୟ ଚୌକାମାରି ଫର୍ମକୁ ଫେରିବା ପରି ଲାଗୁଥିଲେ ହେଁ ୱାଇଡ୍‌ ବଲ୍‌ର ପିଛାକରି କ୍ୟାଚ୍ ଦେଇଥିଲେ। କୋହଲି ୨୫ ବଲ୍‌ରୁ ୧୬ ରନ୍‌ କରିଥିଲେ। ୩୧ ରନ୍‌ରେ ୪ଟି ୱିକେଟ ପଡ଼ିବା ପରେ ସୂର୍ଯ୍ୟକୁମାର ଯାଦବ ଓ ହାର୍ଦିକ ପାଣ୍ଡ୍ୟା ୪୨ ରନ୍‌ ଯୋଡ଼ିଥିଲେ। ସୂର୍ଯ୍ୟକୁମାର ୨୯ ବଲ୍‌ରୁ ୨୭ ରନ୍‌କରି ବିଦାୟ ନେଇଥିଲେ। ହାର୍ଦିକ ପାଣ୍ଡ୍ୟା ୪୪ ବଲ୍‌ରୁ ୨୯ ରନ୍‌କରି ଆଉଟ୍‌ ହୋଇଥିଲେ। ପରେ ରବୀନ୍ଦ୍ର ଜାଡ଼େଜା ଓ ମହମ୍ମଦ ସାମି ୩୯ ରନ୍‌ ଯୋଡ଼ିଥିଲେ। ସାମି ୨୮ ବଲ୍‌ରୁ ୨୩ ରନ୍‌ କରିଥିଲେ। ପରେ ଜାଡ଼େଜା ୨୯ ରନ୍‌କରି ଆଉଟ୍‌ ହୋଇଥିଲେ। ରିସ୍‌ ଟପ୍‌ଲି ମାତ୍ର ୨୪ ରନ୍‌ରେ ୬ଟି ୱିକେଟ ନେଇ ଜୀବନର ଶ୍ରେଷ୍ଠ ବୋଲିଂ ସଫଳତା ହାସଲକରି ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।
ଟସ୍ ଜିତି ଭାରତ ଫିଲ୍‌ଡିଂ ନେଇଥିଲା। ଇଂଲଣ୍ଡର ଦୁଇ ଓପ୍‌ନର ଜେସନ୍ ରୟ ଓ ଜନି ବେୟାରଷ୍ଟୋ ନୂଆ ବଲ୍‌ର ସଫଳ ମୁକାବିଲା କରି ୪୧ ରନ୍‌ର ଭାଗିଦାରୀ କରିବା ପରେ ଦୁହେଁ ବେପରୁଆ ସଟ୍‌ ମାରି ୱିକେଟ ଫିଙ୍ଗିଥିଲେ। ରୟ ୩୩ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୩ ରନ୍‌ କରିଥିଲେ। ବେୟାରଷ୍ଟୋ ୩୮ ବଲ୍‌ରୁ ୬ଟି ଚୌକା ସହ ୩୮ରନ୍‌ କରିଥିଲେ। ଜୋ ରୁଟ୍‌ ୧୧ ରନ୍‌ କରିଥିଲେ। ଅଧିନାୟକ ଜୋସ୍‌ ବଟ୍‌ଲର ପୁଣି ବିଫଳ ହୋଇ ମାତ୍ର ୪ ରନ୍‌କରି ବିଦାୟ ନେଇଥିଲେ। ଅଭିଜ୍ଞ ବେନ୍‌ ଷ୍ଟୋକ୍‌ସ ରିଭର୍ସ ସ୍ବିପ୍‌ ମାରିବା ପ୍ରୟାସରେ ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ଷ୍ଟୋକ୍‌ସ ୨୩ ବଲ୍‌ରୁ ୩ଟି ଚୌକା ସହ ୨୧ ରନ୍‌ କରିଥିଲେ। ୧୦୨ ରନ୍‌ରେ ୫ଟି ୱିକେଟ ପଡ଼ିବା ପରେ ଲିଆମ୍ ଲିଭିଙ୍ଗ୍‌ଷ୍ଟୋନ୍‌ ଓ ମୋଇନ୍ ଅଲୀ ୪୬ ରନ୍‌ ଯୋଗ କରିଥିଲେ। ଲିଭିଙ୍ଗଷ୍ଟୋନ୍ ୩୩ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୩୩ ରନ୍‌ କରିଥିଲେ। ମୋଇନ୍ ଅଲୀ ଓ ଡେଭିଡ୍‌ ୱିଲି ୭ମ ୱିକେଟରେ ୧୩ ଓଭରରେ ୬୨ ରନ୍‌ ଯୋଡ଼ିଥିଲେ। ମୋଇନ୍ ୬୪ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୪୭ ରନ୍‌ କରିଥିଲେ। ଡେଭିଡ୍‌ ୱିଲି ୪୯ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୪୧ ରନ୍‌ କରିଥିଲେ। ୟୁଜବେନ୍ଦ୍ର ଚହଲ ୪ଟି ଏବଂ ଯଶପ୍ରୀତ ବୁମ୍‌ରା ଓ ହାର୍ଦିକ ପାଣ୍ଡ୍ୟା ୨ଟି ଲେଖାଏଁ ୱିକେଟ ନେଇଥିଲେ।

Spread the love